ମୁମ୍ୱାଇ: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ସୋମବାର ସନ୍ଧ୍ୟାରେ ନାଗପୁରର ମହଲ ଅଞ୍ଚଳରେ ଔରଙ୍ଗଜେବର କବରକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଦେଖୁ ଦେଖୁ ପରିସ୍ଥିତି ଉଗ୍ର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିବା ସହ ଏବଂ ପୋଡ଼ାଜଳା ଆରମ୍ଭ ହୋଇଗଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ସେଲ୍ ମାଡ଼ କରିଥିଲା । ତେବେ ପୋଡ଼ାଜଳା ଯୋଗୁଁ ଅନେକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।
ସୋମବାର ସନ୍ଧ୍ୟା ୭ଟାରୁ ୭:୩୦ ମଧ୍ୟରେ ଶିବାଜୀ ଚୌକ ନିକଟରେ ଏକ ନିର୍ଦ୍ଦିଷ୍ଟ ସମୁଦ୍ରାୟ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ନାରା ଦେବା ଆରମ୍ଭ କରିଥିଲେ । ଅପରାହ୍ନରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆୟୋଜିତ ଏକ ପ୍ରତିବାଦରରେ ଏମାନେ ଏକାଠି ହୋଇଥିଲେ । ସ୍ଲୋଗାନ ଦେବା ମାତ୍ରେ ସେଠାରେ ଉପସ୍ଥିତ ଅନ୍ୟ ଏକ ଗୋଷ୍ଠୀ ମଧ୍ୟ ସ୍ଲୋଗାନ୍ ଦେବା ଆରମ୍ଭ କରିଥିଲେ । ଏହା ପରେ ଘଟଣାସ୍ଥଳକୁ ପୋଲିସକୁ ଡକାଯାଇଥିଲା ।
ପୋଲିସ ପହଞ୍ଚି ଦୁଇ ଗୋଷ୍ଠୀକୁ ଶିବାଜୀ ଚୌକରୁ ଚିଟ୍ନିସ୍ ପାର୍କ ଆଡ଼କୁ ଘଉଡ଼ାଇଥିଲା । ତେବେ ଏହାପରେ ଭାଲଦାର ପୁରା ଅଞ୍ଚଳରୁ ପୋଲିସ ଉପରକୁ ପ୍ରବଳ ପଥର ମାଡ଼ କରାଯାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବଳ ପ୍ରୟୋଗ କରିଥିଲା କିନ୍ତୁ ଲଗାତାର ପଥର ମାଡ଼ ଯୋଗୁ ପୋଲିସ ଶେଷରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।
ନାଗପୁର ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ନିତିନ ଗଡକରୀ ଏକ୍ସରେ ଲେଖିଛନ୍ତି, “ନାଗପୁର ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ସାରା ଦେଶରେ ପରିଚିତ । ସହରରେ ଜାତି, ଧର୍ମ କିମ୍ବା ଧର୍ମ ଆଧାରରେ କୌଣସି ବିବାଦ କିମ୍ବା ଲଢ଼େଇ ନାହିଁ।”
ଉଲ୍ଲେଖଯୋଗ୍ୟ, ହଙ୍ଗାମା ପରେ ପୋଲିସ ଆସିବା ବୁଝାଇବାକୁ ନେଇ ଉଭୟ ଗୋଷ୍ଠୀ ଉତ୍ତ୍ୟକ୍ତ ହୋଇଥିଲେ । ପଥର ଫିଙ୍ଗିବା ସହ ନିଆଁ ଲଗାଇବା ଆରମ୍ଭ କରିଦେଲେ । ରାସ୍ତାରେ ଛିଡା ହୋଇଥିବା ଅନେକ ଗାଡ଼ି ପୋଡ଼ି ଦିଆଯାଇଥିଲା । ଏପରିକି ଗାଡ଼ିଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ଏହି ହିଂସାରେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଡିସିପି ନାଗପୁର ଅର୍ଚ୍ଚିତ ଚଣ୍ଡକ କହିଛନ୍ତି, "କିଛି ଭୁଲ ବୁଝାମଣା ଯୋଗୁଁ ଏହି ଘଟଣା ଘଟିଛି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ଏଠାରେ ଆମ ଫୋର୍ସ ମଭଜୁତି ସହ ଅଛନ୍ତି । କେହିବି ବାହାରକୁ ନଆସିବା ପାଇଁ ଅନୁରୋଧ କରୁଛି । ଏହା ସହିତ, ଯେଉଁମାନେ ପଥର ଫିଙ୍ଗୁଛନ୍ତି ସେମାନେ ପଥର ଫିଙ୍ଗିବା ବନ୍ଦ କରିଦେବା ଦରକାର । ପଥର ଫିଙ୍ଗା ଚାଲିଥିଲା, ତେଣୁ ଆମେ ବଳ ପ୍ରୟୋଗ କଲୁ ଏବଂ ଲୁହ ବୁହା ଗ୍ୟାସ ମଧ୍ୟ ବ୍ୟବହାର କଲୁ । କିଛି ଗାଡ଼ିରେ ନିଆଁ ଲାଗିଥିଲା, ଆମେ ଆମେ ଦମକଳ ବାହିନୀକୁ ଡାକି ନିଆଁ ଲିଭାଇଥିଲୁ । ପଥର ଫିଙ୍ଗାଳିଙ୍କ ଆକ୍ରମଣରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମୋର ଗୋଡରେ ମଧ୍ୟ ସାମାନ୍ୟ ଆଘାତ ଲାଗିଛି । କିନ୍ତୁ ଆମେ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରୁଛୁ । ଲୋକମାନେ ଗୁଜବ ଉପରେ ଧ୍ୟାନ ନଦିଅନ୍ତୁ । ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ।"