ଏସିଆ କପ୍ ୨୦୨୩: ପିସିବି ନିମନ୍ତ୍ରଣ ସ୍ୱୀକାର କଲା ବିସିସିଆଇ, ରୋଜର ବିନ୍ନି ଓ ରାଜୀବ ଶୁକ୍ଳା ଯିବେ ପାକିସ୍ତାନ

Published By : Prameya-News7 Bureau | August 25, 2023 IST

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏସିଆ କପ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡର ନିମନ୍ତ୍ରଣ ସ୍ୱୀକାର କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ନିମନ୍ତ୍ରଣକ୍ରମେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଓ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଯିବେ। ଦୁଇ ବରିଷ୍ଠ ଅଧିକାରୀ ଏସିଆ କପ୍ ସମୟରେ ବିସିସିଆଇର ପ୍ରତିନିଧୀ ଭାବରେ ପାକିସ୍ତାନ ଗସ୍ତ କରିବେ। ସେପ୍ଟେମ୍ବର ୪  ତାରିଖରେ ରୋଜର ବିନ୍ନି ଏବଂ ରାଜୀବ ଶୁକ୍ଲା ୱାଘା ବର୍ଡର ଦେଇ ପାକିସ୍ତାନ ଯାତ୍ରା କରିବେ। ଏହି ପଦକ୍ଷେପକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକ ଶୁଭ ସଂକେତ ଭାବରେ ଦେଖାଯାଉଛି।

ବିନ୍ନି ଓ ରାଜୀବ ସେପ୍ଟେମ୍ବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ ପାକିସ୍ତାନରେ ରହିବେ। ଏହି ସମୟରେ ସେମାନେ ଏକାଧିକ କ୍ରିକେଟ୍ ମ୍ୟାଚ୍ ଦେଖିବେ। ତେବେ ସୂଚନା ମୁତାବକ ଅଗଷ୍ଟ ୩୦ ତାରିଖରୁ ଏସିଆ କପ୍ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ୍‌ରେ ପାକିସ୍ତାନ ନେପାଳକୁ ଭେଟିବ। ଏହାପରେ ୪ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ।

ପଢ଼ନ୍ତୁ-ବିଶ୍ଵକପ୍ ୨୦୨୩ରେ ଭାରତକୁ ମିଳିବ ନାହିଁ ମନ ମୁତାବକ ପିଚ୍ ? କ୍ୟୁରେଟରଙ୍କୁ ଆଇସିସିର ଦୃଢ ସନ୍ଦେଶ

ବିନ୍ନି ଓ ଶୁକ୍ଳା ଏବଂ ବିସିସିଆଇ ସେକ୍ରେଟେରୀ ଜୟ ଶାହ ପ୍ରଥମେ ସେପ୍ଟେମ୍ବର ୨ ତାରିଖରେ ଶ୍ରୀଲଙ୍କାର ପାଲ୍ଲେକେଲେରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବେ। ଏହାପରେ ସେପ୍ଟେବମ୍ବର ୩ରେ ସେମାନେ ଭାରତ ଫେରି ଆସିବେ। ଏହାପରେ ସେପ୍ଟେମ୍ବର ୪ ତାରିଖରେ ବିନ୍ନି ଓ ଶୁକ୍ଳା ୱାଘା ବର୍ଡର ଦେଇ ପାକିସ୍ତାନ ଗସ୍ତ କରିବେ।

କେବଳ ସେତିକି ନୁହେଁ ଉଭୟ ବିନି ଏବଂ ଶୁକ୍ଲାଙ୍କୁ ସପତ୍ନୀକ ଭାବେ ସେପ୍ଟେମ୍ବର ୪ରେ ଲାହୋରର ପିସିବି ଗଭର୍ଣ୍ଣର ହାଉସରେ ଆୟୋଜିତ ହେବାକୁ ଥିବା ଏକ ସରକାରୀ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ଏହାପରେ ବିସିସିଆଇର ଦୁଇ ବଡ ଅଧିକାରୀ ସେପ୍ଟେମ୍ବର ୫ରେ ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା ମ୍ୟାଚ୍ ଏବଂ ପରଦିନ ପାକିସ୍ତାନର ଓପନିଂ ସୁପର ଫୋର ଫିଚର ଦେଖିବେ।

