CHAMPIONS TROPHY: ପାକିସ୍ତାନ କଲା ବଡ଼ ତ୍ରୁଟି, ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍‌ରେ ବାଜିଲା ଭାରତର ଜାତୀୟ ସଙ୍ଗୀତ

Published By : Prameya-News7 Bureau | February 22, 2025 IST

ନୂଆଦିଲ୍ଲୀ: ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯିବ । ଏହି ହାଇ ଭୋଲଟେଜ୍ ମୁକାବିଲାକୁ ଆହୁରି ଗୋଟିଏ ଦିନ ବାକି ରହିଛି । କିନ୍ତୁ ଏହା ପୂର୍ବରୁ ପାକିସ୍ତାନରେ ବାଜିଛି ‘ଜନ ଗଣ ମନ’ । ଆଇସିସି ଚାମ୍ପିଅନ୍ସ ୨୦୨୫ର ଚତୁର୍ଥ ମ୍ୟାଚ୍ ଶନିବାର ଖେଳାଯାଉଛି । ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ଖେଳାଯାଉଛି । ଇଂଲଣ୍ଡ ଟିମ୍ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଛି । କିନ୍ତୁ ଏହି ମୁକାବିଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ମ୍ୟାଚ୍ ଆରମ୍ଭ ପୂର୍ବରୁ ନିୟମ ଅନୁସାରେ ମୈଦାନରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଉଭୟ ଦେଶର ଜାତୀୟ ସଙ୍ଗୀତ ବାଜିଥା’ନ୍ତା । କିନ୍ତୁ ଏହି ସମୟରେ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ପରିବର୍ତ୍ତେ ଭାରତର ଜାତୀୟ ସଙ୍ଗୀତ ବାଜିବା ଆରମ୍ଭ ହୋଇଥିଲା । ଭୁଲ ଜାଣିବା ପରେ ଅଧିକାରୀମାନେ ତୁରନ୍ତ ଭାରତର ଜାତୀୟ ସଙ୍ଗୀତ ବାଜାଇବା ବନ୍ଦ କରିଥିଲେ । ପରେ ଅଷ୍ଟ୍ରେଲିଆର ରାଷ୍ଟ୍ରୀୟ ସଙ୍ଗୀତ ବଜାଇଥିଲେ  । ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆୟୋଜକ ଦେଶ ପାକିସ୍ତାନ ପକ୍ଷରୁ ଏହା ଏକ ବଡ଼ ତ୍ରୁଟି ବୋଲି ଧରାଯିବ । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଟିମ୍ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗୋଟିଏ ବି ମୁକାବିଲା ପାକିସ୍ତାନରେ ଖେଳିବ ନାହିଁ । ଭାରତ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ । ଭାରତ ଟୁର୍ଣ୍ଣାମେଣ୍ଟର ଅଭିଯାନ ବାଂଲାଦେଶକୁ ହରାଇ ଆରମ୍ଭ କରିସାରିଛି । ରବିବାର ଫେବ୍ରୁଆରୀ ୨୩ରେ ଭାରତ ବନାମ ପାକିସ୍ତାନ ହାଇ ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଛି । ପୂର୍ବରୁ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଥିବା ପାକିସ୍ତାନ ପାଇଁ ଆସନ୍ତାକାଲିର ମ୍ୟାଚ୍ କର ବା ମର ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.