ଅନିଲ ଅମ୍ବାନୀଙ୍କୁ ଇଡିର ଜେରା, ଫେମା ଆଇନ ଉଲ୍ଲଘଂନ ନେଇ ରହିଛି ମାମଲା

Published By : Prameya-News7 Bureau | July 03, 2023 IST

ନୂଆଦିଲ୍ଲୀ, ୦୩/୦୭: ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ଇଡିର ଜେରା। ବିଦେଶୀ ମୁଦ୍ରା ପରିଚାଳନା ଅଧିନିୟମ (FEMA)ର ଉଲ୍ଲଘଂନ ମାମଲାରେ ସୋମବାର ମୁମ୍ବାଇରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଅନିଲ। ଅନିଲଙ୍କ ଇଡିରେ ହାଜର ହେବା ନେଇ ଜଣେ ଇଡି ଅଧିକାରୀ ସ୍ପଷ୍ଟ କରିଛନ୍ତି। ଇଡି ଅଧିକାରୀଙ୍କ କହିବା ଅନୁଯାୟୀ ବିଦେଶୀ ମୁଦ୍ରା ଆଇନର ଉଲ୍ଲଘଂନ ସହ ଜଡ଼ିତ ଏକ ମାମଲାରେ ଯାଞ୍ଚ ଅନୁଯାୟୀ ଅନିଲ ଅମ୍ବାନୀଙ୍କୁ ପଚରାଉଚରା କରାଯାଇଛି।

ଏହା ପୂର୍ବରୁ ୟେସ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ରାଣା କପୂର ଏବଂ  ଅନ୍ୟମାନଙ୍କ ବିରୋଧରେ ମନିଲଣ୍ଡ୍ରିଂ ମାମଲାରେ ମଧ୍ୟ ଅନିଲ ଅମ୍ବାନୀ ଇଡିରେ ହାଜର ହୋଇଥିଲେ। ଇଡି ତାଙ୍କୁ ପ୍ରାୟ ୯ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ। ସେତେବେଳେ କୁହାଯାଇଥିଲା ଯେ, ଅମ୍ବାନୀଙ୍କ ନଅ ଗ୍ରୁପ୍‌ ୟେସ ବ୍ୟାଙ୍କରୁ ପ୍ରାୟ ୧୨,୮୦୦ କୋଟି ଟଙ୍କାର ଋଣ ନେଇଥିଲା। ଏହା ସହ ଜଡ଼ିତ ମାମଲାକୁ ନେଇ ଇଡି ପଚରାଉଚରା କରିଥିଲା।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ସେୟାର ବଜାର; ସୋମବାର ସେନସେକ୍ସ ୬୫ ହଜାର ପାର୍

ଆୟକର ବିଭାଗ ଦ୍ବାରା କଳାଧନ ଅଧିନିୟମ ଅନୁଯାୟୀ ଅନିଲ ଅମ୍ବାନୀଙ୍କୁ କାରଣ ଦର୍ଶାଅ ନୋଟି ପଠାଯାଇଥିଲା। ଏହା ସହ ଜରିମାନା ମଧ୍ୟ ଲଗାଯାଇଥିଲା। ଆୟକର ବିଭାଗ ମଧ୍ୟ ସ୍ବିସ ବ୍ୟାଙ୍କରେ ରଖାଯାଇଥିବା ୮୧୪ କୋଟିର ଅଘୋଷିତ ଧନ ଉପରେ ୪୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିବାକୁ ନେଇ ନୋଟିସ୍‌ ଜାରି କରିଥିଲା। ଅବଶ୍ୟ ଏହା ବିରୋଧରେ ଅନିଲ ଅମ୍ବାନୀ ମୁମ୍ବାଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହି ମାମଲା ଏବେ କୋର୍ଟରେ ରହିଛି।

ସୂଚନାଥାଉକି, ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଅନେକ ସମୟରୁ ଆର୍ଥିକ ସଙ୍କଟ ସହ ଜୁଝୁଛନ୍ତି। ଅନିଲ ଅମ୍ବାନୀଙ୍କ ଅନେକ କମ୍ପାନୀ ବିକ୍ରି ହୋଇଥିବାବେଳେ କିଛି ବିକ୍ରି ପ୍ରକ୍ରିୟାରେ ରହିଛନ୍ତି। ସେହିଭଳି ସେୟାର ବଜାରରେ ତାଲିକାଭୁକ୍ତ ଅନିଲ ଅମ୍ବାନୀଙ୍କ ଅଧିକାଂଶ କମ୍ପାନୀର ସେୟାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିରେ ରିଲାଏନ୍ସ କ୍ୟାପିଟାଲ, ରିଲାଏନ୍ସ ହୋମ ଫାଇନାନ୍ସ, ରିଲାଏନ୍ସ ପାଓ୍ବାର, ରିଲାଏନ୍ସ ଇନଫ୍ରା, ରିଲାଏନ୍ସ ନଭଲ ରହିଛି।

ଆହୁରି ପଢ଼ନ୍ତୁ: Bhart 6G Alliance: 5G ପରେ ଏବେ 6G ପାଇଁ ପ୍ରସ୍ତୁତି, ଅନ୍ୟ ଦେଶ ତୁଳନାରେ ଆଗୁଆ ଆଣିବ ଭାରତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.