ରତନ ଟାଟାଙ୍କ ପରଲୋକରେ ଭାବୁକ ହେଲେ ଅମିତାଭ ବଚ୍ଚନ, କହିଲେ- ଗୋଟିଏ ଯୁଗର ଅବସାନ

Published By : Prameya-News7 Bureau | October 10, 2024 IST

ମୁମ୍ବାଇ ୧୦।୧୦: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଗୁରୁବାର ରତନ ଟାଟାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରତନ ଟାଟାଙ୍କ ପରଲୋକରେ ଏକ ଯୁଗର ଅବସାନ ହୋଇଛି। ଏ ନେଇ ଅମିତାଭ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ଟାଟାଙ୍କ ପରଲୋକ ସମ୍ପର୍କରେ ଏବେ ଜାଣିବାକୁ ପାଇଲି ବୋଲି ଉଲ୍ଲେଖ କରିଛନ୍ତି। ରତନ ଟାଟାଙ୍କ ସହିତ ବିତାଇଥିବା କ୍ଷଣକୁ ମନେ ପକାଇ ଅମିତାଭ କହିଛନ୍ତି ଯେ ମୁଁ ତାଙ୍କ ସହିତ ଅନେକ ସମୟ ବିତାଇଛି। 


ଉଲ୍ଲେଖଯୋଗ୍ୟ ଯେ ଅମିତାଭଙ୍କ ନିମନ୍ତେ ରତନ ଟାଟା ଏକ ଫିଲ୍ମ ‘ଏତବାର’ ପ୍ରଯୋଜନା କରିଥିଲେ। ଏହି ଫିଲ୍ମଟି ଫ୍ଲପ ହୋଇଯାଇଥିଲା। ଏହା ପରେ ଟାଟା ହିନ୍ଦୀ ଫିଲ୍ମରୁ ନିଜକୁ ଦୂରେଇ ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ରତନ ଟାଟା ଭାରତୀୟ ଉଦ୍ୟୋଗ ଜଗତର ଏକ ପ୍ରତିଷ୍ଠିତ ଚେହେରା ଥିଲେ, ଯିଏ ତାଙ୍କ ନେତୃତ୍ୱ ବଳରେ ଟାଟାକୁ ବିଶ୍ୱସ୍ତରରେ ପରିଚିତ କରାଇଥିଲେ। ରତନ ଟାଟା ବୁଧବାର ମୁମ୍ବାଇସ୍ଥିତ ବ୍ରିଚ କ୍ୟାଣ୍ଡ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୟସ ସମ୍ପର୍କିତ ଅସୁସ୍ଥତା ଯୋଗୁ ତାଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 



ରତନ ଟାଟାଙ୍କ ପରଲୋକରେ ରାଜନୀତିଠୁ ଆରମ୍ଭ କରି ଉଦ୍ୟୋଗ ଜଗତ ଓ ଫିଲ୍ମ ଜଗତର ଦିଗ୍ଗଜମାନେ ଶୋକ ପ୍ରକଟ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ରେ ଏକ ପୋଷ୍ଟ କରି ଟାଟା ସନସ୍‌ର ଅନରାରି ଚେୟାରମ୍ୟାନଙ୍କ ପରଲୋକରେ ଦୁଃଖ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରତନ ଟାଟାଙ୍କୁ ଜଣେ ଦୂରଦର୍ଶି ବ୍ୟବସାୟୀ ନେତା, ଜଣେ ଦୟାଳୁ ଆତ୍ମା ଓ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ବୋଲି ଉଲ୍ଲେଖ କରିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.