ଚେନ୍ନାଇ ରେଳ ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ; ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି ହେବ ଖୋଳତାଡ଼

Published By : Prameya-News7 Bureau | October 12, 2024 IST

ଚେନ୍ନାଇତାମିଲନାଡୁର କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ବଡ଼ ରେଳ ଦୁର୍ଘଟଣା ଘଟିଛି । ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ବାଗମତି ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଛି । ଏଥିରେ ଦୁଇଟି ବଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ୧୯ଜଣ ଆହତ ହୋଇଛନ୍ତି । ଏହି ଭୀଷଣ ଟ୍ରେନ ଦୁର୍ଘଟଣାର ହେବ ଇଚ୍ଚସ୍ତରୀୟ ତଦନ୍ତ । ରେଳବାଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ମେନ୍ ଲାଇନ ବଦଳରେ ଲୁପ୍ ଲାଇନକୁ କିପରି ଗଲା ବାଗମତୀ ଏକ୍ସପ୍ରେସ ? ଲୁପ୍ ଲାଇନରେ ଏକ ମାଲବାହୀ ଗାଡ଼ି ଛିଡ଼ାହୋଇଥିବା ବେଳେ ସିଗନାଲ୍ କିପରି ମିଳିଲା ? ଏହା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି ? ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଚେନ୍ନାଇ ରେଳ ଡିଭିଜନର ଜଣେ ଅଧିକାରୀ ।   

ଅକ୍ଟୋବର ୧୧ ତାରିଖରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ସମୟ ହେବ । ଚେନ୍ନାଇ ରେଳ ଡିଭିଜନର ତିରୁଭଲ୍ଲୁର ଜିଲ୍ଲାରୁ ଟ୍ରେନ୍ ଦୁର୍ଘଟଣାର ଖବର ଆସିଥିଲା । କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ମହୀଶୂରରୁ ବିହାର ଦରଭଙ୍ଗା ଯାଉଥିବା ବାଗମତୀ ଏକ୍ସପ୍ରେସ । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯାତ୍ରୀବାହୀ ଟ୍ରେନର ୧୨ଟି ବଗି ଦିଆସିଲି ଖୋଳ ପରି ଖେଳେଇ ହୋଇପଡ଼ିଥିଲେ । ଦୁର୍ଘଟଣା ପରେ ବାଗମତୀ ଏକ୍ସପ୍ରେସର ୨ଟି ଡବା ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଏଥିରେ ୧୯ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଆଈଷିୟୁରେ ଭର୍ତ୍ତି କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.