ଭାରତକୁ ଶତ୍ରୁ କହିଲା କାନାଡା ! ସାଇବର ଆଟାକ୍‌ ନେଇ ନିଜ ଦେଶକୁ ସତର୍କ କରାଇଲେ ଟ୍ରୁଡୋ

Published By : Prameya-News7 Bureau | November 02, 2024 IST

HT

ନୂଆଦିଲ୍ଲୀ: ବର୍ତ୍ତମାନର କୂଟନୈତିକ ସଙ୍କଟ ମଧ୍ୟରେ ଆହୁରି ଖରାପ ହୋଇପାରେ କାନାଡା-ଭାରତ ସମ୍ପର୍କ। କାନାଡା ବିରୋଧୀ ଦେଶରେ ତାଲିକାଭୁକ୍ତ ହୋଇଛି ଚୀନ୍, ଋଷ, ଇରାନ ଏବଂ ଉତ୍ତର କୋରିଆ ସହିତ ଭାରତ। ଏଭଳି ରିପୋର୍ଟ ପ୍ରକାଶ କରିଛନ୍ତି କାନାଡା ସରକାର।

ରିପୋର୍ଟ ଅନୁଯାୟୀ, କୂଟନୈତିକ ବିବାଦ ପରେ ଭାରତ ସମର୍ଥକ ହ୍ୟାକର ଗୋଷ୍ଠୀ କାନାଡିୟ ୱେବସାଇଟ ଉପରେ ସାଇବର ଆଟାକ କରିଥିବା ଅଭିଯୋଗ ହୋଇଛି। ପ୍ରଥମ ଥର ପାଇଁ ଦେଶର ସାଇବର ସୁରକ୍ଷା କେନ୍ଦ୍ର ଦ୍ୱାରା ପ୍ରକାଶିତ ନ୍ୟାସନାଲ ସାଇବର ଥ୍ରେଟ୍‌ 2025-2026ରେ କାନାଡା ସରକାର ଭାରତକୁ “ବିରୋଧୀ” ଭାବରେ ଚିହ୍ନିତ କରାଯାଇଛି।

କାନାଡାରେ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ଟାର୍ଗେଟ କରାଯାଉଥିବା ନେଇ ନୂଆଦିଲ୍ଲୀ ଉପରେ ବାରମ୍ବାର ଅଭିଯୋଗ କରିଥିବାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ଫାଟ ଦେଖାଯାଇଛି। ଭାରତ ପ୍ରତ୍ୟେକ ଥର କାନାଡାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଭିତ୍ତିହୀନ ବୋଲି କହିଛି। ସମ୍ପର୍କ ତିକ୍ତତା ହେତୁ ଉଭୟ ଦେଶ ସେମାନଙ୍କ ରାଷ୍ଟ୍ରଦୂତମାନଙ୍କୁ ଫେରାଇ ନେଇଛନ୍ତି। ବର୍ତ୍ତମାନ ଏଭଳି ପରିସ୍ଥିତିରେ ଚୀନ୍, ଋଷ, ଇରାନ ଏବଂ ଉତ୍ତର କୋରିଆ ସହିତ ଭାରତକୁ ତାଲିକାଭୁକ୍ତ କରିବା ସମ୍ପର୍କକୁ ଆହୁରି ତିକ୍ତ କରିପାରେ।

ଏହି ରିପୋର୍ଟରେ, ଭାରତ ପ୍ରସଙ୍ଗରେ କୁହାଯାଇଛି, ଆମର ମୂଲ୍ୟାଙ୍କନ ହେଉଛି ଯେ, ଯେଉଁମାନେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସାଇବର ଆଟାକ୍‌ କରନ୍ତି, ସେମାନେ ଗୁପ୍ତଚର ଉଦ୍ଦେଶ୍ୟରେ କାନାଡା ସରକାରଙ୍କ ନେଟୱର୍କ ବିରୋଧରେ କାର୍ଯ୍ୟକଳାପ କରିପାରିବେ। ନିକଟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କାନାଡାର ଯୋଗାଯୋଗ ସୁରକ୍ଷା ପ୍ରତିଷ୍ଠାନର ମୁଖ୍ୟ କାରୋଲିନ ଜାଭିୟର କହିଛନ୍ତି ଯେ କାନାଡା ଏବଂ ଭାରତ ମଧ୍ୟରେ ସରକାରୀ ଦ୍ୱିପାକ୍ଷିକ ସମ୍ପର୍କ କାନାଡା ବିରୋଧରେ ଭାରତୀୟ ପ୍ରାୟୋଜିତ ସାଇବର ବିପଦ କାର୍ଯ୍ୟକଳାପକୁ ଅଟକାଇବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.