ମହାନଦୀ ପ୍ରସଙ୍ଗରେ ପ୍ରସନ୍ନ କହିଲେ- ଦାସେ ଆସିଲେ ମୂଳରୁ ଗା, ପୃଥ୍ବୀରାଜଙ୍କ କଟାକ୍ଷ- ହନୁ ମଲା ବେଳେ ସତ କହିଲା

Published By : Prameya-News7 Bureau | December 14, 2024 IST

ଭୁବନେଶ୍ବର ୧୪।୧୨: ଛତିଶଗଡ଼-ଓଡ଼ିଶା ସୀମାରେ ବିଜେଡ଼ି ମହାନଦୀ ଅଭିଯାନ ଆରମ୍ଭ କରିଥିଲୁ l ସେଠାରେ ଏବେ ନଦୀ ନୁହେଁ, ମରୁଭୂମିରେ ପରିଣତ ହୋଇଛି ବୋଲି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଆଗକୁ ମହାନଦୀ ପାଣିକୁ ନେଇ ଭୟଙ୍କର ସ୍ଥିତି ସୃଷ୍ଟି ହେବ l ମହାନଦୀ ସମସ୍ୟା ନେଇ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ସହ ବାରମ୍ବାର ଆଲୋଚନା କରିଛୁ l କିନ୍ତୁ ଫଳ ଶୂନ l ଏବେ ଟ୍ରିପଲ ଇଞ୍ଜିନ ସରକାର l ହେଲେ ସମସ୍ୟାର ସମାଧାନ ହେବ ନାହିଁ  l ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପରିବର୍ତ୍ତନ କରାଯାଇଛି l ତେଣୁ ଦାସେ ଆସିଲେ ମୂଳରୁ ଗା l ପୁଣି ମୂଳରୁ ଶୁଣାଣି ଆରମ୍ଭ ହେବ l ଏ ସମସ୍ୟା ଦୂର ହେବା ବେଳକୁ ମହାନଦୀ ଲୀନ ହୋଇଯାଇଥିବ  l ତେଣୁ ଏବେଠାରୁ ସତର୍କ ରୁହନ୍ତୁ ସରକାର l ମହାନଦୀ ଯୋଗୁଁ ଓଡ଼ିଶାରେ ପାଣି ସଙ୍କଟ ଦେଖାଯିବା ସହ ଚାଷୀ ସମସ୍ୟା ଦେଖାଯିବ l ଆର୍ଥିକ ଓ ସାମାଜିକ ସମସ୍ୟା ସୃଷ୍ଟି ହେବ l 

ସେପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାନଦୀ ପ୍ରସଙ୍ଗ ଯଦି ଆଜି ଅସୁବିଧା ସ୍ଥିତିକୁ ଯାଇଛି ତାର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକ ନିଜେ । ମଧସ୍ଥତାକୁ ମନା କରି ନାଟକୀୟ ଢ଼ଙ୍ଗରେ ମାଠିଆ ବାଡ଼େଇଲେ । ଯାହା କି ରାଜନୀତିରେ ଏମିତି କରାଯାଏନି । ରାଜ୍ୟର ସ୍ୱାର୍ଥ କଥା ସେମାନେ ସେବେ ଭୁଲି ଯାଇଥିଲେ । ହନୁ ମଲା ବେଳେ ସତ କହିଲା ଭଳି ଆଜି ବିଜେଡିକୁ ସବୁ ମନେ ପଡୁଛି । ଅତୀତକୁ ସମାଲୋଚନା କରି କଥାକୁ ଏଡାଇ ଯିବାର ସରକାର ଆମର ନୁହେଁ । ଆମେ ସ୍ପଷ୍ଟ ଭାବେ କହୁଛୁ ଓଡ଼ିଶାର ସ୍ୱାର୍ଥ ପାଇଁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ଯାହା ଯାହା କରିବାର ଥିବ ଆମ ସରକାର ତାହା କରିବେ । ସେଥିପାଇଁ କେନ୍ଦ୍ର ସରକାରଙ୍କ ସବୁ ପ୍ରକାର ସହଯୋଗ ବି ଅଛି । ଅତୀତରେ ବି ଯେଉଁ ଲଢେଇ ଗୁଡ଼ିକ ଲଢ଼ି ବିଜେଡି ସରକାର ହାରିଛନ୍ତି ସେ ବଂଶଧାରା ଟ୍ରିବ୍ୟୁନାଲ ହେଉ କି ଯାହା ବି ତାହା କେବଳ ଏମାନଙ୍କ ଅବହେଳା କାରଣରୁ ହାରିଛନ୍ତି । ଏଥର କିନ୍ତୁ ମହାନଦୀ ଟ୍ରିବ୍ୟୁନାଲରେ ସେମିତି କିଛି ହେବାକୁ ଦିଆଯିବ ନାହିଁ । ଅନ୍ତତଃ ଅତୀତର ପୁନରାବୃତ୍ତି ଏ ସରକାରରେ ହେବ ନାହିଁ । ତେଣୁ ଅଯଥା ସମାଲୋଚନା କରି ରାଜନୈତିକ ଦ୍ଵନ୍ଦ୍ବ ସୃଷ୍ଟି ନକରୁ ବିଜେଡି । 

You Can Read:

କୋରାପୁଟ ଇଷ୍ଟଦେବୀ ମା’ ମୁତ୍ୟାଲୁଙ୍କର ମିଳିଲା ଆଜ୍ଞାମାଳ, ଉଦଘାଟନ ହେବ ଲୋକ ମହୋତ୍ସବ ‘ପରବ’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.