ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରୀ ନିଜର ସ୍ପଷ୍ଟବାଦୀ ଓ ନିର୍ଭୀକ ବୟାନ ପାଇଁ ପରିଚିତ। ମୁମ୍ବାଇ ତକକୁ ଦେଇଥିବା ସାକ୍ଷାତକାରରେ ସେ ବିଜେପିର ସାଂପ୍ରତିକ ସ୍ଥିତି ଓ ଅନେକ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା କରିଛନ୍ତି।
ଗଡକରୀ କହିଛନ୍ତି, ବିଜେପିରେ ଅଲଗା ଅଲଗା ପାର୍ଟିର ନେତା ଓ କର୍ମକର୍ତ୍ତାଙ୍କ ଯିବା ଆସିବା ଜାରି ରହିଛି। ବିଜେପି ହେଉଛି କାର୍ଯ୍ୟକର୍ତ୍ତାଙ୍କ ପାର୍ଟି। ନୂଆ ଲୋକମାନେ ଭିନ୍ନ ଭିନ୍ନ କାରଣ ପାଇଁ ଦଳରେ ଯୋଗ ଦେଉଛନ୍ତି। ସେମାନଙ୍କୁ ପ୍ରଶିକ୍ଷଣ ଦେବା, ବିଚାରଧାରା ଶିଖାଇବା ଓ କାର୍ଯ୍ୟକର୍ତ୍ତା ଭାବେ ପ୍ରସ୍ତୁତ କରିବା ଆମର ଦାୟିତ୍ଵ। ଆମର ଏହି ଉଦ୍ୟମ ଜାରି ରହିଛି। ହଜାର ସଂଖ୍ୟକ କାର୍ଯ୍ୟକର୍ତ୍ତା ପରିଶ୍ରମ କରନ୍ତି, ମାତ୍ର ବେଳେ ବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ଭୁଲ୍ କାମ ସେହି ହଜାର ସଂଖ୍ୟକ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମକୁ ବେକାର କରି ଦେଉଛି।
ଗଡ଼କରୀ କହିଛନ୍ତି, ଆମ ଦେଶରେ ମତଭେଦରେ କୌଣସି ସମସ୍ୟା ନାହିଁ, ମାତ୍ର ଚିନ୍ତାଧାରାର ଅଭାବ ଗୋଟିଏ ବଡ଼ ସମସ୍ୟା। ସୁବିଧାଜନକ ରାଜନୀତି ଗୁରୁତ୍ଵପୂର୍ଣ୍ଣ ନୁହେଁ ବରଂ ବିଚାରଧାରା ସହିତ ଆଗକୁ ଯାଉଥିବା ରାଜନୀତି ମହତ୍ଵପୂର୍ଣ୍ଣ ଅଟେ।
ବିଜେପିରେ ଅନ୍ୟ ପାର୍ଟିରୁ ଆସୁଥିବା ନେତା ଓ କାର୍ଯ୍ୟକର୍ତ୍ତା କାରଣରୁ କେବେ କେବେ ସମସ୍ୟା ଉତ୍ପନ ହୋଇଥାଏ। ଏହା ଉପରେ ଗଡ଼କରୀ କହିଛନ୍ତି, ଯେମିତି ଯେମିତି ଫସଲ ବଡ଼ ହୋଇଥାଏ, ରୋଗ ବି ବଢିଥାଏ। ବିଜେପିରେ ବହୁତ ଫସଲ ଅମଳ ହେଉଛି, ଯେଉଁଠି ଭଲ ଶସ୍ୟ ସହିତ କିଛି ରୋଗ ମଧ୍ୟ ଆଣିଥାଏ। ଏଥିପାଇଁ ଆମକୁ ଏମିତି ରୋଗୀଣା ଫସଲ ଉପରେ କୀଟନାଶକ ଦେବା ଦରକାର ବୋଲି ଗଡ଼କରୀ କହିଛନ୍ତି।