‘ଗୋମାତା’ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ, ପ୍ରାଣୀ ସଂପଦ ସମୃଦ୍ଧି ଯୋଜନା ପାଇଁ ୧୦୩୧ କୋଟି ବରାଦ

Published By : Prameya-News7 Bureau | November 13, 2024 IST

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୫ଟି ପ୍ରସ୍ତାବ ରହିଛି। ରାଜ୍ୟ କ୍ୟାବିନେଟ୍‌ରେ ଗୋମାତା(ଗୋଲ୍ ଫର ମ୍ୟାନେଜମେଂଟ ଆଣ୍ଡ ଟ୍ରିଟମେଂଟ ଅଫ ଆନିମଲ) ଯୋଜନାକୁ ମଞ୍ଜୁରୀ ମିଳିଛି। 

ଏହି ଯୋଜନାରେ ପ୍ରାଣୀଙ୍କ ପାଇଁ ଟିକା ଉତ୍ପାଦନ, ଭ୍ରାମ୍ୟମାଣ ସେବା ବ୍ୟବସ୍ଥା କରାଯିବ। ଗୋମାତା ଯୋଜନାରେ ୩ ବର୍ଷରେ ୩୪୨ କୋଟି ଟଙ୍କା ଖର୍ଚ୍ଚ  ହେବ। ବାର୍ଷିକ ୨.୫ କୋଟି ଟିକାକରଣ ଓ୧.୩୦ କୋଟି ପ୍ରାଣୀଧନ ଚିକିତ୍ସା କରାଯିବ | ସେହିପରି ପ୍ରାଣୀ ସଂପଦ ସମୃଦ୍ଧି ଯୋଜନାରେ ମୋଟ୍ ୫ ବର୍ଷ ରେ ଖର୍ଚ୍ଚ ହେବ ୧୦୩୧ କୋଟି ଟଙ୍କା | ଏଥିରେ ୩  ଲକ୍ଷରୁ ଅଧିକ ଚାଷୀ ଉପକୃତ ହବେ | ୫ଲକ୍ଷ ଅଣ୍ଡା ପ୍ରତିଦିନ ଉତ୍ପାଦନ ହେବ | ସେହିରପି ୯୫.୫୮ ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେବ | ମତ୍ସ୍ୟ ସଂପଦ କ୍ଷେତ୍ରରେ ଭିତ୍ତି ଭୂମି ସୃଦୁଢ ପାଇଁ ୩ ବର୍ଷ ପାଇଁ ୪୪୯ କୋଟି ଟଙ୍କା ଖର୍ଚ୍ଚ ହେବ | 

ଏହିପରି ଜଳ ସମ୍ପଦ ଭିତ୍ତି ଭୂମି ଉନ୍ନୟନ କାର୍ଯ୍ୟକ୍ରମରେ ୯୬୫୨ କୋଟି ବ୍ୟୟ ବରାଦକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି| ଏହି କାର୍ଯ୍ୟକ୍ରମରେ ୬୪୩୫ ହେକ୍ଟର ସେଚ ଅଞ୍ଚଳ ଏବଂ ୧ ଲକ୍ଷ ୫୮ହଜାର ହେକ୍ଟର ଅତିରିକ୍ତ ସେଚା ଜଳ ସୃଷ୍ଟି କରାଯିବ |

ନିଯୁକ୍ତି ପରୀକ୍ଷାରେ ଅନିମିତତା ପଡ଼ିବ ମହଙ୍ଗା

ଏହା ସହିତ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ ୨୦୨୪ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏଥିରେ କୌଣସି ସରକାରୀ ନିଯୁକ୍ତି ଏବଂ ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା, ଜାଲିଆତି କିମ୍ବା ଚଞ୍ଚକତା କ୍ଷେତ୍ରରେ ଦଣ୍ଡ ବିଧାନ ପ୍ରବଧାନ କରାଯାଇଛି । ଦୋଷୀଙ୍କୁ ୩ରୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ଜରିମାନା ପ୍ରବଧାନ ରହିଛି । 

ଏହି ଅଧିନିୟମ ଅଧୀନରେ ସମସ୍ତ ଅପରାଧ, ଜାମିନ ବିହୀନ ଏବଂ ରଫା ଅଯୋଗ୍ୟ (non-compoundable) ହେବ । କୌଣସି ବ୍ୟକ୍ତି ଅନୁଚିତ ଉପାୟ ଏବଂ ଅପରାଧର ଆଶ୍ରୟ ନେଲେ, ତାଙ୍କୁ ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ । ସେବା ପ୍ରଦାନକାରୀ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଦଣ୍ଡିତ ହେବେ ଏବଂ ଏହିପରି ସେବା ପ୍ରଦାନକାରୀଙ୍କ ଠାରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ । ଜରିମାନା ପୈଠ କରିବାରେ ବିଫଳ ହେଲେ, ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁଯାୟୀ, ଅତିରିକ୍ତ କାରାବାସ ଦଣ୍ଡ ଲାଗୁ କରାଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.