ବେନ ଡକେଟ୍‌ଙ୍କ ଐତିହାସିକ ଶତକ, ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡର ରେକର୍ଡ ସ୍କୋର

Published By : Prameya-News7 Bureau | February 22, 2025 IST

ଲାହୋର: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଚତୁର୍ଥ ମ୍ୟାଚ୍‌ରେ ଗର୍ଜିଲା ବେନ ଡକେଟ୍‌ଙ୍କ ବ୍ୟାଟ୍। ଲାହୋର ଗଦ୍ଦାଫି ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ଇଂଲଣ୍ଡ ୮ ଓ୍ଵିକେଟ୍ ବିନିମୟରେ ୩୫୧ ରନର ବିଶାଳ ସ୍କୋର କରିଛି। ଆଶା ଅନୁଯାୟୀ ଗଦ୍ଦାଫି ଷ୍ଟାଡିୟମ ବ୍ୟାଟରଙ୍କୁ  ସୁହାଇଛି। ଆଉ ଏହାର ଭରପୂର ଫାଇଦା ଉଠାଇ ବାମହାତୀ ବ୍ୟାଟର ବେନ ଡକେଟ୍ ୧୬୫ ରନର ଐତିହାସିକ ଇନିଂସ ଖେଳିଛନ୍ତି। ଡକେଟ୍ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ତାଙ୍କ ବ୍ୟତୀତ ଜୋ ରୁଟ୍ ୬୮ ରନର ଉପଯୋଗୀ ଯୋଗଦାନ ଦେଇଛନ୍ତି।

ଏହି ମ୍ୟାଚ୍‌ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ପ୍ରାରମ୍ଭିକ କିଛି ଓଭର ସଠିକ୍ ସାବ୍ୟସ୍ତ ହୋଇଥିଲା। କାରଣ ଇଂଲଣ୍ଡ ପ୍ରଥମ ୬ ଓଭରରେ ଦୁଇ ବ୍ୟାଟର ଫିଲ ସଲ୍ଟ(୧୦) ଓ ଜେମିଏ ସ୍ମିଥ(୧୫)ଙ୍କ ଓ୍ଵିକେଟ୍ ହରାଇଥିଲା। ମାତ୍ର ଏହା ପରଠୁ ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ ଡକେଟ୍। ସେ ଓ ଜୋ ରୁଟ୍ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳି ୧୫୮ ରନର ବିଶାଳ ଭାଗିଦାରୀ କରିଥିଲେ। ରୁଟ୍ ୬୮ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ। ଅନ୍ୟପଟେ ଡକେଟ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା। ସେ ଦିନିକିଆରେ ଷଷ୍ଠ ଶତକ ପୂରଣ କରିଥିଲେ। 

ଲାହୋରର ଗଦାଫି ଷ୍ଟାଡିୟମରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ ହରାଇ ୩୫୧ ରନ କରି ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ଦଳୀୟ ସ୍କୋରର ଏକ ନୂତନ ରେକର୍ଡ ସ୍ଥାପନ କରିଛି । ପୂର୍ବରୁ ୨୦୦୪ ମସିହାରେ ନ୍ୟୁଜିଲାଣ୍ଡ ଆମେରିକା ବିପକ୍ଷରେ ୩୪୭ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ ବେନ୍ ଡକେଟ ୧୪୩ ବଲରେ ୧୬୫ ରନ୍ କରିଛନ୍ତି । ଡକେଟ ୧୭ଟି ଚୌକା ଏବଂ ୩ଟି ଛକା ମାରିଛନ୍ତି । ଜୋ ରୁଟ୍ (୬୮ ରନ୍) ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ୧୦ ବଲ୍ ରୁ ୨୧ ରନ୍ କରି ଅପରାଜିତ ଥିବା ଜୋଫ୍ରା ଆର୍ଚର ଇନିଂସର ଶେଷ ତିନୋଟି ବଲ୍ ରୁ ୧୨ ରନ୍ କରି ଇଂଲଣ୍ଡକୁ ପୂର୍ବ ରେକର୍ଡ ଅତିକ୍ରମ କରାଇବାରେ ସହାୟକ ହୋଇଛନ୍ତି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ବେନ୍ ଦ୍ୱାରସିସ୍ ୩ଟି ୱିକେଟ ନେଇଥିବା ବେଳେ ଆଦାମ ଜାମ୍ପା ଏବଂ ମାର୍ନସ୍ ଲାବୁଶେନ୍ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। 

ଚାମ୍ପିଅନ୍ସ ଟ୍ରଫିରେ ସବୁଠୁ ବଡ଼ ସ୍କୋର

୩୫୧/୮ (୫୦) - ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ - ଲାହୋର - ୨୦୨୫

୩୪୭/୪ (୫୦) - ନ୍ୟୁଜିଲାଣ୍ଡ ବନାମ ଆମେରିକା - ଦି ଓଭାଲ - ୨୦୦୪

୩୩୮/୪ (୫୦) - ପାକିସ୍ତାନ ବନାମ ଭାରତ - ଦି ଓଭାଲ - ୨୦୧୭

୩୩୧/୭ (୫୦) - ଭାରତ ବନାମ ଦକ୍ଷିଣ ଆଫ୍ରିକା - କାର୍ଡିଫ୍ - ୨୦୧୩

୩୨୩/୮ (୫୦) - ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା - ସେଞ୍ଚୁରିଅନ୍ - ୨୦୦୯

୩୨୨/୩ (୪୮.୪) - ଶ୍ରୀଲଙ୍କା ବନାମ ଭାରତ - ଓଭାଲ – ୨୦୧୭

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.