ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଠକ ଗ୍ୟାଙ୍ଗ, ଚାକିରି କରାଇଦେବାକୁ କହି ଲୁଟିଥିଲେ କୋଟି କୋଟି ଟଙ୍କା

Published By : Prameya-News7 Bureau | December 04, 2024 IST

ବ୍ରହ୍ମପୁର: ଲକ୍ଷେ ନୁହେଁ କି’ ଦୁଇ ଲକ୍ଷ ନୁହେଁ, ଚାକିରି କରାଇଦେବାକୁ କହି ଠକିଥିଲେ କୋଟି କୋଟି ଟଙ୍କା। ଟାର୍ଗେଟରେ ଥିଲେ ନିରୀହ ଯୁବକ ଯୁବତୀ। ମିଛ କହି, ବିଭିନ୍ନ ଆଳ ଦେଖାଇ ଠକି ନେଉଥିଲା ଟଙ୍କା । ହେଲେ ଏବେ ପୋଲିସ ପଞ୍ଝାରେ। ଚାକିରି ପ୍ରଲୋଭନ ଦେଖାଇ ଠକୁଥିବା ଏମିତି ଏକ ଠକ ଗ୍ୟାଙ୍ଗର ୯ ଜଣକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ସେମାନଙ୍କ ଠାରୁ ବହୁ ନକଲି ନିଯୁକ୍ତି କାଗଜ ପତ୍ର ଜବତ କରିବା ସହ ପ୍ରାୟ ୨ କୋଟି ଟଙ୍କାର ଆକାଉଣ୍ଟକୁ ଫ୍ରିଜ କରାଯାଇଛି।

ସୂଚନା ଅନୁଯାୟୀୀ, ଜଣେ ଜୈନେକ ଅଭିଯୋଗକାରୀ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଉ ତଦନ୍ତ କ୍ରମେ ମୁଖ୍ୟ ଖଳନାୟକ ଜଗଦୀଶ ବେହେରା ସହ ଗ୍ୟାଙ୍ଗର ୯ ଜଣ ଗିରଫ ହୋଇଛନ୍ତି। ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଏମାନେ ବିଭିନ୍ନ ବେସରକାରୀ ଓ ସରକାରୀ ଚାକିରି କରାଇଦେବା ନାଁରେ ଠକାମୀ କରୁଥିଲେ। ଏପରିକି ସଚିବାଳୟରେ ମଧ୍ୟ ଚାକିରି କରାଇଦେବାକୁ କହି ମଧ୍ୟ ଠକୁଥିଲେ। କେବଳ ବ୍ରହ୍ମପୁର କିମ୍ବା ରାଜ୍ୟର ଅନ୍ୟ ଅଞ୍ଚଳ ହିଁ ନୁହେଁ, ଏମାନଙ୍କର ଚେର କୋଲକାତା ଯାଏଁ ମଧ୍ୟ ଲମ୍ବିଛି। ତେବେ ଆବଶ୍ୟକ ପଡ଼ିଲେ ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି।


ଠକାମୀର ଶିକାର ହୋଇଥିବା ପ୍ରଣବ ପଣ୍ଡା ନାମକ ଜଣେ ଯୁବକ କହିଛନ୍ତି, ସେ ସୁରତରେ କାର୍ଯ୍ୟ କରୁଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ ପାସ। ହେଲେ ଚାକିରି ଖୋଜିବା ମଧ୍ୟରେ ଏହି ଗ୍ୟାଙ୍ଗର ଠକଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନେ ତାଙ୍କୁ ଛତ୍ରପୁରର ଏକ ସରକାରୀ କାର୍ଯ୍ୟାଳୟରେ ପିଅନ ଚାକିରି କରାଇଦେବାକୁ କହିବା ସହ ୩ ଲକ୍ଷ ଟଙ୍କା ମାଗିଥିଲେ। ଆଉ ସେମାନଙ୍କ ଲୋଭନୀୟ କଥାରେ ପଡ଼ି ଅଗ୍ରୀମ ଏକ ଲକ୍ଷ ଟଙ୍କା ମଧ୍ୟ ଦେଇଦେଇଥିଲେ। ହେଲେ ଚାକିରି ପାଇବାର ଆଶା ଆଶାରେ ରହିଯାଇଥିଲା। 

ସେହିଭଳି ମନୋରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ସରକାରୀ କାର୍ଯ୍ୟାଳୟରେ କିରାଣୀ ଚାକିରି କରାଇଦେବା ପାଇଁ ୫୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ। ହେଲେ ଅଢ଼େଇ ବର୍ଷ ହେଲା ଅପେକ୍ଷା କରି ଚାକିରି ନମିଳିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା।ଚାକିରି ନାଁରେ ଠକେଇର ଶିକାର ହୋଇଥିବା ଜାଣିବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ଅଭିଯୋଗକାରୀ। ତେବେ ଭାଗ୍ୟ ସାଥ ଦେଲେ ସେମାନେ ନିଜ ଟଙ୍କା ଫେରି ପାଇବା ନେଇ ଆଶା ବାନ୍ଧିଛନ୍ତି ଠକାମୀର ଶିକାର ହୋଇଥିବା ଯୁବକ ଯୁବତୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.