ଭୁବନେଶ୍ବର ୨୮।୩: କଂଗ୍ରେସର ବିଧାନସଭା ଘେରାଉ ବେଳେ ଲୋୟର ପିଏମ୍ଜି ରଣକ୍ଷେତ୍ର ପାଟଲିବା ଘଟଣାରେ ରୁଜୁ ହେଲା ୩ଟି ମାମଲା । କ୍ୟାପିଟାଲ ଥାନାରେ ପୋଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି । ଗୋଟିଏ ପୋଲିସ ଗାଡି ପୋଡି ଏବଂ ଅନ୍ୟଟି ପୋଲିସକୁ ଆକ୍ରମଣ ଘଟଣାରେ ମାମଲା ରୁଜୁ । ଏହା ପୂର୍ବରୁ ବିଧାନସଭା ଗେଟ୍ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ନେଇ ଏକ ମାମଲା ରୁଜୁ ହୋଇଥିଲା ।
ସେପଟେ ଲାଠି ଚାର୍ଜ ଘଟଣାରେ ପୋଲିସ ବିରୁଦ୍ଧରେ ହ୍ୟୁମାନ ରାଇଟ୍ସ କମିଶନରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କଲେ ଆଇନଜୀବୀ ଲଲାଟେନ୍ଦୁ ଦାସ । ପୋଲିସ ଡିଜି, ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ବିରୁଦ୍ଧରେ ଅଭିଯୋଗ । ବିନା କାରଣରେ କଂଗ୍ରେସ କର୍ମୀଙ୍କ ଉପରେ ପ୍ରଥମେ ପୋଲିସ ଲାଠିମାଡ଼ କରିଥିବା ଅଭିଯୋଗ ହୋଇଛି । କଂଗ୍ରେସର ୧୦୦ରୁ ଅଧିକ କର୍ମୀ ଆହତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ।
ଗୁରୁବାର କଂଗ୍ରେସର ବିଧାନସଭା ଘେରାଉ ବେଳେ କାହିଁକି ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି ? ପୋଲିସ ଉପରକୁ ଅଣ୍ଡା, ଟମାଟୋ, ଢ଼େଲା ପଥର, ଚେୟାର ମାଡ଼ କଲା କିଏ ? କିଏ ପୋଲିସ ପିସିଆର୍ ଭ୍ୟାନ୍ରେ ନିଆଁ ଲଗାଇଲେ ? ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଆମେ ଅପିଲ କରିଥିଲୁ ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ । କିଛି ଦୁର୍ବୃତ୍ତ ହିଂସାତ୍ମକ ଉପାୟ କରିବାକୁ ଚେଷ୍ଟା କରିଛନ୍ତି । ସେମାନେ ନିର୍ଦ୍ଧିଷ୍ଟ କ୍ରିମିନାଲ ଆଟିଚ୍ୟୁଡ୍ ନେଇ ଆସିଥିଲେ । ସେମାନେ କିନ୍ତୁ କଂଗ୍ରେସ ଦଳର ନୁହନ୍ତି । ସେପଟେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, କାଲି କଂଗ୍ରେସର ଅସଲ ଚେହେରା ରାଜ୍ୟବାସୀ ଦେଖିଛନ୍ତି । କଂଗ୍ରେସର ଏହା ଜେନେଟିକ୍ ପ୍ରୋବଲେମ୍ ବୋଲି କହିଛନ୍ତି ଆଇନମନ୍ତ୍ରୀ । ସେପଟେ ଗତକାଲି ପୋଲିସ ଡିଜି କହିଥିଲେ ଯେ, ଯେଉଁମାନେ ହିଂସା କରିଛନ୍ତି କାହାରିକୁ ଛଡ଼ା ଯିବ ନାହିଁ । ଖୋଜି ଖୋଜି ଗିରଫ କରାଯିବ ବୋଲି କହିଥିଲେ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ।
You Can Read:
ଯେଉଁମାନେ ଦଙ୍ଗା କଲେ ସେମାନେ କଂଗ୍ରେସ କର୍ମୀ ନୁହନ୍ତି : ଭକ୍ତଚରଣ ଦାସ