ନୂଆଦିଲ୍ଲୀ: କାନାଡାର ବ୍ରାମ୍ପଟନ୍ ସହରରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ । ଖଲିସ୍ତାନୀ ସମର୍ଥକମାନେ ଠେଙ୍ଗା ବାଡ଼ି ଧରି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ । ସେଠାରେ ଥିବା ଭକ୍ତମାନଙ୍କୁ ଭୀଷଣ ମାଡ଼ ମାରିଥିବା ସୂଚନା ରହିଛି । ହମ୍ଲା ସମୟରେ ଆକ୍ରମଣକାରୀମାନେ ଖଲିସ୍ତାନୀ ପତାକା ଦେଖାଇଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଉପରେ ଆକ୍ସନ ନେବା ବଦଳରେ ଓଲଟା ଶ୍ରଦ୍ଧାଳୁଙ୍କୁ ମାରପିଟ୍ କରିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ପୋଲିସକର୍ମୀ ନିଲମ୍ବିତ ହୋଇଛନ୍ତି । ସସ୍ପପେଣ୍ଡ ପୋଲିସକର୍ମୀ ହେଉଛନ୍ତି ହରିନ୍ଦର ସୋହି ।
ପିଲ୍ ଅଞ୍ଚାଳିକ ପୋଲିସ କହିଛି, ଇଣ୍ଟରନେଟରେ ଭାଇରାଲ୍ ହୋଇଥିବା ଭିଡିଓ ତର୍ଜମା କରାଯାଇଛି । ଯେଉଁଥିରେ ଜଣେ ଅନ୍-ଡ୍ୟୁଟି ପୋଲିସକର୍ମୀ ମନ୍ଦିର ବାହାରେ ଖଲିସ୍ତାନୀ ସମର୍ଥକଙ୍କ ସହ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହା କମ୍ୟୁନିଟି ସେଫ୍ଟି ଆଣ୍ଡ୍ ପୋଲିସିଂ ଆକ୍ଟର ଉଲ୍ଲଙ୍ଘନ ହୋଇଛି । ତେଣୁ ପୋଲିସକର୍ମୀ ହରିନ୍ଦର ସୋହିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ପିଲ୍ ପୋଲିସ ମିଡିଆକୁ ସୂଚନା ଦେଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ଲେଖିଛନ୍ତି, କାନାଡାରେ ହିନ୍ଦୁ ମନ୍ଦିର ଉପରେ ହେଉଥିବା ବାରମ୍ବାର ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି । ଆମ ଦୂତାବାସ ଅଧିକାରୀଙ୍କୁ ଧମକାଇବା ପାଇଁ ଏଭଳି କାପୁରୁଷ ଉଦ୍ୟମ ହେଉଛି । ଏଭଳି ହିଂସା ଆଚରଣ ଭାରତର ମନୋବଳକୁ ଆଦୌ ଦୁର୍ବଳ କରିପାରିବ ନାହିଁ । କାନାଡା ସରକାର ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ ସହ ଆଇନ ଶୃଙ୍ଖଳା ବଜାୟ ରଖିବେ ବୋଲି ଆଶା । ଭାରତର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଚରମପନ୍ଥୀ ଓ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ହିନ୍ଦୁ ସଭା ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ଆମେ ନିନ୍ଦା କରୁଛୁ । ଆମେ କାନାଡା ସରକାରଙ୍କୁ ସମସ୍ତ ହିନ୍ଦୁ ପୂଜାସ୍ଥଳୀର ସୁରକ୍ଷା ପାଇଁ ଅପିଲ କରୁଛୁ । ଆଶା କରୁଛୁ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ, ସେମାନଙ୍କୁ ଦଣ୍ଡ ଦିଆଯିବ । ଓଟାୱାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୋଗ ବୟାନ ଜାରି କରି କହିଛି ଯେ ଟରଣ୍ଟୋ ନିକଟସ୍ଥ ବ୍ରାମ୍ପଟନ୍ରେ ହିନ୍ଦୁ ସଭା ମନ୍ଦିରରେ ଭାରତବିରୋଧୀ ତତ୍ତ୍ୱ ହିଂସାକାଣ୍ଡ କରିଛନ୍ତି । ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଆମେ ଗଭୀର ଭାବେ ଚିନ୍ତିତ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।