ନୂଆଦିଲ୍ଲୀ: ଅଡ଼ୁଆରେ ଫସିଲେ ସୋସିଆଲ ମିଡିଆ ଇନପ୍ଲୁଏନ୍ସର ଏବଂ ବଲିଉଡ୍ ସେଲିବ୍ରିଟି ଓରହାନ ଅବତ୍ରାମଣୀ ଓରଫ୍ ଓରୀ। ତାଙ୍କ ବିରୋଧରେ ମାମଲା ରୁଜୁ କରିଛି କଟରା ପୋଲିସ। କେବଳ ଓରୀ ନୁହେଁ ତାଙ୍କ ସହ ମୋଟ ୮ ଜଣକ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି ସେମାନେ କଟରାରେ ଏକ ହୋଟେଲରେ ମଦ୍ୟପାନ କରିଛନ୍ତି। ଆଉ ଏଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ମାମଲାରେ ଯାଞ୍ଚ ଜାରି ରଖିଛି। ସୂଚନା ଅନୁଯାୟୀ ଏମାନେ ସମସ୍ତେ ହୋଟେଲ କଟରା ମ୍ୟାରିୟଟ ରିସର୍ଟ ଆଣ୍ଡ୍ ସ୍ପାରେ ରହିଥିଲେ।
ସୂଚନାଥାଉକି, କଟରାରୁ ହିଁ ମାତା ବୈଷ୍ଣୋ ଦେବୀ ମନ୍ଦିର ପାଇଁ ଯାତ୍ରା ଆରମ୍ଭ ହୋଇଥାଏ। ତେଣୁ ଏହି ସ୍ଥାନ ଧାର୍ମିକ ଦୃଷ୍ଟିକୋଣରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ହେଲେ ଏଠାରେ ମଦ୍ୟପାନ କରି ସେମାନେ ଏହି ସ୍ଥାନର ପବିତ୍ରତା ତଥା ଧାର୍ମିକ ପରିବେଶକୁ ଭଙ୍ଗ କରିଛନ୍ତି। ତେବେ ମାମଲା ରୁଜୁ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଜଣେ ରୁଷୟୀ ନାଗରିକ ରହିଛନ୍ତି। ତାଙ୍କ ନାଁ ଆନାସ୍ତାସିଲା ଅରଜାମାସକିନା। ସେହିଭଳି ଓରୀଙ୍କ ଅନ୍ୟ ସାଥୀ ଦର୍ଶନ ସିଂହ, ପାର୍ଥ ରାଇନା, ରିତିକ ସିଂହ, ରାଶି ଦତ୍ତା, ରକ୍ଷିତା ଭୋଗଲ, ସଗୁନ କୋହଲିଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ମାର୍ଚ୍ଚ ୧୫ରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋରେ ଓରୀ ହୋଟେଲରେ କିଛି ବନ୍ଧୁଙ୍କ ସହ ପାର୍ଟି କରୁଥିବାର ନଜର ଆସିଥିଲେ। ଫଟୋରେ ଟେବୁଲ ଉପରେ ମଦ ବୋତଲ ରଖାଯାଇଥିବାର ନଜର ଆସିଥିଲା। ଏହି ଫଟୋ ଭାଇରାଲ ହେବା ପରେ ବିବାଦ ବଢ଼ିଥିଲା। ଅଭିଯୋଗ ହୋଇଥିଲା ସେମାନେ ଜିଲ୍ଲା ଜଜ୍ଙ୍କ ଆଦେଶକୁ ଅବମାନନା କରିବା ସହ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଛନ୍ତି। କାରଣ ଏହି ପବିତ୍ର ସ୍ଥାନରେ ମଦ୍ୟପାନ କରିବା ତଥା ଆମିଷ ଖାଇବା ଉପରେ ପ୍ରତିବନ୍ଧକ ରହିଛି।
ଅଭିଯୋଗ ପରେ ରିୟାସୀ ଏସଏସପି ପରମବୀର ସିଂହ କହିଛନ୍ତି, ଏଠାରେ ଧାର୍ମିକ ପରିବେଶକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କ ଉପରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ବିଶେଷ କରି ଧାର୍ମିକ ସ୍ଥାନରେ ମଦ କିମ୍ବା ନିଶା ଦ୍ରବ୍ୟର ସେବନ ଭଳି କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ସେହିପରି ରିୟାସୀ ପୋଲିସର ସୂଚନା ଅନୁସାରେ, ମାମଲାର ଯାଞ୍ଚ ପାଇଁ କଟରା ଏସପି, ଅତିରିକ୍ତ ଏସପି ଏବଂ କଟରା ଏସଏଏଚଓଙ୍କ ତତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ନୋଟିସ କରାଯାଇଛି ଏବଂ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି।
ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ମଧ୍ୟ ଜୋର୍ ଧରିଛି। ଜମ୍ମୁ- କାଶ୍ମୀର ବିରୋଧୀ ନେତା ସୁନୀଲ ଶର୍ମାଙ୍କ ସମେତ ଅନେକ ରାଜନେତା ଏହାକୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି ବଲିଉଡରେ ଜଣେ ଜଣାଶୁଣା ବ୍ୟକ୍ତି ଏଭଳି କାମ କରିବା ଗ୍ରହଣୀୟ ନୁହେଁ। ଏହା ସହ ସେ ଘଟଣାରେ ସଂପୃକ୍ତ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ କରିଛନ୍ତି।