IPL 2024 ପୂର୍ବରୁ CSKକୁ ଝଟକା, ଆହତ ହେଲେଣି ୩ ଖେଳାଳି; ଜଣଙ୍କୁ ଆମ୍ବୁଲାନ୍ସରେ ନେବାକୁ ପଡ଼ିଲା ହସ୍ପିଟାଲ୍

Published By : Prameya-News7 Bureau | March 18, 2024 IST

abp live

ନୂଆଦିଲ୍ଲୀ: ଆଉ ୪ ଦିନ ପରେ ଆରମ୍ଭ ହୋଇଯିବ କ୍ରିକେଟ୍ ଜଗତର ସବୁଠୁ ଧର୍ଣ୍ଣାଢ୍ୟ ଟି-୨୦ ଲିଗ୍ ଆଇପିଏଲ୍ ୨୦୨୪। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏଥିପାଇଁ ଦୁଇ ଦଳ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। କିନ୍ତୁ ମହେନ୍ଦ୍ର ସିଂ ଧୋନୀଙ୍କ ଦଳକୁ ମୁସ୍କିଲର ସାମ୍ନା କରିବାକୁ ପଡ଼ିପାରେ। କାରଣ ଦଳର ତିନି ପ୍ରମୁଖ ଖେଳାଳି ଆହତ ହୋଇଛନ୍ତି। ଏଥିରୁ ଜଣଙ୍କୁ ଆଘାତ ଏମିତି ଲାଗିଲା ଯେ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ ନେବାକୁ ପଡ଼ିଛି। ଆହତ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଡେଭନ କନଓ୍ଵେ, ମୁସ୍ତାଫିଜୁର ରେହମାନ ଓ ମଥିଶା ପଥିରାନା ସାମିଲ୍।

Also read: IPL 2024: କ୍ୟାପଟେନ୍ସି ମିଳିବା ପରେ ରୋହିତଙ୍କ ସହ କଥା ହୋଇଛନ୍ତି କି ? ହାର୍ଦ୍ଦିକଙ୍କ ଜବାବ ଶୁଣି ହେବେ ଆଶ୍ଚର୍ଯ୍ୟ

ନ୍ୟୁଜିଲାଣ୍ଡର ଓ୍ଵିକେଟ୍ କିପର ବ୍ୟାଟର ଡେଭନ କନଓ୍ଵେଙ୍କୁ ସିଏସକେ ୨୦୨୨ରେ ଏକ କୋଟି ବ୍ୟୟରେ ନିଜ ଦଳରେ ସାମିଲ କରିଥିଲା। ୨୦୨୩ ସଂସ୍କରଣରେ କନଓ୍ଵେ ଦମଦାର ପ୍ରଦର୍ଶନ କରି ୧୬ଟି ମ୍ୟାଚ୍‌ରେ ୬ ଅର୍ଦ୍ଧଶତକ ସହ ୬୭୨ ରନ କରିଥିଲେ। ସର୍ବଶ୍ରେଷ୍ଠ ସ୍କୋର ଥିଲା ୯୨ ରନ। ମାତ୍ର ଆହତ ଜନିତ ସମସ୍ୟା କାରଣରୁ ଚଳିତ ସିଜିନରେ ତାଙ୍କ ଖେଳିବା ମୁସ୍କିଲ ଲାଗୁଛି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ ବେଳେ କନଓ୍ଵେଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା।

ସେହିପରି ବାଂଲାଦେଶର ତାରକା ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ଅନେକ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି। ୨ କୋଟି ଟଙ୍କାରେ ସିଏସକେ ତାଙ୍କୁ ଦଳରେ ସାମିଲ୍ କରିଥିଲା। ମୁସ୍ତାଫିଜୁର ଚଳିତ ସଂସ୍କରଣରେ ପ୍ରାରମ୍ଭିକ କିଛି ମ୍ୟାଚ୍‌ରୁ ବଞ୍ଚିତ ହୋଇ ପାରନ୍ତି। ବାଂଲାଦେଶ ପ୍ରିମିୟର ଲିଗ୍ ୨୦୨୪ ସମୟରେ ତାଙ୍କୁ ଆଘାତ ଲାଗିଥିଲା। ତାଙ୍କ ଆଘାତ ଏତେ ଗମ୍ଭୀର ଥିଲା ଯେ, ଆମ୍ବୁଲାନ୍ସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି।

ଶ୍ରୀଲଙ୍କାର ଉଦୀୟମାନ ଦ୍ରୁତ ବୋଲର ମଥିଶା ପଥିରାନାଙ୍କୁ ସିଏସକେ ୨୦୨୨ରେ ନିଜ ଦଳରେ ସାମିଲ୍ କରିଥିଲା। ୨୦୨୩ରେ ଦଳ ତାଙ୍କୁ ରିଟେନ୍ କରିଥିଲା। ପଥିରାନା ଗତ ସଂସ୍କରଣରେ ୧୨ଟି ମ୍ୟାଚ୍‌ରେ ୧୯ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ହେଲେ ଏଥର ସଂସ୍କରଣରେ ତାଙ୍କର ଖେଳିବା ନେଇ ଆଶଙ୍କା ରହିଛି। ପଥିରାନା ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଟି-୨୦ ସିରିଜ୍‌ରେ ଆହତ ହୋଇଥିଲେ। 

 

  • prameyanews
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.