ସମ୍ବଲପୁର: ସରିଲା ହୀରାକୁଦ ଜଳଭଣ୍ଡାର ପକ୍ଷୀ ଗଣନା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ହୀରାକୁଦକୁ ଆସିଛନ୍ତି ଅଧିକ ପକ୍ଷୀ। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ହୀରାକୁଦକୁ ୧୨୨ ପ୍ରଜାତିର ୩ ଲକ୍ଷ ୭୭ହଜାର ପକ୍ଷୀ ଆସିଛନ୍ତି। ଯେତେବେଳେକି ୨୦୨୪ରେ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ପକ୍ଷୀ ଆସିଥିଲେ | ଅର୍ଥାତ ଗତବର୍ଷ ଅପେକ୍ଷା ୩୫ ହଜାର ପକ୍ଷୀ ବୃଦ୍ଧି ପାଇଛନ୍ତି | ସେ ଆହୁରି କହିଛନ୍ତି ଏଥରୁ ୯ ଟି ନୂଆ ପ୍ରଜାତିର ପକ୍ଷୀ ହୀରାକୁଦକୁ ଆସିଛନ୍ତି।
ସୂଚନାଥାଉକି, ରାଜ୍ୟରେ ଶୀତକାଳୀନ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ସମସ୍ତ ୫୨ଟି ବନଖଣ୍ଡରେ ଏକକାଳୀନ ଗଣତି ଚାଲିଛି। ଚିଲିକା, ଭିତରକନିକା ଓ ହୀରାକୁଦରେ ସର୍ବାଧିକ ପକ୍ଷୀ ଦେଖିବାକୁ ମିଳୁଥିବାରୁ ଏହି ୩ଟି ସ୍ଥାନକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି।
ଏହା ପୂର୍ବରୁ ଶନିବାର ଚିଲିକାରେ ପକ୍ଷୀ ଗଣନା ସରିଥିଲା। ଗଣନା ଅନୁସାରେ ଚଳିତ ବର୍ଷ ଚିଲିକାକୁ ୧୧,୨୭,୨୨୮ ଦେଶୀ ଓ ବିଦେଶୀ ପକ୍ଷୀ ଆସିଛନ୍ତି। ଯାହାକି ଗତବର୍ଷ ତୁଳନାରେ ୧୦, ୫୩୧ ପକ୍ଷୀ କମ୍।