ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ, ୨୮ ଲକ୍ଷ ଦୀପରେ ଆଲୋକିତ ହେଲା ରାମ ନଗରୀ; ଦୁଇଟି ଗିନିଜ୍ ୱାର୍ଲଡ ରେକର୍ଡ

Published By : Prameya-News7 Bureau | October 30, 2024 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ବୁଧବାର ଭବ୍ୟ ଏବଂ ଦିବ୍ୟ ଦୀପୋତ୍ସବ ଆୟୋଜନ କରାଯାଇଛି । ଏହି ଅବସରରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ପ୍ରଜ୍ୱଳନ କରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରାଯାଇଛି । ଏହାସହ ବ୍ୟତୀତ ୧୧୨୧ ଜଣ ଏକାସଙ୍ଗରେ ସରଯୂ ନଦୀ କୂଳରେ ଆଳତୀ କରି ଦ୍ୱିତୀୟ ରେକର୍ଡ କରିଛନ୍ତି । ଦୀପୋତ୍ସବ ପାଇଁ ସଂଧ୍ୟା ୬ଟା ୫ ମିନିଟରେ ଦୀପ ପ୍ରଜ୍ୱଳନ ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା । ମଞ୍ଚରୁ ଆଦେଶ ମିଳିବା ପରେ ସ୍ୱେଚ୍ଛାସେବୀମାନେ ନିର୍ଦ୍ଧାରିତ ୨୫ ମିନିଟରେ ସମାନାନ୍ତରଳରେ ୨୮ ଲକ୍ଷ ଦୀପ ପ୍ରଜ୍ୱଳନ କରିଥିଲେ । ଏହାପରେ ଗିନିଜ ବୁକ୍ ଅଫ୍ ରେକର୍ଡ୍ସ ପକ୍ଷରୁ ଦୀପ ଗଣତି କରାଯାଇଥିଲା । ଘାଟ ସଂଖ୍ୟା ୧ରୁ ୫୫ ଯାଏ ପ୍ରଜ୍ୱଳନ କରାଯାଇଥିବା ଦୀପ ସଂଖ୍ୟା ଡ୍ରୋନରୁ ୨୮ ଲକ୍ଷରୁ ଅଧିକ ଥିବା ଗଣତି କରାଯାଇଥିଲା । ଗିନିଜ୍ ବୁକ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୱାର୍ଲଡ ରେକର୍ଡ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ।

ଗିନିଜ୍ ବୁକ୍ ଅଧିକାରୀ କହିଛନ୍ତି ଯେ ଅଯୋଧ୍ୟା ଆସି ଆମେ ଖୁସି ଅନୁଭବ କରୁଛୁ । ପ୍ରଥମ ରେକର୍ଡ ସରଯୂ ନଦୀ କୂଳରେ ଆଳତିରେ ଏକାସଙ୍ଗରେ ସବୁଠୁ ଅଧିକ ଲୋକଙ୍କ ଅଂଶ ଗ୍ରହଣ । ସରଯୂ ନଦୀ କୂଳରେ ହୋଇଥିବା ଆଳତିରେ ୧ ହଜାର ୧୨୧ ଜଣ ଏକାସଙ୍ଗରେ ସାମିଲ ହୋଇଥିଲେ । ଦୀପୋତ୍ସବ ନାଁରେ ୨୨ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନର ରେକର୍ଡ ଥିଲା, କିନ୍ତୁ ଚଳିତ ଥର ଏହାକୁ ଭାଙ୍ଗି ୨୫ ଲକ୍ଷ ଦୀପ ପ୍ରଜ୍ୱଳନ କରାଯାଇଛି ।

ସରଯୂ ନଦୀ କୂଳରେ ଗତ ଅନେକ ବର୍ଷ ଧରି ଦୀପତ୍ସୋବ ଆୟୋଜନ କରାଯାଉଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହିଥିଲେ । ଚଳିତ ଥର ମଧ୍ୟ ଯୋଗୀ ଆଦିତ୍ୟନାଥ ଭଗବାନ ରାମଙ୍କ ସ୍ୱାଗତ କରିବା ସହ ରଥକୁ ମଧ୍ୟ ଟାଣିଥିଲେ । ଚଳିତ ବର୍ଷ ଦୀପତ୍ସୋବର ବିଶେଷ ଆକର୍ଷଣ ଲେଜର ଶୋ', ଡ୍ରୋନ୍ ଶୋ' ରହିଛି । ଧର୍ମ ପଥରେ ଥିମେଟିକ୍ ଗେଟ୍ସରେ ଚଳଚିତ୍ର ରାମାୟଣ ଲୋକଙ୍କ ଆକର୍ଷିତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.