ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ୧୦୦ ଜଣ ପ୍ରାର୍ଥୀଙ୍କ ସ୍ଥିର କରି ସାରିଛି। ଗୁରୁବାର ବିଳମ୍ବିତ ରାତ୍ରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାର ହୋଇଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀ ସ୍ଥିର କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। କିଛିଦିନ ପରେ ଏହି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବଡ଼ ବଡ଼ ହାଇପ୍ରୋଫାଇଲ୍ ନେତାଙ୍କ ନାଁ ରହିଛି। ଯଥା ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀ, ଗୁଜରାଟ ଗାନ୍ଧୀ ନଗରରୁ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରେ ପ୍ରାର୍ଥୀ ହେବେ ବୋଲି ସ୍ଥିର ହୋଇଛି। ୨୦୧୯ ନିର୍ବାଚନରୁ ବିଜେପି ଯେଉଁ ନିର୍ବାଚନ ମଣ୍ଡଳୀର ଖରାପ ପ୍ରଦର୍ଶନ କରିଥିଲେ। ଏଥର ସେହି ଆସନଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
ଗୁରୁବାର ରାତିରେ ହୋଇଥିବା ବୈଠକରେ ବିଜେପିର ତୁଙ୍ଗ ନେତାଙ୍କର ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ଆସାମ, କେରଳ ଓ ତେଲେଙ୍ଗାନା ଆଦି ରାଜ୍ୟ ଉପରେ ନଜର ରହିଥିଲା।
ରାଜ୍ୟସଭା ସଦସ୍ୟ ଥିବା କିଛି କେନ୍ଦ୍ରମନ୍ତ୍ରୀ ଏଥର ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ସେମାନେ ହେଲେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦର ଯାଦବ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ମନ୍ତ୍ରୀ ସର୍ବନାନ୍ଦ ସୋନୋୱାଲ, ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କେନ୍ଦ୍ର ମନ୍ତ୍ରୀ (ମୋଏସ୍) ଭି ମୁରଲୀଧରନ୍।
ପ୍ରାର୍ଥୀ ତାଲିକାରେ ଦଳ ଏକାଧିକ ନୂଆ ଚେହେରାଙ୍କୁ ସ୍ଥାନ ଦେଇଛି। ଏଥିରେ ଏକାଧିକ ମହିଳା ଅଛନ୍ତି। ପଶ୍ଚିମବଙ୍ଗ ଆସାନସୋନ୍ଲେର ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଟକ୍କର ଦେବାକୁ ବିଜେପି ଭୋଜପୁରୀ ଷ୍ଟାର୍ ପୱନ ସିଂହଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
ଗୁରୁବାର ରାତି ୧୦.୩୦ ମିନିଟ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ସିଇସି ବୈଠକ ହୋଇଥିଲା। ବୈଠକରେ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଓ ରାଜନାଥ ସିଂହ ଯୋଗ ଦେଇଥିଲେ। ପରବର୍ତ୍ତି ତଥା ଅନ୍ତିମ ବୈଠକ ମାର୍ଚ୍ଚ ୩ ତାରିଖରେ ହେବ ବୋଲି ସୂଚନା ମିଳିଛି।
ଯେଉଁ ସାଂସଦମାନଙ୍କ ପ୍ରଦର୍ଶନ ଭଲ ନାହିଁ ସେମାନଙ୍କର ଟିକେଟ କଟାଯିବ। ବିହାର ଓ ଉତ୍ତର ପ୍ରଦେଶର କିଛି ମନ୍ତ୍ରୀଙ୍କର ଟିକେଟ୍ କଟାଯାଇପାରେ। ୬୦-୭୦ ସାଂସଦଙ୍କର ଟିକେଟ୍ ମଧ୍ୟ କଟାଯାଇପାରେ। ଯେଉଁ ସାଂସଦମାନେ ନିର୍ବାଚନ ମଣ୍ଡଳୀରୁ ଦୁଇଥର ନିର୍ବାଚନ ଜିତିଛନ୍ତି ସେମାନଙ୍କ ବଦଳରେ ଦଳ ନୂଆ ଚେହେରା ଦେବ। ହେଲେ ଓବିସି ସଂସଦଙ୍କ ଟିକେଟ୍ କ୍ୟାନ୍ସଲ ନ ହେଇପାରେ। ୨୦୧୯ରେ ଦଳ ୩୦୩ ପ୍ରାର୍ଥୀ ମଧ୍ୟରୁ ୮୫ ଜଣ ଓବିସି ଥିଲେ।