ମାଜିଷ୍ଟ୍ରେଟ୍ ପାଣି ମାଗିବାରୁ ରୋକ୍‌ଠୋକ୍ ଶୁଣାଇ ଦେଲେ ମହିଳା କନଷ୍ଟେବଲ; କହିଲେ- ମୁଁ ସରକାରଙ୍କ ସେବକ, ଆପଣଙ୍କ ଚାକର ନୁହେଁ

Published By : Prameya-News7 Bureau | December 02, 2023 IST

ପାଟନା: ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ମାଜିଷ୍ଟ୍ରେଟ୍‌। ଶୋଷ ଲାଗିବାରୁ ଡ୍ୟିୁଟିରେ ନିଯୁକ୍ତ ଥିବା ମହିଳା କନଷ୍ଟେବଲଙ୍କୁ ପାଣି ମାଗିଦେଲେ। ଏତିକିରେ ମହିଳା କନଷ୍ଟେବଲ ରୋକ୍‌ଠୋକ୍ ଶୁଣାଇ ଦେଲେ... କହିଲେ- ମୁଁ ସରକାରଙ୍କ ଚାକର, ଆପଣଙ୍କର ନୁହେଁ। ବାସ୍ ଏତିକିରେ ମାଜିଷ୍ଟ୍ରେଟ୍‌ଙ୍କର ଇଗୋ ହଟ୍ ହୋଇଗଲା। ଏହାର ଅଭିଯୋଗ ସେ ଡିଏସ୍‌ପିଙ୍କ ପାଖରେ କରିବେ ବୋଲି ସିଧା ସିଧା ଶୁଣାଇ ଦେଲେ। ଆଉ ଏହି ସାରା ଘଟଣାର ଦୃଶ୍ୟ କ୍ୟାମେରା ସାମ୍ନାରେ କଏଦ ହୋଇଛି।

ମହିଳା କନଷ୍ଟେବଲ ମାଜିଷ୍ଟ୍ରେଟ୍‌ଙ୍କୁ ମୁହଁରେ ରୋକ୍‌ଠୋକ୍ ଶୁଣାଉଥିବାର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଘଟଣା ବିହାରର ପାଟନାରେ ଘଟିଛି। ରାଜ୍ୟ ସରକାରଙ୍କର ପ୍ରାଣୀ ପାଳନ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗ ଦେବାକୁ ଆସିଥିଲେ ମାଜିଷ୍ଟ୍ରେଟ୍। ସେଠାରେ ମହିଳା କନଷ୍ଟେବଲ୍‌ଙ୍କ ଡ୍ୟିୁଟି ପଡ଼ିଥିଲା।

ନଭେମ୍ବର ୩୦ ତାରିଖରେ ପାଟନାର ଦିଘା ଘାଟରେ ଗଙ୍ଗା ନଦୀରେ  ୧୦୫,୦୦୦ ମାଛ ଛାଡ଼ିବାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଥିଲା। ସୁରକ୍ଷା ଦୃଷ୍ଟିରୁ ସେଠାରେ ପୁଲିସ ମୁତୟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ମାଜିଷ୍ଟ୍ରେଟ୍ ଭିପି ଗୁପ୍ତା ଆସିଥିଲେ। ସକାଳ ଜଳଖିଆ ସମୟରେ ମାଜିଷ୍ଟ୍ରେଟ୍‌ ମହିଳା କନଷ୍ଟେବଲଙ୍କୁ ପାଣି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏତିକିରେ ମହିଳା କନଷ୍ଟେବଲ୍ ରାଗି ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଥିଲା। ଏହାପରେ ସବୁ ପୁଲିସ କର୍ମୀ ଖାଇବା ଛାଡ଼ି ଉଭୟଙ୍କ ଯୁକ୍ତି ବନ୍ଦ କରିବାକୁ ଚେଷ୍ଟା କରିଥିଲେ।    

ପଢ଼ନ୍ତୁ-ପୂର୍ବତନ ଉପରାଜ୍ୟପାଳଙ୍କ ଆକାଉଣ୍ଟରୁ ୩ ଥରରେ ଲକ୍ଷଲକ୍ଷ ଟଙ୍କା ଉଠାଇନେଲେ ସାଇବର ଠକ

ମାଜିଷ୍ଟ୍ରେଟ୍ ପାଣି ଆଣିବାକୁ କହିବାରୁ ମହିଳା ଜଣଙ୍କ ରୋକ୍‌ଠୋକ୍ କହିଥିଲେ ଯେ ସେ ତାଙ୍କର ଚାକର ନୁହଁନ୍ତି ସେ ସରାକାରୀ କର୍ମଚାରୀ। ଏହାପରେ ମାଜିଷ୍ଟ୍ରେଟ୍‌ ତାଉ ଦେଖାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ପୁଲିସ କର୍ମଚାରୀମାନେ ମଧ୍ୟ ମହିଳା କନଷ୍ଟେବଲଙ୍କୁ ସମର୍ଥନ କରିଥିଲେ।

ମହିଳା କନଷ୍ଟେବଲ କହିଥିଲେ ଯେ କଣ ଆମେ ସମସ୍ତେ ତାଙ୍କର ଚାକର ? ଆମେ ସରକାରଙ୍କ ସେବକ। ତାଙ୍କର ବ୍ୟକ୍ତିଗତ ଚାକର ଅଛନ୍ତି କି ? ସକାଳୁ ସେମାନେ ଜଳଖିଆ ଖାଉଛନ୍ତି। ଆମକୁ ଥରେ ପଚାରିଛନ୍ତି କି ? ପୁଣି ପାଣି ଆଣିବାକୁ କହିଛନ୍ତି। ସେ ଆମ ଚେହେରା ଦେଖିଛନ୍ତି ଥରେ ?...

ମହିଳା କନଷ୍ଟେବଲ୍‌ଙ୍କ କଥା ଶୁଣିବା ପରେ ମାଜିଷ୍ଟ୍ରେଟ୍‌ ସମ୍ମାନକୁ ବାଧିଯାଇଥିଲା। ସେ ରାଗି ପାଚି ଲାଲ୍ ହୋଇଯାଇଥିଲେ। ଏହାର ଅଭିଯୋଗ ସେ ଡିଏସ୍‌ପିଙ୍କ ପାଖରେ କରିବେ ବୋଲି କହିଥିଲେ।

ଘଟଣାକୁ ନେଇ ମାଜିଷ୍ଟ୍ରେଟ୍ କହିଥିଲେ ଯେ ମଣିଷପଣିଆ ଦୃଷ୍ଟିରୁ ମୁଁ ପାଣି ମାଗିଲି। ମୁଁ ମୋ ଘରୁ ବୋତଲରେ ପାଣି ଆଣି ଏମାନଙ୍କୁ ପିଇବାକୁ ଦେଇଛି ମାନବିକତା ଦୃଷ୍ଟିରୁ। ହେଲେ ସେ ଏହାକୁ ବ୍ୟକ୍ତିଗତ ଭାବେ ନେଇଗଲେ। ତେଣୁ ମୁଁ ଏହାର ଅଭିଯୋଗ ଡିଏସ୍‌ପିଙ୍କୁ କରିବି ବୋଲି ମାଜିଷ୍ଟ୍ରେଟ୍‌ ଭିପି ଗୁପ୍ତା କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.