ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲୁଥିବା ବେଳେ ମହିଳା ପର୍ଯ୍ୟଟକଙ୍କ ବେକରୁ ଲୁଟ ହେଲା ସୁନା ଚେନ୍ । ସୁନା ଚେନ୍ଟି ୧୪ ଗ୍ରାମର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବାଲେଶ୍ଵର ଉଦଳାର ଜଣେ ମହିଳା ରବିବାର ନିଜ ଝିଅ ସହ ନନ୍ଦନକାନନ ବୁଲିବାକୁ ଆସିଥିଲେ। ଆଉ ନନ୍ଦନକାନନରେ ବୁଲୁଥିବା ବେଳେ କେହି ତାଙ୍କ ବେକରୁ ସୁନା ଚେଟ୍ ଲୁଟ୍ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି ମହିଳା।
ସେପଟେ ଶନିବାର ରାତିରେ ବାରଙ୍ଗ ଥାନା ଅଞ୍ଚଳରୁ ମଧ୍ୟ ସିରିଜ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ଗୋଟିଏ ରାତିରେ ୪ ଟି ସ୍ଥାନରୁ ପୋଲିସ ଆଖିରେ ଧୁଳି ଦେଇ ଗୋଟିକ ପରେ ଗୋଟିଏ ଲୁଟ କରି ଫେରାର ହୋଇଛନ୍ତି।
ବଡ଼ କଥା ହେଲା ଗତ କିଛି ଦିନ ହେଲା ବାରଙ୍ଗ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ ବଢ଼ିଛି। ୧୫ ଦିନ ଭିତରେ ୭ ଟି ସ୍ଥାନରୁ ଲୁଟେରାମାନେ ଲୁଟ କରିସାରିଲେଣି। ଗତ ୬ ତାରିଖ ବିଳମ୍ୱିତ ରାତିରେ ଫକିରପଡ଼ା ଶନି ମନ୍ଦିରରୁ । ୧୨ ତାରିଖ ବିଳମ୍ୱିତ ରାତିରେ ଷଣ୍ଢପୁର ଦିଗୋଛିଆ ବାଙ୍କ ନିକଟ ଫାଷ୍ଟଫୁଡ ଦୋକାନ ଓ ନିର୍ମାଣାଧୀନ ଘରୁ, ୧୪ ତାରିଖ ବିଳମ୍ୱିତ ରାତିରେ ନରଣପୁର ଛକର ଏକ ଭେରାଇଟ ଦୋକାନରୁ ଚୋରି ହୋଇଥିଲା ।
ସେହିଭଳି ଗତ ଶନିବାର ବିଳମ୍ବିତ ରାତିରେ ତ୍ରିଶୁଳିଆ ଛକ ପୁଲିସ ପୋଷ୍ଟ ସମ୍ମୁଖ ଜଳଖିଆ ଦୋକାନ, ଚିକେନ ଦୋକାନ ଓ କୁସିନ୍ଦା ମଙ୍ଗଳା ମନ୍ଦିରରୁ ଲୁଟ ହୋଇଥିବା ବେଳେ କୃଷ୍ଣଚନ୍ଦ୍ରପୁର ବାଉଁଯୋରି ମନ୍ଦିର ନିକଟ ଏକ ଭେରାଇଟ ଦୋକାନରୁ ଲୁଟେରାମାନେ ଲୁଟ କରିଛନ୍ତି। ପୋଲିସ ଚୋରି ହୋଇଥିବା ସ୍ଥାନକୁ ଯାଇ ସ୍ଥିତ ଅନୁଧ୍ୟାନ କରିବା ସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।