ସୂଚନା ଥାଉକି ଏଥର ପାକିସ୍ତାନ ଏସିଆ କପ୍ ଆୟୋଜନ କରିଥାନ୍ତା। ହେଲେ ସୁରକ୍ଷା କାରଣ ଦର୍ଶାଇ ଭାରତ ପାକିସ୍ତାନକୁ କ୍ରିକେଟ ଟିମ୍  ପଠାଇବାକୁ ମନା କରିଥିଲା। ବହୁ ବିବାଦ ପରେ ପାକିସ୍ତାନ ସହ ଶ୍ରୀଲଙ୍କାରେ ମଧ୍ୟ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏସିଆ କପ୍‌ର ୫ ଟି ମ୍ୟାଚ୍ ପାକିସ୍ତାନରେ ଏବଂ ୯ ଟି ଶ୍ରୀଲଙ୍କାରେ ଖେଳାଯିବ। ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ କେବଳ ଶ୍ରୀଲଙ୍କାରେ ଖେଳିବ। ତେବେ ଫାଇନାଲ୍ ମ୍ୟାଚ୍ ପାକିସ୍ତାନରେ ଖେଳାଯିବ।

ବିସିସିଆଇ ଅଧ୍ୟକ୍ଷଙ୍କ ପାକିସ୍ତାନ ଗସ୍ତ କାହିଁକି ଏକ ବଡ଼ ସଙ୍କେତ?

ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କର ପ୍ରଭାବ କ୍ରିକେଟ୍ ଉପରେ ମଧ୍ୟ ଦେଖିବାକୁ ମିଳିଛି। ୨୦୦୬ ପରଠାରୁ ଭାରତୀୟ କ୍ରିକେଟ୍ ଟିମ୍ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯାଇ ନାହିଁ। ସେହିପରି ୨୦୧୨ ଠାରୁ ପାକିସ୍ତାନ ଟିମ ମଧ୍ୟ ମ୍ୟାଚ୍ ଖେଳିବାକୁ ଭାରତ ଆସି ନାହିଁ। ୨୦୧୨ ପରଠାରୁ ଉଭୟ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଏସିଆ କପରେ ମୁହାଁମୁହିଁ ହେଉଛନ୍ତି। ତେବେ ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କ ପାକିସ୍ତାନ ଗସ୍ତ ଦୁଇ ଦେଶର କ୍ରିକେଟ ସମ୍ପର୍କ ସୁଧାରିବାରେ ଏକ ବଡ଼ ସଙ୍କେତ ବୋଲି କୁହାଯାଉଛି।  

ପଢ଼ନ୍ତୁ-ଏସୀୟ କ୍ରୀଡା ପାଇଁ ୬୩୪ ଆଥଲିଟ୍‌ଙ୍କୁ ଚୟନ କଲା ଭାରତ, ପୂର୍ବ ସଂସ୍କରଣରେ ଜିତିଥିଲା ୭୦ ପଦକ

ସୂଚନା ଥାଉକି, ୨୦୨୫ରେ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ବିସିସିଆଇର ଏହି ପଦକ୍ଷେପ ପରେ ଆଗକୁ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଯେ ପାକିସ୍ତାନ ଗସ୍ତ କରିପାରେ ଏହାର ସମ୍ଭାବନା ଅଧିକ ଦେଖାଯାଉଛି।

ସେପଟେ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ରେ ଭାଗ ନେବାକୁ ପାକିସ୍ତାନ ମଧ୍ୟ ଏକ ସର୍ତ୍ତ ରଖିଛି। ଯଦି ଭାରତ ଚାମ୍ପିୟନ ଟ୍ରଫି ଖେଳିବାକୁ ପାକିସ୍ତାନ ଆସିବ ତେବେ ପାକିସ୍ତାନ ବିଶ୍ୱକପ୍ ଖେଳିବାକୁ ଭାରତ ଯିବ ବୋଲି ପିସିବି କହିଛି।। ଯଦିଓ ଏ ବିଷୟରେ ଅଧିକ କୁହାଯାଇପାରିବ ନାହିଁ। ତେବେ ଯଦି ସବୁକିଛି ଠିକ ରହିଲା, ତେବେ ଆଗାମୀ ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ମଧ୍ୟ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.