ହରିୟାଣା Exit Poll ଉପରେ ଆସିଲା ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ପ୍ରଥମ ପ୍ରତିକ୍ରିୟା, CM ଫେସ୍ କୁ ନେଇ ଦେଲେ ଏପରି ବୟାନ

Published By : Prameya-News7 Bureau | October 05, 2024 IST

ଚଣ୍ଡିଗଡ଼ ୫।୧୦: ହରିୟାଣାରେ କଂଗ୍ରେସର ସରକାର ହୋଇପାରେ। ଶନିବାର ଭୋଟ ଗ୍ରହଣ ପରେ ଆସିଥିବା ଏଗଜିଟ ପୋଲ ଫଳାଫଳ ଏଇ ଆଡକୁ ଇସାରା କରୁଛି। ସବୁ ସର୍ଭେ ଏଜେନ୍ସୀ ହରିୟାଣାରେ କଂଗ୍ରେସ ସରକାର ଗଢୁଥିବାର ଦାବି କରୁଛନ୍ତି। କୁହାଯାଉଛି କଂଗ୍ରେସର ପୂର୍ଣ୍ଣ ବହୁମତ ସରକାର ହେବ। ଏଥି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା କହିଛନ୍ତି ହରିୟାଣାରେ କଂଗ୍ରେସ ସପକ୍ଷରେ ଲହର ବୋହୁଛି। 

ସେ କହିଛନ୍ତି ଯେ ଆସନ ସଂଖ୍ୟା ସମ୍ପର୍କରେ ସେ ଏବେଠୁ କିଛି ଦାବି କରିପାରିବେନି ହେଲେ ଆମ ଦଳକୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଦାବିକରିଛନ୍ତି। ତେବେ ଆମକୁ ୬୦-୭୦ରୁ ଅଧିକ ଆସନ ନିଶ୍ଚିତ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଯଦି ରାଜ୍ୟରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳେ ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ପଚରା ଯିବାରୁ ଏହାର ନିଷ୍ପତ୍ତି ହାଇକମାଣ୍ଡ କରିବେ ବୋଲି ସେ ସଫାସଫା ଶୁଣାଇ ଦେଇଛନ୍ତି। 


ଏଥିରେ କୁମାରୀ ଶୈଳଜାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କି ବୋଲି ପ୍ରଶ୍ନ ହେବାରୁ ହୁଡ୍ଡା ସେ ଆମ ଦଳର ବରିଷ୍ଠ ନେତ୍ରୀ ଏଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଦଳରେ କାହାର ଆପତ୍ତି ରହିବ ନାହିଁ ବୋଲି କହିଛନ୍ତି। ତେବେ ରାଜ୍ୟ ବିଧାନସଭା ନିର୍ବାଚନର ଏଗଜିଟ ପୋଲ କରିଥିବା ରିପବ୍ଲିକ ମ୍ୟାଟ୍ରିଜ୍ ସର୍ଭେ ଅନୁସାରେ କଂଗ୍ରେସକୁ ୫୫ରୁ ୬୨ଟି ଆସନ ମିଳିବ ବୋଲି ଦାବି କରୁଥିବା ବେଳେ ଭାସ୍କର ସର୍ଭେ ଅନୁସାରେ କଂଗ୍ରେସକୁ ୪୪ରୁ ୫୪ ଆସନ ମିଳିବ ବୋଲି ଆକଳନ କରାଯାଇଛି। 


ତେବେ ମ୍ୟାଟ୍ରିଜ ଅନୁସାରେ ୧୦ ବର୍ଷ ହେଲା ରାଜ୍ୟ କ୍ଷମତାରେ ଥିବା ବିଜେପିକୁ  ଅତି ବେଶିରେ ୧୮ରୁ ୨୪ଟି ସିଟ୍ ମିଳିବ ବୋଲି ଆକଳନ କରାଯାଉଥିବା ବେଳେ ଭାସ୍କର ସର୍ଭେ ଅନୁସାରେ ୧୯ରୁ ୨୯ଟି ଆସନ ମିଳିବ ବୋଲି ଆକଳନ କରାଯାଉଛି। ସେହିପରି ମ୍ୟାଟ୍ରିଜ ଗତ ସରକାରର ସହଯୋଗୀ ଥିବା ଜେଜେପିକୁ ଶୁନରୁ ୩ଟି, ଆଇଏନଏଲଡିକୁ ୩ରୁ ୬ଟି ଓ ଅନ୍ୟମାନଙ୍କ ପାଇଁ ୨ରୁ ୫ଟି ସିଟ୍ ଆକଳନ କରିଛି। ତେବେ ଭାସ୍କର ସର୍ଭେ ଜେଜେପିକୁ ଆଦୌ ଆସନ ମିଳୁନଥିବା ଆକଳନ କରିଥିବା ବେଳେ ଆଇଏନଏଲଡିକୁ ୧ରୁ ୫ ଓ ଅନ୍ୟମାନଙ୍କୁ ୪ରୁ ୧୦ଟି ସିଟ୍ ମିଳିବ ବୋଲି ଆକଳନ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.