ଭୁବନେଶ୍ବର ୧୯।୧: ଭୁବନେଶ୍ବର ମଞ୍ଚେଶ୍ବର ସତ୍ୟ ବିହାରରେ ପୋଲିସ ଏବଂ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ କାର୍ପଟଦାର ଧରାପଡ଼ିନି । ବାଇକ୍ ଚୋରି ମାମଲାରେ ପୋଲିସ ରେଡ୍ କରୁଥିବା ବେଳେ ସେଠାରେ ଆତଙ୍କରାଜ ଚଳାଉଥିବା କିଛି କାର୍ପଟଦାର ପୋଲିସ ଉପରେ ଆକ୍ରମଣ କରିଥିଲେ । ଏପରିକି ଘଟଣାସ୍ଥଳକୁ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ନିର୍ଘାତ ଆକ୍ରମଣ କରିଥିଲେ ଏହି ଆତଙ୍କୀ ଗୋଷ୍ଠୀ । ଏହି ଘଟଣାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ମଞ୍ଚେଶ୍ବର ଥାନା ପୋଲିସ ପକ୍ଷରୁ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ କାର୍ପଟଦାର ପୋଲିସକୁ ଚକମା ଦେଇ ଘୁରି ବୁଲୁଛି ।
କୁଆଡ଼େ ଗଲା ମୁଖ୍ୟ କାର୍ପଟଦାର । ରାଜଧାନୀରେ ପୋଲିସ ଏବଂ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ହେଲେ ଧରାପଡ଼ିନି ମୁଖ୍ୟ କାର୍ପଟଦାର । ରାତି ଅଧରେ ଚୋରା ଗାଡିରେ ତଦନ୍ତ କରିବାକୁ ଯାଇଥିବା କମିଶନରେଟ୍ ପୋଲିସ ଆକ୍ରମଣ କଲେ । ଘରେ ପୂରେଇ ତାଲା ପକାଇ ଦେଲେ । ପୋଲିସକୁ ନିର୍ଘାତ ଆକ୍ରମଣ କଲେ । ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁଡ଼େଇ ତୁଡ଼େଇ ଆକ୍ରମଣ କଲେ । ସବୁ କିଛି ପୋଲିସ ସାମ୍ନାରେ ଘଟୁଥିଲା । ପୋଲିସ ୩ ଜଣଙ୍କୁ ଧରିଛି । ହେଲେ ମୁଖ୍ୟ କାର୍ପଟଦାର ପୋଲିସକୁ ଆକ୍ରମଣ କରି, କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରି ଖୁଲ୍ଲମଖୁଲ୍ଲା ବୁଲୁଛି ।
ଅନ୍ୟପଟେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ । ପୋଲିସ ଉପସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିଙ୍କ ମାଡ଼ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ।
ଗତ କିଛିଦିନରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ନଜିର ବଢୁଥିବା ଦେଖି ସାମ୍ବାଦିକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ସରକାରଙ୍କୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦାବି କରିଛନ୍ତି । ରାଜଧାନୀରେ ସାମ୍ବାଦିକଙ୍କୁ ଏପରି ଆକ୍ରମଣ ଘଟଣା ଚିନ୍ତାର ବିଷୟ । ଆଗକୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।
You Can Read: