ନୂଆଦିଲ୍ଲୀ: ତେଲଙ୍ଗାନା ସରକାର ଓବିସି ବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷା, ଚାକିରି, ନିଯୁକ୍ତି ଏବଂ ରାଜନୈତିକ ପ୍ରତିନିଧିତ୍ୱରେ ଓବିସିଙ୍କୁ ୪୨ ପ୍ରତିଶତ ସଂରକ୍ଷଣ ଦିଆଯିବ । ଓବିସିଙ୍କ ପାଇଁ ଥିବା ୨୩ ପ୍ରତିଶତ ସଂରକ୍ଷଣକୁ ବଢାଇ ୪୨ ପ୍ରତିଶତ କରିବା ଲାଗି ଏକ ବିଲ୍ ରାଜ୍ୟ ବିଧାନସଭାରେ ସୋମବାର ପାରିତ ହୋଇଛି ।
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ତେଲଙ୍ଗାନା ବିଧାନସଭାର ନେତା ଏବଂ ମୁଖ୍ୟମନ୍ତ୍ରୀ ଭାବରେ ବୈଜ୍ଞାନିକ ପଦ୍ଧତିକୁ ଆଧାର କରି ମୁଁ ଘୋଷଣା କରୁଛି ଯେ ତେଲଙ୍ଗାନାରେ ଓବିସି ଜନସଂଖ୍ୟା ୫୬.୩୬ ପ୍ରତିଶତ । ଆମେ ଏବେ ଶିକ୍ଷା, ଚାକିରି, ନିଯୁକ୍ତି ଏବଂ ରାଜନୈତିକ ପ୍ରତିନିଧିତ୍ୱରେ ଓବିସି ବର୍ଗଙ୍କ ୪୨ ପ୍ରତିଶତ ସଂରକ୍ଷଣ ସ୍ଥିର କରିବାକୁ ସଂକଳ୍ପ ନେଉଛୁ ।
ସେ ଲେଖିଛନ୍ତି, ଭାରତରେ ସାମାଜିକ କ୍ରାନ୍ତିର ନେତୃତ୍ୱ କରିଥିବାରୁ ତେଲଙ୍ଗାନା ଗର୍ବିତ । ଭାରତର ସ୍ୱାଧୀନତା ପରେ ପଛୁଆ ବର୍ଗଙ୍କ ଦୀର୍ଘ ସମୟ ଯାଏର ଦାବି, ପଛୁଆ ଜାତିରୁ ଆସୁଥିବା ଆଣ ଭାଇ ଓ ଭଉଣୀଙ୍କ ସରକାରୀ ଜଣଗଣନାରେ ଗଣତି ଓ ମାନ୍ୟତାର ଇଚ୍ଛା ଶେଷରେ ପୂରଣ ହୋଇଛି ।
Telangana is proud to lead the social revolution in #India
— Revanth Reddy (@revanth_anumula) March 17, 2025
It is my honour to announce the longest pending demand of the subaltern groups since Indian Independence, the yearning of our brothers & sisters belonging to the Backward Castes, on being counted & recognised in an…
ଏହା ପୂର୍ବରୁ ସିଏମ୍ ରେଭନ୍ତ ରେଡ୍ଡୀ ବିଧାନସଭାରେ କହିଥିଲେ ଯେ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଓବିସି ସଂରକ୍ଷଣକୁ ୪୨ ପ୍ରତିଶତ କରାଯିବ । କ୍ଷମତାକୁ ଆସିବା ପରେ ସରକାରୀ ସ୍ତରରେ ୨୦୨୪ ଫେବ୍ରୁଆରୀ ୪ରୁ ଜାତି ଜନଗଣନା ଆରମ୍ଭ କରାଯାଇଥିଲା । ପୂର୍ବ ସରକାର ଓବିସି ସଂରକ୍ଷଣକୁ ୩୭ ପ୍ରତିଶତ ଯାଏ ବଢାଇବା ଲାଗି ରାଜ୍ୟପାଳଙ୍କୁ ପ୍ରସ୍ତାବ ପଠାଇଥିଲା । ଆମ ସରକାର ପୂର୍ବ ପ୍ରସ୍ତାବକୁ ଫେରାଇ ଆଣିଛନ୍ତି ।
ତେଲଙ୍ଗାନା ସିଏମ୍ କହିଛନ୍ତି ଯେ ଆମ ସରକାର ଶିକ୍ଷା, ରୋଜଗାର ଓ ରାଜନୀତିରେ ଓବିସିଙ୍କ ପାଇଁ ୪୨ ପ୍ରତିଶତ ସଂରକ୍ଷଣର ନୂଆ ପ୍ରସ୍ତାବ ପଠାଇବ । ଗୃହର ନେତା ଭାବେ ମୁଁ ଭରସା ଦେଉଛି ଯେ ସକ୍ରିୟ ପଦକ୍ଷେପ ନିଆଯିବ ଓ ୪୨ ପ୍ରତିଶତ ଓବିସି ସଂରକ୍ଷଣ ହାସଲ କରିବୁ । ସେହିପରି ପାରିତ ବିଲ୍ ଅନୁସାରେ ଅନୁସୂଚିତ ଜାତିକୁ ୩ଟି ଗ୍ରୁପରେ ବିଭକ୍ତ କରାଯିବ ଏବଂ ୧୫ ପ୍ରତିଶତ ସଂରକ୍ଷଣ ମିଳିବ ।
ଉଲ୍ଲେଖଯୋଗ୍ୟ ଯେ ଯଦି ଏହା ଲାଗୁ ହୋଇଯାଏ, ତେବେ ରାଜ୍ୟରେ ସଂରକ୍ଷଣ ସୀମା ୬୨ ପ୍ରତିଶତ ହୋଇଯିବ । ଯାହା ସୁପ୍ରିମକୋର୍ଟ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୫୦ ପ୍ରତିଶତ ସଂରକ୍ଷଣ ସୀମାର ଉଲ୍ଲଂଘନ କରିବ ।