ଭୁବନେଶ୍ୱର: ଆଉ ଶୁଣିବାକୁ ପାଇବିନି ସମୁଦି ଡାକ । ସକାଳେ କଥା ଦେଇଥିଲେ ସନ୍ଧ୍ୟାରେ ଦେଖାହେବ । କାମରେ ବ୍ୟସ୍ତ ଥିବାରୁ ଦେଖା କରିପାରିନଥିଲି । ଜାଣିନଥିଲି, ଏହି ଦେଖା ନ ହେବା ପାଇଁ ମୋତ ସାରା ଜୀବନ ଯନ୍ତ୍ରଣା ଦେବ ବୋଲି । ଶେଷ ଦେଖା ଏମିତି ହେବ ବୋଲି ଜାଣନଥିଲି । ଏମିତି କଣ କାହାକୁ ଦେଖା କରି ହୁଏ । ବନ୍ଧୁ ଠାରୁ ବହୁ ଉପରେ ଥିଲା ସେ । ସମୁଦି ନହେଲେ ବି ତାଙ୍କର ସମୁଦି ଡାକ ମୋତେ ଆପଣା ଆପଣା ଲାଗୁଥିଲା । ସେଥିରେ ବି ଭଗବାନ ପୁର୍ଣ୍ଣଛେଦ ପକାଇଦେଲେ । କଥା ହୋଇଥିଲୁ ୩ ମାସ ପରେ ସାଙ୍ଗ ହୋଇ ଘର କରିବାକୁ । ସେ ସ୍ବପ୍ନବି ରହିଗଲା ଅଧୁରା । ଏମିତି କିଛି କୋହଭରା କଣ୍ଠରେ କହିଛନ୍ତି ବନ୍ଧୁଙ୍କୁ ହରାଇଥିବା ଜଣେ ବନ୍ଧୁ । ସେମାନଙ୍କ ମଧ୍ୟରୁ ୨ ବନ୍ଧୁଙ୍କୁ ହରାଇ ଭାଙ୍ଗିପଡିଛନ୍ତି ଅନ୍ୟ ଜଣେ ବନ୍ଧୁ ।
ଆମେ କହୁଛି ଶନିବାର ସନ୍ଧ୍ୟାରେ ରାଜଭବନ ଛକରେ ଘଟିଥିବା ସେହି ମର୍ମନ୍ତତ ସଡକ ଦୁର୍ଘଟଣା କଥା । ଯାହା ରାଜଧାନୀ ଛାତିକୁ ଦୋହାଲାଇ ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ୨ ଜଣଙ୍କର ପ୍ରାଣ ଚାଲିଗଲା । ମୃତକ ଥିଲେ ୨ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ସେମାନେ ହେଲେ ଅବସର ପ୍ରାପ୍ତ ପୋଲିସ ଅଧିକାରି ରବି ଚଂଦ୍ର ନାୟକ, ଗୌର ଚଂଦ୍ର ନାୟକ । ଉଭୟ ୫ ବର୍ଷ ହେବ ଅବସର ନେଇ ଥିଲେ । ଅବସରପରେ ଗୌର ନାୟକ ଗାଙ୍ଗୋତ୍ରୀ ନଗର ଓ ରବି ନାୟକ କଳିଙ୍ଗ ବିହାରରେ ରହୁଥିଲେ । ଶନିବାର ୨ ଜଣ ସାଙ୍ଗ ହୋଇ ଗୋଟେ ବାଇକରେ ଘରୁ କିଛି କାମରେ ବାହାରିଥିଲେ । କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହେଲା । ତାଙ୍କର ଅନ୍ୟ ଜଣେ ସାଙ୍ଗ ଭାସ୍କରକୁ କଥା ଦେଇଥିଲେ ଯେ, ସନ୍ଧ୍ୟାରେ ରବି ଟର୍କିଜ ଠାରେ ଦେଖା ହେବାକୁ । ସେ କଥା କଥାରେ ରହିଗଲା ।
ଚାଲିଛି ସଡ଼କ ସୁରକ୍ଷା ମାସ । ହେଲେ ଗଡୁଛି ମୁଣ୍ଡ । ଦୋଷ କାହାର, କିଏ ଦାୟୀ । ଅନାୟସରେ ଯାଉଛି ଜୀବନ । ଦୁର୍ଘଟଣା କେଉଁଠି କାହା କୋଳରୁ ଛୁଆକୁ ଛଡାଇଲାଣି ତ, କାହା ସିନ୍ଦୁର ପୋଛି ଦେଲାଣି । ଆଉ କାହା ମୁଣ୍ଡ ଉପରୁ ବାପାର ହାତ ଉଠାଇ ଦେଲାଣି ।