ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓଲା ଇଲେକ୍ଟ୍ରିକ୍ ବିରୋଧରେ ବଢୁଥିବା ଅଭିଯୋଗ ଉପରେ କମ୍ପାନିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେଣ୍ଟ୍ରାଲ୍ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି (ସିସିପିଏ) ହଜାର ହଜାର ଅଭିଯୋଗ ମିଳିବା ପରେ ଆକ୍ସନ ନେଇଛି । ଏହି ନୋଟିସ ଅକ୍ଟୋବର ୩ରେ ଜାରି କରାଯାଇଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ଓଲା ଖରାପ ସେବା, ବିଭ୍ରାନ୍ତିକର ବିଜ୍ଞାପନ, ଅନୁଚିତ ଟ୍ରେଡ୍ ପ୍ରାକ୍ଟିସ୍ ଏବଂ ଖାଉଟି ଅଧିକାରର ଇଲ୍ଲଂଘନ କରିଛି । ଓଲାକୁ ୧୫ ଦିନ ଭିତରେ ନୋଟିର ଜବାବ ଦେବା ପାଇଁ କୁହାଯାଇଛି ।
ଓଲା ଇଲେକ୍ଟ୍ରିକ ସେବା ପ୍ରଦାନ ଏବଂ ସମସ୍ୟା ଦୂର ନକରିବା କାରଣରୁ ଅନେକ ସମାଲୋଚନାର ସାମନା କରିବାକୁ ପଡ଼ୁଛି । ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ରାଷ୍ଟ୍ରୀୟ ଉପଭୋକ୍ତା ହେଲ୍ପଲାଇନ ୨୦୨୩ ସେପ୍ଟେମ୍ୱର ୧ରୁ ୨୦୨୪ ଅଗଷ୍ଟ ୩୦ ମଧ୍ୟରେ ଓଲା ଇ-ସ୍କୁଟର ସହ ଜଡ଼ିତ ୧୦,୬୪୪ ଅଭିଯୋଗ ମିଳିଛି । ଏଥିରୁ ୩,୩୮୯ ମାମଲା ସେବାରେ ବିଳମ୍ୱ, ୧,୮୯୯ ଡେଲିଭରିରେ ବିଳମ୍ୱ ଏବଂ ୧,୪୫୯ ସର୍ଭିସରେ ପ୍ରତିଶ୍ରୁତି ଉଲ୍ଲଂଘନ ସହ ଜଡ଼ିତ ରହିଛି ।
ଏହି ସବୁ ଅଭିଯୋଗରେ କମ୍ପାନିର ଉତ୍ପାଦରେ ତ୍ରୁଟି, ସେକେଣ୍ଡ-ହ୍ୟାଣ୍ଡ ସ୍କୁଟରର ବିକ୍ରି, ରଦ୍ଦ କରାଯାଇଥିବା ବୁକିଂର ରିଫଣ୍ଡ କମ, ସର୍ଭିସିଂ ପରେ ଲଗାତାର ସମସ୍ୟା ରହିଛି । ଏହାସହ ଓଭର ଚାର୍ଜିଂ, ବିଲିଂରେ ତ୍ରୁଟି ଏବଂ ବ୍ୟାଟେରି ସହ ଜଡ଼ିତ ସମସ୍ୟା ପରି ଗୁରୁତର ପ୍ରସଙ୍ଗକୁ ଜୋର ଦିଆଯାଇଛି । ଆଜ୍ତକ୍ ରିପୋର୍ଟରେ ଉପଭୋକ୍ତା ମାମଲା ବିଭାଗର ସଚିବ ନିଧି ଖରେ କହିଛନ୍ତି ଯେ ସିସିପିଏ ଓଲା ଇଲେକ୍ଟ୍ରିକ୍ ବିରୋଧରେ ଅନେକ ଅଭିଯୋଗର ତଦନ୍ତ କରାଯାଉଛି । ଏଥିରେ ମୁଖ୍ୟ ରୂପେ ଖରାପ ସେବା ସହ ଜଡ଼ିତ ରହିଛି । ତେବେ ଓଲା ଇଲେକ୍ଟ୍ରିକ ଏହି ମାମଲାରେ କୌଣସି ଟିପ୍ପଣୀ କରି ନାହିଁ । ବିବାଦ ଏବଂ ତଦନ୍ତ ମଧ୍ୟରେ କମ୍ପାନିର ସେୟାରରେ ପ୍ରାୟ 9 ପ୍ରତିଶତ ହ୍ରାସ ରେକର୍ଡ ହୋଇଛି ।