ମଣିପୁର ସୁରକ୍ଷା ସମୀକ୍ଷା ବୈଠକ ପରେ ଗୃହମନ୍ତ୍ରୀଙ୍କ ବଡ଼ ବୟାନ: ମୈତେଇ ଓ କୁକୀ ସହ ଆଲୋଚନା କରିବେ କେନ୍ଦ୍ର ସରକାର

Published By : Prameya-News7 Bureau | June 17, 2024 IST

indiatoday

ନୂଆଦିଲ୍ଲୀ: ବର୍ଷାଧିକ କାଳ ଜାତିଗତ ହିଂସାରେ ଜଳୁଥିବା ମଣିପୁର ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା ଦେଖିବାକୁ ମିଳିଛି। ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ସରକାର ମୈତେଇ ଓ କୁକୀ ସମ୍ପ୍ରଦାୟ ସହ ଆଲୋଚନା କରିବେ। ମଣିପୁର ହିଂସା ପାଇଁ ସୋମବାର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଉ ବୈଠକ ସରିବା ପରେ ଗୃହମନ୍ତ୍ରୀ ଏହି ବୟାନ ଦେଇଛନ୍ତି। 

ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ଠାରୁ ଆରମ୍ଭ କରି ବିଜେପିର ଆଦର୍ଶ କୁହାଯାଉଥିବା ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ  କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଯାହାକୁ ନେଇ ଦେଶରେ ଚର୍ଚ୍ଚା ଜୋର୍ ହୋଇଥିଲା। ଆଉ ସୋମବାର ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ବୈଠକ କରିଛନ୍ତି। 

ବୈଠକରେ ଗୃହମନ୍ତ୍ରୀ ରାଜ୍ୟର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ରିପୋର୍ଟ ମାଗିଥିଲେ। ଏବଂ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ରିପୋର୍ଟ ନେବା ପରେ ତୁରନ୍ତ ଜାତିଗତ ଭେଦଭାବ ଦୂର କରିବା ପାଇଁ ଉଭୟ ସମ୍ପ୍ରଦାୟର ସହ ଗୃହମନ୍ତ୍ରଣାଳୟ ଆଲୋଚନା କରିବ ବୋଲି ଶାହ କହିଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏକ ବିବୃତ୍ତି ଜାରି କରାଯାଇଛି। 
ମଣିପୁରର ସମସ୍ତ ନାଗରିକଙ୍କ ସୁରକ୍ଷା ଏବଂ ନିରାପତ୍ତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ଗୃହମନ୍ତ୍ରଣାଳୟ କହିଛି। ଏଥିସହିତ ଯେଉଁମାନେ ହିଂସାରେ ଲିପ୍ତ ରହିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆବଶ୍ୟକ ସ୍ଥଳେ ମଣିପୁରରେ କେନ୍ଦ୍ରୀୟ ବାହିନୀର ନିୟୋଜନ ବୃଦ୍ଧି କରିବା ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଯୋଜନାବଦ୍ଧ ଭାବେ ସେନାର ନିୟୋଜନ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ମଣିପୁର ରିଲିଫ କ୍ୟାମ୍ପ ସ୍ଥିତି ସମ୍ପର୍କରେ ରିପୋର୍ଟ ନେବା ସହ ପୀଡ଼ିତଙ୍କ ପାଇଁ ଖାଦ୍ୟ, ଜଳ, ଔଷଧ ଏବଂ ମୈଳିକ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମଣିପୁରର ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ନିର୍ଦ୍ଦେଶରେ ଅମିତ ଶାହା ବିସ୍ଥାପିତଙ୍କ ପାଇଁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସୁବିଧା ତଥା ପୁନଃ ଥଇଥାନ ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି। ଏହି ସମ୍ପ୍ରଦାୟକୁ ସମର୍ଥନ କରିବା ପାଇଁ ତୁରନ୍ତ ତଥା ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ଚଳିତ ମାସ ଆରମ୍ଭରେ ପୁନର୍ବାର କ୍ଷମତାକୁ ଆସିବା ପରେ ମଣିପୁର ନେଇ କେନ୍ଦ୍ର ସରକାରଙ୍କର ଏହା ପ୍ରଥମ ବୈଠକ ଥିଲା। ଏହି ଘଣ୍ଟିକିଆ ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା, ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ତପନ ଡେକା, ଆର୍ମି ଚିଫ୍ ଜେନେରାଲ ମନୋଜ ପାଣ୍ଡେ, ଆର୍ମି ଚିଫ୍-ଡେଜିଗନେଟ ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ କିନ୍ତୁ ଏଥିରେ ସାମିଲ ନଥିଲେ। 

ସୂଚନା ଥାଉକି ୨୦୨୩ ମସିହା ମେ ୩ ତାରିଖରେ ମଣିପୁରରେ ଅନୁସୂଚିତ ଜନଜାତିର ମାନ୍ୟତା ଦାବିକୁ ବିରୋଧ କରି କୁକୀ ସମ୍ପ୍ରଦାୟର ଲୋକ ଶୋଭାଯାତ୍ରା କରିଥିଲେ। ଏହିଠାରୁ ହିଂସା ଆରମ୍ଭ ହୋଇଥିଲା। ସେବେଠାରୁ ହିଂସାରେ କୁକୀ ସମ୍ପ୍ରଦାୟର ୨୨୦ ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ସେନା ଯବାନ ମଧ୍ୟ ସହିତ ହୋଇଥିବା ବେଳେ ଏକାଧିକ ଘର ଜଳାପୋଡ଼ ଘଟଣା ସାମ୍ନାକୁ ଆସିଛି।  

 

 

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.