ନୂଆଦିଲ୍ଲୀ: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନର ଖୈବର ପଖତୁନଖ୍ବାରେ । ଅଖୋରା ଖଟ୍ଟକ ସ୍ଥିତ ଦାରୁଲ ଅଲୁମ ହକ୍କାନିଆ ମଦ୍ରାସାରେ ଶୁକ୍ରବାର ନମାଜ ଚାଲିଥିବା ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଯେଉଁଥିରେ ୫ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ଜମୀୟତ ଉଲେମା-ଏ-ଇସଲାମ-ସମୀ (JUI-S)ର ମୁଖ୍ୟ ମୌଲାନା ହମୀଦୁଲ ହକ ହକ୍କାନୀଙ୍କ ମୃତ୍ୟୁ ହୋଇଛି। ସେ ପୂର୍ବତନ JUI-Sର ମୁଖ୍ୟ ଏବଂ ‘ତାଲିବାନର ଜନକ’ କୁହାଯାଉଥିବା ମୌଲାନା ସମୀଉଲ ହକ ହକ୍କାନୀଙ୍କ ପୁଅ।
ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୌଲାନା ହମିଦୁଲ ହକ ହକ୍କାନୀ ନମାଜ ସମୟରେ ମସଜିଦର ପ୍ରଥମ ଧାଡ଼ିରେ ଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଆକ୍ରମଣର ମୁଖ୍ୟ ଟାର୍ଗେଟରେ ଥିଲେ। ବିସ୍ଫୋରଣ ପରେ ପରେ ଅଞ୍ଚଳରେ ହଇ ଚଇ ସୃଷ୍ଟି ହୋଇଥିଲା। ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା।
ପୋଲିସର ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ମୃତକ ଏକ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଯାଇଛି। ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି । ଯେଉଁ ମଦ୍ରାସାରେ ବିସ୍ଫୋରଣ ହୋଇଛି, ତାହା ଆଫଗାନ ତାଲିବାନ ସହ ଜଡ଼ିତ ଥିଲା ବୋଲି କୁହାଯାଉଛି। ଏହି କାରଣରୁ ଆଶଙ୍କା କରାଯାଉଛି ଯେ, ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନର ଷଡ଼ଯନ୍ତ୍ର ଥାଇପାରେ। ଘଟଣା ରମଜାନର ପବିତ୍ର ମାସର ଆରମ୍ଭରୁ ଘଟିଛି।
ଖୈବର ପଖତୁନଖ୍ବାର ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି) ଜୁଲଫିକର ହାମିଦ କହିଛନ୍ତି ଏହି ଆତ୍ମଘାତୀ ଆକ୍ରମଣର ଟାର୍ଗେଟ ମୌଲାନା ହମିଦୁଲ ହକ ଥିଲେ। ସୁରକ୍ଷା ଏଜେନ୍ସୀ ଏହି ଘଟଣାର ତଦନ୍ତ କରୁଥିବା କହିଛନ୍ତି।
ସୂଚନାଥାଉକି, ଦାରୁଲ ଉଲୁମ୍ ହକ୍କାନିଆ ମଦ୍ରାସା ଇସଲାମିକ୍ ବିଚାରଧାରା ପାଇଁ କୁଖ୍ୟାତ ଏବଂ ତାଲିବାନ ନେତାଙ୍କ ପାଇଁ ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବରେ ପରିଗଣିତ। ଏହି ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ମୌଲାନା ହମିଦୁଲ ହକ ସାଂସଦ ମଧ୍ୟ ଥିଲେ। ୨୦୧୮ରେ ତାଙ୍କ ପିତା ମୌଲାନା ସମିଉଲ ହକଙ୍କ ହତ୍ୟା ପରେ ସେ ଜମିୟତ ଉଲେମା-ଇ-ଇସଲାମ-ସମି (JUI-S)ର ମୁଖ୍ୟ ହୋଇଥିଲେ। ତାଙ୍କ ପିତା ମୌଲାନା ସମିଉଲ ହକଙ୍କୁ ‘ଫାଦର ଅଫ୍ ତାଲିବାନ’ ଭାବରେ ଜଣାଶୁଣା ଏବଂ ଆଫଗାନିସ୍ତାନ ତାଲିବାନର ଜଣେ ଦୃଢ଼ ସମର୍ଥକ ମଧ୍ୟ ଥିଲେ।
ବିବାଦରେ ରହିଆସିଛି ଏହି ମଦ୍ରାସା
୧୯୪୭ରେ ପ୍ରତିଷ୍ଠା ହୋଇଥିବା ଦାରୁଲ ଉଲୁମ୍ ହକାନିଆ, ପାକିସ୍ତାନର ଅନ୍ୟତମ ପ୍ରଭାବଶାଳୀ ଇସଲାମ ମଦ୍ରାସା। ଏହାକୁ ମୌଲାନା ସମୀଉଲ ହକଙ୍କ ପିତା, ମୌଲାନା ଅବଦୁଲ ହକ ହକ୍କାନୀ ସ୍ଥାପନ କରିଥିଲେ। ଅବଶ୍ୟ ଏହି ମଦ୍ରାସାର ଇତିହାସ ବିବାଦରେ ରହିଆସିଛି। ୨୦୦୭ରେ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟା ଘଟଣାରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଏହି ମଦ୍ରାସା ସହିତ ସମ୍ପର୍କ ଥିବା କୁହାଯାଉଥିଲା। ଅବଶ୍ୟ ମଦ୍ରାସା ପ୍ରଶାସନ ଏହି ଅଭିଯୋଗକୁ ଅସ୍ୱୀକାର କରିଆସିଛି।
ଦାରୁଲ ଉଲୁମ ହକାନିଆ ଦୀର୍ଘ ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନର ରାଜନୀତି, ଆଞ୍ଚଳିକ ଗୋଷ୍ଠୀ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟରେ ବିତର୍କର କାରଣ ପାଲଟିଛି। ମୌଲାନା ହମିଦୁଲ ହକଙ୍କ ମୃତ୍ୟୁ ପରେ ଏହି ସଂସ୍ଥା ପୁଣି ଚର୍ଚ୍ଚାକୁ ଆସିଛି।