ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକୀୟ ଦେଶ ଇକ୍ୱେଟୋରିୟଲ ଗିନିରେ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି । ଦେଶର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପ୍ରାୟ ୪୦୦ ସେକ୍ସ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଅଧିକାରୀ ଜଣକ ଭିନ୍ନ-ଭିନ୍ନ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିବା ଦେଖିବାକୁ ମିଳୁଛି । ଭିଡିଓ ସବୁ ସାମନାକୁ ଆସିବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଅଧିକାରୀ ଜଣକ ନାଁ ଇବାଙ୍ଗ ଇଙ୍ଗୋଗା ଏବଂ ସେ ଦେଶର ନ୍ୟାସନାଲ୍ ଫାଇନାନ୍ସିଆଲ୍ ଇନଭେଷ୍ଟିଗେସନ୍ ଏଜେନ୍ସିର ନିର୍ଦ୍ଦେଶକ ଅଛନ୍ତି । ଭିଡିଓ ଭାଇରାଲ ହେବା ପରେ ଅଧିକାରୀଙ୍କୁ ଗିରଫ କରାଯାଇଛି ।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଇବାଙ୍ଗ ଯେଉଁ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଛନ୍ତି, ସେମାନଙ୍କ ମଧ୍ୟରେ ରାଷ୍ଟ୍ରପତିଙ୍କ ଭଉଣୀ ଏବଂ ସମ୍ପର୍କୀୟ ଅଛନ୍ତି । ୨୦ରୁ ଅଧିକ ମନ୍ତ୍ରୀଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟ ସାମିଲ ଅଛନ୍ତି । କଥିତ ରୂପେ ଇବାଙ୍ଗ ନିଜ ଭାଇଙ୍କ ସ୍ତ୍ରୀ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ପତ୍ନୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ଏହା ବ୍ୟତୀତ ଅନେକ ବରିଷ୍ଠ ଅଧିକାରୀଙ୍କ ପତ୍ନୀଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି । ଆଉ ଏକ ବଡ଼ କଥା ହେଉଛି ଅଧିକାଂଶ ଭିଡିଓ ଅର୍ଥ ମନ୍ତ୍ରଣାଳୟର ଅଫିସରେ ରେକର୍ଡ କରାଯାଇଛି, ଯେଉଁଥିରେ ଇବାଙ୍ଗଙ୍କ କାର୍ଯ୍ୟାଳୟ ରହିଛି । ଉଲ୍ଲେଖଯୋଗ୍ୟ ଯେ ଇବାଙ୍ଗ ନିଜେ ବିବାହିତ ।
ସେକ୍ସ ସ୍କାଣ୍ଡାଲ୍ ଭିଡିଓ ଭାଇରାଲ୍ ହେବା ପରେ ସେଠାକାର ସରକାର ଦୋହଳି ଯାଇଛି । ଦେଶର ଉପରାଷ୍ଟ୍ରପତି ଟେଓଡୋରୋ ଏକ୍ସରେ ଘୋଷଣା କରିଛନ୍ତି ଯେ ସରକାର ମନ୍ତ୍ରଣାଳୟ ଅଧିନରେ ଆସୁଥିବା କାର୍ଯ୍ୟାଳୟରେ ଯୌନ ସମ୍ପର୍କ ରଖୁଥିବା ସମସ୍ତ ଅଧିକାରୀଙ୍କୁ ତତ୍କାଳ ନିଲମ୍ୱନ କରୁଛନ୍ତି, କାରଣ ଏହା ଆଚାର ସଂହିତା ଏବଂ ସାର୍ବଜନୀନ ନୀତିଗତ ଆଇନର ଘୋଇର ଉଲ୍ଲଂଘନ ଅଟେ ।
ତେବେ ଏହି ଦେଶରେ ସିଭିଲ୍ ସେବକଙ୍କ ସହ ଜଡ଼ିତ ସେକ୍ସ ଟ୍ୟାପ୍ ସୋସିଆଲ୍ ମିଡିଆରେ ଲିକ୍ ହେବା ପ୍ରଥମ ଘଟଣା ନୁହେଁ । କିନ୍ତୁ ଏହି ଘଟଣାରେ ସରକାରୀ ତନ୍ତ୍ର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ନେତାଙ୍କ ଇଜ୍ଜତହାନୀ ଯୋଗୁଁ ଏହି ମାମଲା ଅଧିକ ବଡ଼ ହୋଇଛି । ଗତ ସପ୍ତାହରେ ଉପରାଷ୍ଟ୍ରପତି ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଅଶ୍ଲୀଳ ଭିଡିଓର ପ୍ରସାର ଉପରେ ରୋକ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।