ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସି ଫ୍ରଡ୍ ମାମଲାରେ ବଡ଼ ଆକ୍ସନ। ଦେଶରେ ୬୦ଟି ସ୍ଥାନରେ ରେଡ୍ କରୁଛି ସିବିଆଇ। ଏହି ରେଡ୍ ଦିଲ୍ଲୀ ଏନସିଆର, ପୁଣେ, ନାନ୍ଦେଡ଼, କୋଲ୍ହାପୁର, ବେଙ୍ଗାଲୁରୁ ଏବଂ ଅନ୍ୟ ପ୍ରମୁଖ ସହରରେ ଜାରି ରହିଛି । ମିଥ୍ୟା ଓ୍ବେବସାଇଟ ଏବଂ ଅନଲାଇନ ଠକେଇ ଅଭିଯୋଗରେ ଏହି ରେଡ୍ ଚାଲିଛି। ଅଭିଯୁକ୍ତମାନେ ଏକ ବଡ଼ କ୍ରିପ୍ଟୋ ଏକ୍ସଚେଞ୍ଜ ଓ୍ବେବସାଇଟର ନକଲ କରି ଲୋକଙ୍କୁ ଠକିଛନ୍ତି।
କିଭଳି ହେଲା କ୍ରିପ୍ଟୋକରେନ୍ସି ସ୍କାମ୍ ?
ଏହି କ୍ରିପ୍ଟୋକରେନ୍ସୀ ସ୍କାମ୍ ୨୦୧୫ରେ ଆରମ୍ଭ ହୋଇଥିଲା। ଏଥିରେ ମାଷ୍ଟରମାଇଣ୍ଡ ଥିଲେ ମୃତ ଅମିତ ଭାରଦ୍ବାଜ, ଅଜୟ ଭାରଦ୍ବାଜ ଏବଂ ତାଙ୍କ ଏଜେଣ୍ଟ । ଏମାନେ GainBitcoin ଏବଂ ଅନ୍ୟ ଓ୍ବେବସାଇଟ କରି ଲୋକଙ୍କୁ ପୋଞ୍ଜୀ ସ୍କିମ୍ରେ କ୍ରିପ୍ଟୋକରେନ୍ସୀରେ ଇନଭେଷ୍ଟ କରାଇଥିଲେ। ଏସବୁ ଓ୍ବେବସାଇଟର କଣ୍ଟ୍ରୋଲ Variabletech Pte. Ltd ନାମକ କମ୍ପାନି ଦ୍ବାରା କରାଯାଇଥିଲା।
ଅଭିଯୁକ୍ତମାନେ ନିବେଶକଙ୍କୁ ଏହି ସ୍କିମ୍ରେ ୧୮ ମାସ ପର୍ଯ୍ୟନ୍ତ ବିଟ୍କଏନରେ ଟଙ୍କା ଲଗାଇଲେ, ୧୦ ପ୍ରତିଶତ ରିଟର୍ଣ୍ଣ ମିଳିବା କଥା କହିଥିଲେ। ଏହା ସହ ନିବେଶକଙ୍କୁ ଏହି କ୍ରିପ୍ଟୋ ଏକ୍ସଚେଞ୍ଜରୁ ବିଟ୍କଏନ କିଣିବା ଏବଂ ‘କ୍ଲାଉଡ୍ ମାଇନିଂ’ ମାଧ୍ୟମରେ ଗେନବିଟକଏନ ସହ ନିବେଶ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ।
ବଡ଼ କଥା ହେଲା କ୍ରିପ୍ଟୋକରେନ୍ସୀ ଫ୍ରଡ୍ କରିଥିବା ଅଭିଯୁକ୍ତମାନେ ନିବେଶକଙ୍କୁ ଆରମ୍ଭରେ କହିବା ମୁତାବକ ରିଟର୍ଣ୍ଣ ଦେଇଥିଲେ। କିନ୍ତୁ ୨୦୧୭ରେ ନିବେଶକ କମ୍ ହେବା ପରେ ଏହି ଯୋଜନା ଫ୍ଲପ୍ ହୋଇଯାଇଥିଲା। ଆଉ ଅଭିଯୁକ୍ତମାନେ ନିବେଶକଙ୍କୁ କ୍ଷତିକୁ କଭର କରିବା ପାଇଁ ସେମାନଙ୍କ ଟଙ୍କାକୁ ନିଜର ଇନ ହାଉସ MCAP କ୍ରିପ୍ଟୋକରେନ୍ସୀରେ ବଦଳାଇଥିଲେ। ଯାହାର ପ୍ରକୃତ ଦାମ୍ ବିଟକଏନଠାରୁ ବେଶ୍ କମ୍ ଥିଲା।
ଏହି ଫ୍ରଡ୍କୁ ନେଇ ପୂରା ଭାରତରେ ଅନେକ ଏଫଆଇଆର ରୁଜୁ ହୋଇଥିଲା। ସ୍କାମ୍ର ଆକାରକୁ ଦେଖି ଜମ୍ମୁ-କାଶ୍ମୀର, ପଞ୍ଜାବ, ଚଣ୍ଡିଗଡ଼, ଦିଲ୍ଲୀ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ସହ ବିଭିନ୍ନ ରାଜ୍ୟରେ ହୋଇଥିବା ମାମଲାକୁ ସୁପ୍ରିମକୋର୍ଟ ଦ୍ବାରା ସିବିଆଇକୁ ସ୍ଥାନାନ୍ତର କରାଯାଇଥିଲା।
ଏହା ପୂର୍ବରୁ ଫେବ୍ରୁଆରୀ ୧୫ରେ ସିବିଆଇ ଦିଲ୍ଲୀ ଏବଂ ହରିୟାଣାର ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା । ଯେଉଁଥିରେ ନଗଦ ୧.୦୮ କୋଟି ଟଙ୍କା, ୧୦୦୦ ଡଲାର ମୂଲ୍ୟର ବିଦେଶୀ ମୁଦ୍ରା, ୨୫୨ଗ୍ରାମ ସୁନା, ୬ଟି ଲାପ୍ଟପ୍, ୮ଟି ମୋବାଇଲ ଏବଂ ଆଇପ୍ୟାଡ୍ ଜବତ କରାଯାଇଥିଲା।