ଢାକା ୨୮।୨: ଗତବର୍ଷ ଅଗଷ୍ଟରେ ସଂରକ୍ଷଣକୁ ବିରୋଧ କରି ବାଂଲାଦେଶରେ ଛାତ୍ରବିପ୍ଲବ ଦେଖା ଦେଇଥିଲା। ଏହି ବିପ୍ଲବ ଶେଖ ହସିନାଙ୍କ ସରକାର ଭାଙ୍ଗିବା ସହ ସମାପ୍ତ ହୋଇଥିବା ବେଳେ ଦେଶ ଏବେ ଅନ୍ତରୀଣ ସରକାର ହାତରେ ଚାଲିଛି। ଆଶା କରାଯାଉଥିଲା ଏହି ସମୟରେ ଗଣତାନ୍ତ୍ରିକ ନିର୍ବାଚନ ହେବ ଓ ଦେଶର ଶାସନଭାର ନୂଆ ସରକାରଙ୍କ ହାତକୁ ଯିବ। ହେଲେ ଏପରି କିଛି ହୋଇ ନଥିବା ବେଳେ ଦେଶରେ ସରକାର ଭାଙ୍ଗିଥିବା ଛାତ୍ର ସଙ୍ଗଠନ ଏବେ ରାଜନୈତିକ ଦଳ ଗଢିସାରିଲେଣି।
ଷ୍ଟୁଡେଣ୍ଟସ୍ ଏଗନେଷ୍ଟ ଡିସ୍କ୍ରିମିନେସନ (ଏସଏଡି) ସେହି ଛାତ୍ର ସଙ୍ଗଠନ ଯିଏ ଦେଶର ରାଜନୈତିକ ପରିବର୍ତ୍ତନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ନାହିଦ ଇସ୍ଲାମ ଏହି ସଙ୍ଗଠନର ମୁଖ୍ୟ ଥିଲେ। ଦେଶର ଅନ୍ତରୀଣ ସରକାରରେ ସେ ଅଂଶ ହୋଇଯାଇଥିଲେ। ନିକଟରେ ସେ ସରକାରରୁ ଇସ୍ତଫା ଦେଇଛନ୍ତି ଓ ନୂଆ ରାଜନୈତିକ ଦଳ ଜାତୀୟ ନାଗରିକ ପାର୍ଟି (ଏନସିପି) ଗଠନର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଢାକାକୁ ରାଜନୈତିକ ଓ ଆର୍ଥିକ ସଂକଟରୁ ମୁକାଳିବା ଏହି ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ।
ଦେଶରୁ ପଳାୟନ ଯୋଗୁ ହସିନାଙ୍କ ପାର୍ଟି ଏବେ ଦୁର୍ବଳ ହୋଇପଡିଛି। ପାର୍ଟିର ଅନେକ ନେତା ଦେଶ ଛାଡି ପଳାୟନ କରିଛନ୍ତି। କିଛି ନେତାଙ୍କୁ ଜେଲରେ ବନ୍ଦୀ କରାଯାଇଛି। ଅନ୍ୟପଟେ ଦେଶର ପ୍ରମୁଖ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ମଧ୍ୟ ଦୁର୍ବଳ ହୋଇପଡିଛି। ବିଏନପି ନେତ୍ରୀ ଖାଲିଦା ଜିୟା ଚିକିତ୍ସା ପାଇଁ ଲଣ୍ଡନ ଚାଲିଯାଇଛନ୍ତି। ଏହାକୁ ଏକପ୍ରକାରର ନିର୍ବାଚନ ମନେ କରାଯାଉଛି। ଏଥି ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ନେଇ ଚର୍ଚ୍ଚା ହେଉଛି। ଦେଶରେ ଟାଣୁଆ ରାଜନୈତିକ ଦଳଙ୍କ ଅନୁପସ୍ଥିତିରେ ଛାତ୍ରସଙ୍ଗଠନଙ୍କ ଏନସିପି ନିର୍ବାଚନ ଲଢି ଦେଶର ଶାସନ ହାତକୁ ନେଇ ପାରେ ବୋଲି ଏବେ ଅନୁମାନ କରାଯାଉଛି।