ଘରୋଇ ହସ୍ପିଟାଲରେ କିଡ଼ନୀ ଚୋରି ଅଭିଯୋଗ, ମଶାଣି ଖୋଳି କଫିନରୁ ବାହାରିଲା ମୃତଦେହ

Published By : Prameya-News7 Bureau | October 18, 2024 IST

ବାଲିଗୁଡ଼ା ୧୮।୧୦: ଗାଁ ମଶାଣିରୁ ଖୋଳା ହେଲା ଶବ l କଫିନରୁ ବାହାରିଲା ମୃତଦେହ l ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗ୍ରାମବାସୀ ଖୋଲିଲେ ଶବ । ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତର ଟିକରପାଜୁ ଗାଁରେ l କଟକ ସଦର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ଗାଁର ବାବୁଲା ଦିଗାଲଙ୍କ ମୃତ୍ୟୁ ଘଟିଥିଲା l ଗ୍ରାମବାସୀ ଶବକୁ ଆଣି ଗାଁ ମଶାଣିରେ କବର ଦେଇଥିଲେ l 

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖ ଦିନ ବାବୁଲା ଦିଗାଲ ତୁମୁଡିବନ୍ଧ ନିକଟସ୍ଥ ଡଡ଼ଙ୍ଗ ଘାଟିରେ ସଡ଼କ ଦୁର୍ଘଟଣାରେ ଗୁରତର ହୋଇ ପ୍ରଥମେ ବାଲିଗୁଡା ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲକୁ ରେଫର କରିଥିଲେ  l ମେଡିକାଲରେ ଷ୍ଟ୍ରାଇକ୍ ଯୋଗୁଁ ଭୁବନେଶ୍ୱରର ଏକ ବ୍ରୋକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପରିବାର ଲୋକଙ୍କୁ ନେଇ ଯାଇଥିଲେ l ଅପରେସନ ହେବ କହି ରୋଗୀଙ୍କ ସମ୍ପର୍କୀୟଙ୍କୁ ଲକ୍ଷେ ଟଙ୍କା ଦାବି କରିଥିଲେ । ମେଡିକାଲ କର୍ତ୍ତୃପକ୍ଷ ଅପରେସନ ସଫଳ ହୋଇଥିବା କଥା ମେଡିକାଲ ପକ୍ଷରୁ କୁହାଯାଇଥିଲା । କିନ୍ତୁ ବାବୁଲା ଦିଗାଲଙ୍କ ମୃତ୍ୟୁ ଘଟିଥିଲା l ପରେ ପରିବାର ଲୋକେ ପେଟ ନିକଟରେ କଟା ହୋଇଥିବା ଦେଖି କିଡ଼ନୀ ଚୋରି ହୋଇଥିବା ସନ୍ଦେହ କରି ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ବାଲିଗୁଡା ଥାନା ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଛି l ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଏଏସଆଇ ଯୁଗଳ ନାୟକ ଟିକରପାଜୁ ଗାଁକୁ ଯାଇ ମାଜିଷ୍ଟ୍ରେଟ ହରେକୃଷ୍ଣ ରାଉତଙ୍କ ଉପସ୍ଥିତିରେ ମଶାଣିରୁ ଶବ ଖୋଳି ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛନ୍ତି l ଏହିଭଳି ଅମାନବୀୟ କାମ କରିଥିବା ସଂପୃକ୍ତ ଘରୋଇ ମେଡିକାଲ ବିରୋଧରେ କଡା କାର୍ଯାନୁଷ୍ଠାନ ନେବା ସହିତ କ୍ଷତିପୂରଣ ଦେବାକୁ ପରିବାର ଲୋକ ସମେତ ଗ୍ରାମବାସୀ ଦାବି କରିଛନ୍ତି l 

You Can Read:

ମୁମ୍ବାଇରେ ଆୟୋଜିତ 'India Chem 2024'ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.