ବେଙ୍ଗାଲୁରୁ ୩୦।୧୦: ବ୍ରିଟେନର ରାଜା ଚାର୍ଲସ୍ ତୃତୀୟ ଓ ରାଣୀ କ୍ୟାମିଲା ଚଳିତମାସରେ ବେଙ୍ଗାଲୁରର ଏକ ୱିଲନେସ୍ ରିଟ୍ରିଟ୍ ପରିଦର୍ଶନ କରିଛନ୍ତି। ବ୍ରିଟେନ ରାଜଗାଦିରେ ବସିବା ପରେ କିଙ୍ଗ ଚାର୍ଲସ ତୃତୀୟଙ୍କ ଏହା ପ୍ରଥମ ଅନଧିକାରୀକ ଭାରତ ଗସ୍ତ କାର୍ଯ୍ୟକ୍ରମ ଥିଲା। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଚାର୍ଲସ୍ ତୃତୀୟ ଓ ରାଣୀ କ୍ୟାମିଲା ଅକ୍ଟୋବର ୨୭ରେ ବେଙ୍ଗାଲରୁର ସହର ଉପାନ୍ତରେ ଥିବା ସୌକ୍ୟ ଇଣ୍ଟରନ୍ୟାସନାଲ ହୋଲିଷ୍ଟିକ ହେଲଥ୍ ସେଣ୍ଟର (ଏସଆଇଏଚଏଚସି) ୪ ଦିନ ବିତାଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଗସ୍ତ ନିମନ୍ତେ ସମୋଆରେ ଅନୁଷ୍ଠିତ ହୋଇଥିବା କମନୱେଲଥ୍ ରାଷ୍ଟ୍ରମୁଖ୍ୟଙ୍କ ବୈଠକରୁ ସେମାନେ ସିଧା ବେଙ୍ଗାଲୁରୁ ଆସିଥିଲେ। ରାଜା ଓ ରାଣୀ ସେମାନଙ୍କ ଚିକିତ୍ସା ପରେ ୩୦ ଅକ୍ଟୋବର ବୁଧବାର ବ୍ରିଟେନ ଫେରିଯାଇଛନ୍ତି। ଯେହେତୁ ଏହା ସେମାନଙ୍କ ବ୍ୟକ୍ତିଗତ ଯାତ୍ରା ଥିଲା ତେଣୁ ବେଙ୍ଗାଲୁରୁ ପ୍ରବାସ କାଳରେ କୌଣସି ସାର୍ବଜନିକ କାର୍ଯ୍ୟକଳାପରେ ନିଜକୁ ଜଡିତ କରିନଥିଲେ। କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ଚାର୍ଲସ ତୃତୀୟଙ୍କ ଏହା ପ୍ରଥ ଅନ୍ତର୍ଜାତୀୟ ଗସ୍ତ କାର୍ଯ୍ୟକ୍ରମ ଥିଲା।
ସୂତ୍ର ଅନୁସାରେ ଦମ୍ପତ୍ତିଙ୍କ ସୂର୍ଯ୍ୟୋଦୟ ଯୋଗ ସହିତ ଆରମ୍ଭ ହେଉଥିଲା। ଏହା ପରେ ସକାଳର ଜଳଖିଆ ଓ ପରେ ମଧ୍ୟାହ୍ନ ଭୋଜନ ପୂର୍ବରୁ କାୟାକଳ୍ପ ଉପଚାର ହେଉଥିଲା। ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ ଚିକିତ୍ସାର ପରବର୍ତ୍ତି ପର୍ବ ଆରମ୍ଭ ହେଉଥିଲା, ଯାହା ଧ୍ୟାନ ଅଧିବେସନ ସହିତ ସମାପ୍ତ ହେଉଥିଲା। ଏହା ପରେ ରାତ୍ର ଭୋଜନ ଓ ରାତି ୯ଟାରେ ଲାଇଟ୍ ବନ୍ଦ ହୋଇଯାଉଥିଲା। ଯଦିଓ ରାଜା ଭାବେ ଚାର୍ଲସଙ୍କ ଏହା ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ତେବେ ଗତ ଏକ ଦଶନ୍ଧୀରେ ସେ ଏହି ୱିଲନେସ ସେଣ୍ଟରକୁ ୯ ବାର ଗସ୍ତ କରିସାରିଛନ୍ତି। ଏଥିରେ ଚାର୍ଲସ ୩ ଥର ଏଠାରେ ଦୀପାବଳି ପାଳନ କରିଛନ୍ତି।
୨୦୧୯ ଗସ୍ତ କାଳରେ ଦମ୍ପତ୍ତି ଏସଆଇଏଚଏଚସିରେ ତତ୍କାଳୀନ ପ୍ରିନ୍ସ ଚାର୍ଲସଙ୍କ ୭୧ତମ ଜନ୍ମୋତ୍ସବ ପାଳନ କରିଥିଲେ। ଏସଆଇଏଚଏଚସିକୁ ବିଶ୍ୱର ପ୍ରଥମ ଏକିକୃତ ସ୍ୱାସ୍ଥ୍ୟ ଗନ୍ତବ୍ୟ କୁହାଯାଏ, ଯେଉଁଠାକୁ ବିଶ୍ୱର ନାମୀଦାମୀ ବ୍ୟକ୍ତି ଆସିଥାନ୍ତି। ଏମାନଙ୍କ ମଧ୍ୟରେ ପ୍ରଶିଦ୍ଧ ନୃତ୍ୟାଙ୍ଗନା ମଲ୍ଲିକା ସରାଭାଇ, ନୋବେଲ ବିଜେତା ଆର୍କବିଶପ ଡେସମଣ୍ଡ ଟୁଡୁ, ଅସ୍କାର ବିଜେତା ହଲିଉଡ ଅଭିନେତ୍ରୀ ଏମ୍ମା ଥମ୍ପସନ ଓ ମଧ୍ୟପୂର୍ବ ୟୁରୋପର ଅନେକ ରାଜପରିବାର ଏଠାକୁ ଆସି ଚିକିତ୍ସିତ ହୋଇଛନ୍ତି।