ନୂଆଦିଲ୍ଲୀ ୧୭।୩: ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମାର୍ଚ୍ଚ ୨୯ ତାରିଖରେ ସଂଘଟିତ ହେବ। ଖଗୋଳିୟ ଘଟଣା ଉପରେ ନଜର ରଖୁଥିବା ଲୋକଙ୍କ ପାଇଁ ଏହା ଏକ ରୋମାଞ୍ଚକର ଘଟଣା ହେବ। ତେବେ ଏହା ଏକ ଆଂଶିକ ସୂର୍ଯ୍ୟପରାଗ, ଯେଉଁଥିରେ ଚନ୍ଦ୍ରର ଛାଇ ସୂର୍ଯ୍ୟର ମାତ୍ର କିଛି ଅଂଶକୁ ଢାଙ୍କିବ। ସାରା ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହି ନୈସର୍ଗିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ପରାଗ ଉତ୍ତର ଆମେରିକା, ଏସିଆ, ୟୁରୋପ, ଆଫ୍ରିକା ଓ ଆର୍କଟିକ୍ ର କିଛି ଅଂଶରେ ଦେଖାଯିବ। ତେବେ ଉତ୍ତର ଆମେରିକାରେ ସୂର୍ଯ୍ୟୋଦୟ ସମୟରେ ସ୍ଫଷ୍ଟ ଦେଖାଯିବ।
ଭାରତରେ ଦେଖାଯିବ କି ସୂର୍ଯ୍ୟପରାଗ?
ଦୁର୍ଭାଗ୍ୟର ବିଷୟ ୨୯ ମାର୍ଚ୍ଚ ସୂର୍ଯ୍ୟ ପରାଗକୁ ଭାରତରେ ଦେଖାଯାଇ ପାରିବନି। ଖଗୋଳୀୟ ତଥ୍ୟ ଅନୁସାରେ ଏହି ପରାଗ ଏସିୟା ମହାଦେଶର ଉତ୍ତରଭାଗ, ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଆଟଲାଣ୍ଟିକ୍ ମହାସାଗର ଓ ଆର୍କଟିକ୍ ମହାସାଗରରେ ଦେଖାଯିବ। ଏହି ପରାଗ ଉତ୍ତର ଆମେରିକାରେ ବେଶ ଭଲଭାବେ ଦେଖାଯିବ, କାରଣ ସୂର୍ଯ୍ୟୋଦୟ ସହିତ ପରାଗ ଲାଗିବ। ଏଣୁ ଉଦୟ ସୂର୍ଯ୍ୟରେ ପରାଗର ଛାଇକୁ ସ୍ପଷ୍ଟ ଦେଖି ହେବ।
କେଉଁ ସବୁ ସହରରେ ଦେଖାଯିବ ପ୍ରକୃତିର ଏହି ନୈସର୍ଗିକ ଦୃଶ୍ୟ
ଯଦି ଆପଣ ନିମ୍ନଲିଖିତ ଯେ କୌଣସି ସହରରେ ରହୁଥାନ୍ତି ତେବେ ଆପଣ ୨୯ ମାର୍ଚ୍ଚ ୨୦୨୫ରେ ହେବାକୁ ଥିବା ଆଂଶିକ ସୂର୍ଯ୍ୟପରାଗକୁ ଦେଖି ପାରିବେ। ଏଥିରେ ଉତ୍ତର ଆମେରିକାର ନ୍ୟୁୟର୍କ ସହର ଓ ପ୍ରେସ୍କଆଇଲରେ ଏହି ପରାଗ ଦେଖାଯିବାକୁ ଥିବା ବେଳେ କାନାଡାର ମଣ୍ଟ୍ରିଲ, ହେଲିଫେକ୍ସ, ସେଣ୍ଟ ଜୋନ୍ସ. କୁଜ୍ଜୁଆକ, ୟୁରୋପରେ ବ୍ରିଟେନର ଲଣ୍ଡନ, ଫ୍ରାନ୍ସର ପ୍ୟାରିସ୍, ସ୍ପେନର ମାଦ୍ରିଦ, ଜର୍ମାନର ବର୍ଲିନ, ବେଲଜିୟମର ବ୍ରୁସେଲସ୍, ନେଦରଲ୍ୟାଣ୍ଡର ଆମଷ୍ଟରଡମ, ଆର୍ୟଲ୍ୟାଣ୍ଡର ଡବଲିନ, ଆଇସ୍ ଲ୍ୟାଣ୍ଡର ରେକଜାଭିକ, ନର୍ୱେର ଓସ୍ଲୋ, ସ୍ୱିଡନର ଷ୍ଟକହୋମ, ଫିନଲ୍ୟାଣ୍ଡର ହେଲସିଙ୍କିରେ ଦେଖାଯିବ।
ସେହିପରି ଆଫ୍ରିକାରେ ମରକ୍କୋର କ୍ୟାସାବ୍ଲାଙ୍କା, ଗ୍ରୀନଲ୍ୟାଣ୍ଡର ନୁଉକ, ଫରୋ ଆଇଲ୍ୟାଣ୍ଡର ଟର୍ସନୱନ, ନରୱେର ଲଙ୍ଗଇୟରବ୍ୟନ ଓ ଋଷିଆର ବେଲୁସ୍ୟାଗୁବାରେ ଦେଖାଯିବ।
କାହିଁକି କୁହାଯାଉଛି ଆଂଶିକ ସୂର୍ଯ୍ୟପରାଗ?
ସୂର୍ଯ୍ୟପରାଗ ସେତେବେଳେ ହୋଇଥାଏ ଯେତେବେଳେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟ ଦେଇ ଗତି କରେ। ଯଦି ଚନ୍ଦ୍ରର ଛାଇ ସୂର୍ଯ୍ୟଙ୍କୁ ପୁରା ଘୋଡାଇ ଦିଏ ତେବେ ଏହାକୁ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ କୁହାଯାଏ। ଏଥିରେ ଯଦି ସୂର୍ଯ୍ୟର ଗୋଟିଏ ଅଂଶ ଅସ୍ପଷ୍ଟ ଦେଖାଯାଏ ତେବେ ଏହାକୁ ଆଂଶିକ ସୂର୍ଯ୍ୟ ପରାଗ ବୋଲି କୁହାଯାଏ।
ସୂର୍ଯ୍ୟପରାଗ ୨୦୨୫ର ତିଥି, ସମୟ ଓ ଅବଧି
ଭାରତୀୟ ସମୟ (ଆଇଏସଟି) ଅନୁସାରେ ସୂର୍ଯ୍ୟ ପରାଗ ମାର୍ଚ୍ଚ ୨୯ ତାରିଖ ଅପରାହ୍ନ ୨ଟା ୨୦ ମିନିଟ୍ ରେ ଆରମ୍ଭ ହେବ। ଅପରାହ୍ନ ୪ଟା ୧୭ ମିନିଟରେ ପରାଗ ମଝାମଝି ଅବସ୍ଥାରେ ଥିବ। ସନ୍ଧ୍ୟା ୬ଟା ୧୩ ମିନିଟ୍ ବେଳକୁ ପରାଗ ମୋକ୍ଷ ହେବ। ଏଣୁ ଏହି ଆଂଶିକ ସୂର୍ଯ୍ୟ ପରାଗ ପାଖାପାଖି ୪ ଘଣ୍ଟା ଧରି ଲାଗି ରହିବ।