କନିଆ ଦେଖି ଫେରୁଥିଲେ, ଭାରସାମ୍ୟ ହରାଇ କେନାଲରେ ପଶିଲା କାର୍, ୨ ମୃତ

Published By : Prameya-News7 Bureau | March 26, 2025 IST

କଳାହାଣ୍ଡି: କନିଆ ଦେଖିବା ପାଇଁ ଯାଇଥିଲେ । କିନ୍ତୁ ଫେରିବା ବାଟରେ ଛକି ବସିଥିଲା ଯମ । ବାଇକ ସହ ମୁହାଁମୁହିଁ ହେବା ପରେ ନିୟନ୍ତ୍ରଣ ହରାଇ କେନାଲ ଭିତରକୁ ପଶିଗଲା କାର, ଆଉ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ ଓ ଶିଶୁ ଅଛନ୍ତି । ମୃତକମାନେ ହେଲେ ରେଙ୍ଗାଲପାଳି ଗାଁର ଲାଲଧର ରାଉତ ଓ  ୫ ବର୍ଷର ଶିଶୁ ପୁତ୍ର  l 

ସୂଚନା ଅନୁଯାୟୀ ଜୟପାଟଣା ବ୍ଲକ ରେଙ୍ଗାପାଲି ଗାଁର ବଲଦେବ ରାଉତଙ୍କ ପରିବାରର ୧୧ ଜଣ ସଦସ୍ୟ କଲମପୁର ବ୍ଲକର ନୂଆଗାଁକୁ ଝିଅ ଦେଖିବା ପାଇଁ ଯାଇଥିଲେ । ହେଲେ ଫେରିବା ବେଳେ କେନାଲ ରାସ୍ତାରେ ଏକ ବାଇକ ସହ ମୁହାଁମୁହିଁ ହେବା ପରେ ଗାଡି ଭାରସାମ୍ୟ ହରାଇ ବସିଥିଲା । ଏହାପରେ ଠେଲକୋମୁଣ୍ଡା ଦେଇ ଯାଇଥିବା ବାମ କେନାଲ ଭିତରେ ପଡିଯାଇଥିଲା  l ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ଜୟପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ । ତେବେ ଗାଡ଼ିରେ ବସିଥିବା ଜଣେ ଶିଶୁ ପୁତ୍ର ନୋଖୋଜ ଥିଲା । ଖୋଜାଖୋଜି କରିବା ପରେ ନିଖୋଜ ଥିବା ଶିଶୁକୁ ଉଦ୍ଧାର କରାଯାଇଥିଲା l ହେଲେ ସେତେବେଳକୁ ଶିଶୁର ମୃତ୍ୟୁ ହୋଇସାରିଥିଲା l ଅନ୍ୟପଟେ ତିନି ଆହତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.