ନୂଆଦିଲ୍ଲୀ: ଚନ୍ଦ୍ରଯାନ-୫ ମିଶନକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଭି.ନାରାୟଣନ ଏହି ସୂଚନା ଦେଇଛନ୍ତି । ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମାନବ ପଠାଇବା ନେଇ ଭାରତର ଲକ୍ଷ୍ୟ ଦିଗରେ ଏହି ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ବ୍ୟତୀତ ସରକାର ୨୦୩୫ ସୁଦ୍ଧା "ଭାରତୀୟ ମହାକାଶ ଷ୍ଟେସନ" ପ୍ରତିଷ୍ଠା ଯୋଜନାକୁ ମଧ୍ୟ ଅନୁମୋଦନ କରିଛନ୍ତି ।
ଚେନ୍ନାଇରେ ଏକ କାର୍ଯ୍ୟକ୍ରମ ସମୟରେ ନାରାୟଣନ କହିଛନ୍ତି ଯେ ISRO ଅନେକ ବଡ଼ ପ୍ରକଳ୍ପ ଉପରେ କାମ କରୁଛି । ସେ କହିଛନ୍ତି, "ଆମର ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନ ଜାରି ରହିଛି । ଚନ୍ଦ୍ରଯାନ-୪ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରିବା । ସେହିପରି ତିନି ଦିନ ପୂର୍ବରୁ ମଞ୍ଜୁରି ମିଳିଥିବା ଚନ୍ଦ୍ରଯାନ-୫ରେ ୩୫୦ କିଲୋଗ୍ରାମର ରୋଭର ରହିବ । ଭାରତ ଏବଂ ଜାପାନ ଏହି ମିଶନରେ ଏକାଠି କାମ କରୁଛନ୍ତି।” ଏହା ସ୍ପଷ୍ଟ କରୁଛି ଯେ ଭାରତ ମହାକାଶରେ ଏହାର କ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।
ଇସ୍ରୋ ଏପର୍ଯ୍ୟନ୍ତ ତିନୋଟି ଚନ୍ଦ୍ରଯାନ ମିଶନକୁ ସଫଳତାର ସହ ଶେଷ କରିଛି । ଚନ୍ଦ୍ରଯାନ-୩ର ସଫଳତା ଭାରତକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିବା ଦେଶମାନଙ୍କ ତାଲିକାରେ ସାମିଲ କରିଥିଲା । ପୂର୍ବରୁ କେନ୍ଦ୍ର ସରକାର ଚନ୍ଦ୍ରାୟନ-୪ ମିଶନକୁ ମଧ୍ୟ ଅନୁମୋଦନ କରିଥିଲେ, ଯାହାର ଲକ୍ଷ୍ୟ ଚନ୍ଦ୍ରରେ ଅବତରଣ କରିବା ଏବଂ ନମୁନା ଧରି ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବା ।
ନାରାୟଣନ କହିଛନ୍ତି ଯେ ଭାରତ ଏପର୍ଯ୍ୟନ୍ତ ୧୩୧ଟି ଉପଗ୍ରହ ପ୍ରକ୍ଷେପଣ କରିଛି, ଯେଉଁଥିରୁ ଅନେକ ସାର୍କ ଦେଶଗୁଡ଼ିକୁ ମଧ୍ୟ ଦିଆଯାଇଛି । ଗତ ୧୦ ବର୍ଷ ମଧ୍ୟରେ, ISRO ୪୩୩ଟି ଉପଗ୍ରହ ସଫଳତାର ସହ ଉତ୍କ୍ଷେପଣ କରିଛି । ଏଥିରେ ୩୪ଟି ଉପଗ୍ରହ ଅନ୍ୟ ଦେଶର ଥିଲା । ସେ କହିଛନ୍ତି ଯେ ISRO ୯୦% ସଫଳତା ହାର ହାସଲ କରିଛି, ଯାହା ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ଉପଲବ୍ଧି । ଏହି ସଂଖ୍ୟା ଦର୍ଶାଉଛି ଯେ ଭାରତ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ ଏକ ନିର୍ଭରଯୋଗ୍ୟ ଲଞ୍ଚ୍ ସେବା ପ୍ରଦାନକାରୀ ହୋଇପାରିଛି ।
ଏହି କାର୍ଯ୍ୟକ୍ରମରେ ସେ ISROର ପୂର୍ବତନ ଅଧ୍ୟକ୍ଷ କେ.ଶିବନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ବି ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ କେବଳ ଗୋଟିଏ ଲକ୍ଷ୍ୟ- ଭାରତକୁ ବିକଶିତ କରିବା । ମୁଁ ଏକ ସାଧାରଣ ପରିବାରରୁ ଆସିଛି, କିନ୍ତୁ ମୋ ସହିତ କାମ କରିଥିବା ସମସ୍ତ ସହକର୍ମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି।”