ତିରୁପତି ଲଡ଼ୁ ବିବାଦ ନେଇ Amulର ସଫେଇ, କମ୍ପାନୀ କହିଲା ଟିଟିଡିକୁ ଦିଆଯାଇନି ଘିଅ

Published By : Prameya-News7 Bureau | September 21, 2024 IST

ଆନ୍ଧ୍ରପ୍ରଦେଶ ୨୧/୦୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି ବିବାଦ । ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜିଛି । ମାମଲା ଏବେ ଅଦଲତାରେ ବିଚରାଧୀନ । ଏହାରି ଭିତରେ ସଫେଇ ଦେଇଛି ଡାଏରୀ ପ୍ରଡକ୍ଟ କମ୍ପାନୀ ଅମୁଲ ଇଣ୍ଡିଆ । 

ଅମୁଲ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କୁ କେବେ ବି ଘିଅ ଦିଆଯାଇ ନାହିଁ । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ବିଷୟରେ ପୋଷ୍ଟ କରିବା ପରେ ଅମୁଲ୍ ଡଟ୍.କମ୍‌ ଟ୍ୱିଟ୍‌ କରି ଏକ ବିବୃତ୍ତି ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇଛି । ଯେଉଁଥିରେ ଅମୁଲ ତିରୁପତି ମନ୍ଦିରକୁ କେବେ ବି ଘିଅ ଯୋଗାଇ ନାହିଁ ବୋଲି ସେ କହିଛି । 

ଅମୁଲ କମ୍ପାନୀ କହିଛି ଯେ 'ଆମେ ଏହା ମଧ୍ୟ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଅମୁଲ ଘିଅ ଆମ ଅତ୍ୟାଧୁନିକ ଉତ୍ପାଦନ କାରଖାନାରେ କ୍ଷୀରରୁ ତିଆରି, ଯାହା ISO ସାର୍ଟିଫିକେଟ୍ ପ୍ରାପ୍ତ। ଅମୁଲ ଘିଅ ଉଚ୍ଚମାନର ଶୁଦ୍ଧ କ୍ଷୀର ଚର୍ବିରୁ ତିଆରି । ଆମର ସମସ୍ତ ପ୍ରଡକ୍ଟ FSSAI ଦ୍ୱାରା ନିର୍ଦ୍ଦିଷ୍ଟ କଠୋର ଗୁଣାତ୍ମକ ଯାଞ୍ଚ ପରୀକ୍ଷା ଦେଇ ଗତି କରେ । ଏଠି ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ହିଁ ଆମର ସମସ୍ତ ପ୍ରଡକ୍ଟ ମାର୍କେଟ୍‌କୁ ଯାଏ । 

ଏହି ସ୍ପଷ୍ଟୀକରଣର ଉଦ୍ଦେଶ୍ୟ ହେଉଛି ଅମୁଲ ବିରୋଧରେ ଭୁଲ ତଥ୍ୟ ପ୍ରଚାରିତ ବନ୍ଦ କରିବା ରହିଛି ।' ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଭିଯୋଗର ଦୁଇ ଦିନ ପରେ ଅମୁଲ ଏହି ବୟାନ ଦେଇଛି । ସେପ୍ଟେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିରରେ ପ୍ରସାଦ ପାଇଁ ଲଡ଼ୁ ପ୍ରସ୍ତୁତିରେ ଅତ୍ୟନ୍ତ ନିମ୍ନମାନର ଉପାଦାନ ଏବଂ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.