‘ନନ୍ଦିନୀ’ ଦୁଗ୍ଧ ଦର ବୃଦ୍ଧି ନେଇ ଆସିଲା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବୟାନ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | June 26, 2024 IST

ବେଙ୍ଗାଲୁରୁ ୨୬।୬: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବୁଧବାର ‘ନନ୍ଦିନୀ’ ଦୁଗ୍ଧ ମୂଲ୍ୟରେ ୨ ଟଙ୍କା ବୃଦ୍ଧି ନେଇ ସ୍ପଷ୍ଟିକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଦୁଗ୍ଧ ମୂଲ୍ୟରେ କୌଣସି ବୃଦ୍ଧି ହୋଇ ନାହିଁ। ପ୍ରତି ପାଉଚ୍‌ ରେ ଅତିରିକ୍ତ ୫୦ ମିଲି ଅଧିକ ଦୁଗ୍ଧ ପାଇଁ ଦର ୨ ଟଙ୍କା ବଢିଛି। ଦୁଗ୍ଧର କ୍ରୟ ବୃଦ୍ଧି ଦୃଷ୍ଟିରୁ ଚାଷୀଙ୍କ ହୀତକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି। 

ସିଦ୍ଦରମୈୟା କହିଛନ୍ତି ଯେ ପିଛିଲା ବର୍ଷ ଏହି ସମୟରେ ଦୈନିକ ଦୁଗ୍ଧ ଉତ୍ପାଦନ ୯୦ ଲକ୍ଷ ଲିଟର ଥିଲା। ଏବେ ଏହା ୯୯ଲକ୍ଷ ଲିଟରରୁ ବି ଅଧିକ ହୋଇଛି। ସେ କହିଛନ୍ତି ଯେ ଆମକୁ ଦୁଗ୍ଧ ଚାଷୀଙ୍କ ଠାରୁ ଦୁଗ୍ଧ କ୍ରୟ କରିବାର ଅଛି, ଆମେ ସେମାନଙ୍କୁ ମନା କରିପାରିବୁନି। ଦୁଗ୍ଧ ଉତ୍ପାଦନ ପରେ ଏହାର ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରିବାର ଅଛି। ଏଣୁ ଏପର୍ଯ୍ୟନ୍ତ ମିଳୁଥିବା ଅଧଲିଟର ଦୁଗ୍ଧ ପ୍ୟାକେଟରେ ମାତ୍ର ୫୦ ମିଲି ଦୁଗ୍ଧ ବୃଦ୍ଧି କରାଯାଇଛି। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ୟାକେଟରେ ଦୁଗ୍ଧର ମାତ୍ରା ବଢାଇ ଦିଆଯାଇଛି ଓ ମାତ୍ରା ଅନୁସାରେ କ୍ଷୀର ୨ ଟଙ୍କା ମହଙ୍ଗା ହୋଇଛି। ଅଧଲିଟର ଓ ଲିଟରକିଆ ଦୁଗ୍ଧ ପ୍ୟାକେଟରେ ୫୦ ମିଲି ଦୁଗ୍ଧ ବଢାଇ ଦିଆଯିବା ଯୋଗୁ ମୂଲ୍ୟ ୨ଟଙ୍କା ୧୦ ପଇସା ହେଉଛି। ତେବେ ଗ୍ରାହକଙ୍କ ଠାରୁ ୨ ଟଙ୍କା ଆଦାୟ କରାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅତିରିକ୍ତ ଦୁଗ୍ଧ ଆମେ ଫିଙ୍ଗିପାରିବୁ ନାହିଁ କି ଚାଷୀଙ୍କଠାରୁ ଅଧିକ ଦୁଗ୍ଧ କିଣାକୁ ମନା କରିପାରିବୁନି। ତେବେ ଆମେ ରେଷ୍ତୁରାଁ, ଚା ଓ କଫିଷ୍ଟଲରେ ଚା ମୂଲ୍ୟ ବୃଦ୍ଧି ପାଇଁ ଯୋଜନା କରୁଛୁ। 

ତେବେ ରାଜ୍ୟରେ ଦୁଗ୍ଧ ମୂଲ୍ୟ ବୃଦ୍ଧି ଇନ୍ଧନ ମୂଲ୍ୟ ବୃଦ୍ଧି ପରେ ହୋଇଛି। ଏଣୁ ମୂଲ୍ୟ ବୃଦ୍ଧିକୁ ନେଇ ବିରୋଧୀ ଦଳ ଏବେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ଯେ ଏହି ପଦକ୍ଷେପ ନେବାର ଉଦ୍ଦେଶ୍ୟ ଚାଷୀଙ୍କୁ ଲାଭାନ୍ୱିତ କରିବା ଓ ମୂଲ୍ୟ ବୃଦ୍ଧି ମଧ୍ୟ ହେବାର ଥିଲା। ଏଣୁ ରାଜ୍ୟରେ ଦୁଗ୍ଧ ମୂଲ୍ୟ ବୃଦ୍ଧିକୁ ବିରୋଧ କରିବା ଚାଷୀଙ୍କୁ ବିରୋଧ ବୋଲି ଶିବକୁମାର କହିଛନ୍ତି। କର୍ଣ୍ଣାଟକ ମିଲ୍କ ଫେଡେରେସନ (କେଏମଏଫ) ଏକ ଚାଷୀଙ୍କ ସଙ୍ଗଠନ, ଏହା ଚାଷୀଙ୍କୁ ଲାଭ ଦେବାକୁ ତିଆରି କରାଯାଇଛି। ଏଣୁ ମୋ ହିସାବର ଦୁଗ୍ଧ ମୂଲ୍ୟ ଆହୁରି ଅଧିକ ବୃଦ୍ଧି ହେବାର ଥିଲା ବୋଲି ଶିବକୁମାର କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.