ରାସ୍ତାକଡ଼ର ଶସ୍ତା ହେଲ୍‌ମେଟ ନେଉଛି ଜୀବନ: ନକଲି ଧରିବାକୁ ଅଭିଯାନ ଆରମ୍ଭ କଲେ କେନ୍ଦ୍ର ସରକାର

Published By : Prameya-News7 Bureau | October 26, 2024 IST

internet

ନୂଆଦିଲ୍ଲୀ: ନକଲି ବ୍ରାଣ୍ଡ୍ ଓ ଖରାପ ମାନର ହେଲମେଟକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏନେଇ ବିଆଇଏସ୍(ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ) ରାଜ୍ୟଗୁଡ଼ିକର ଓ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ଚିଠି ଲେଖିଛି। ଏଥିରେ ନକଲି ଓ ଖରାପ ମାନର ହେଲ୍‌ମେଟ ବିକ୍ରି ବନ୍ଦ କରିବା ଏବଂ ଏହାର ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଅଭିଯାନ ଆରମ୍ବ କରିବାକୁ ବିଆଇଏସ୍ କହିଛି। ସୂଚନା ଥାଉକି ୧୬୨ ହେଲମେଟ ଉତ୍ପାଦକଙ୍କ ଲାଇସେନ୍ସ ବାତିଲ ହୋଇଛି କିମ୍ବା ସେମାନଙ୍କର ବୈଧତା ସମାପ୍ତ ହୋଇଛି।  ଏହି କମ୍ପାନୀଗୁଡ଼ିକ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଓ କର୍ଣ୍ଣାଟକ ରାଜ୍ୟର।

ସଡକ ସୁରକ୍ଷା ଏବଂ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଥାଉଟି ବ୍ୟାପାର ବିଭାଗ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହା ଅଧୀନରେ ଜିଲ୍ଲା କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖାଯାଇଛି, ଯେଉଁଥିରେ ସେମାନଙ୍କୁ ସାରା ଦେଶରେ ଅଭିଯାନ ଚଳାଇବାକୁ କୁହାଯାଇଛି। ମୋଟର ଯାନ ଅଧିନିୟମ ୧୯୮୮ ଅନୁଯାୟୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଏହି ନକଲି ହେଲ୍‌ମେଟ ପାଇଁ ଲୋକଙ୍କ ଜୀବନ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ବିଏସ୍ ସାର୍ଟିଫିକେଟ୍ ନଥାଇ ନକଲି ହେଲ୍‌ମେଟ ବିକ୍ରି ହେଉଛି। ଯାହା ଜନସାଧାରଣଙ୍କ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି। ଦୁର୍ଘଟଣା ସମୟରେ ଲୋକଙ୍କ ମୁଣ୍ଡ ସୁରକ୍ଷା ଦେଇପାରୁ ନାହିଁ ଏହି ହେଲ୍‌ମେଟ୍। 

ତେଣୁ ବିଏସ୍ ଲାଇସେନ୍ସ ବିନା ହେଲ୍‌ମେଟ ପ୍ରଡକ୍ସନ କରୁଥିବା କମ୍ପାନୀ ଏବଂ ନକଲି ଆଇଏସଆଇ ମାର୍କ ବ୍ୟବହାର କରି ହେଲ୍‌ମେଟ ବିକୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। 

ବଜାରରେ ନକଲି ହେଲ୍‌ମେଟର ବିକ୍ରି ଯୋଗୁ ଯାଉଥିବା ଜୀବନ ନେଇ ଚିନ୍ତା ବ୍ୟକ୍ତ କରି ଗ୍ରାହକଙ୍କୁ ସତର୍କ ରହିବାକୁ ଖାଉଟି କଲ୍ୟାଣ ମନ୍ତ୍ରାଳୟ କହିଛି। ଏବଂ ହେଲ୍‌ମେଟ ଉତ୍ପାଦନକାରୀ କମ୍ପାନୀ ପାଖରେ ବିଆଇଏସ୍ ସାର୍ଟିଫିକେଟ୍ ଅଛି କି ନାହିଁ ଗ୍ରାହକ  BIS Care (ବିଆଇଏସ କେୟାର) ଆପ୍ କିମ୍ବା BIS ୱେବ୍‌ସାଇଟ୍‌କୁ ଯାଇ ଚେକ୍ କରିପାରିବେ ବୋଲି ମନ୍ତ୍ରଣାଳୟ କହିଛି। 

ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ସଚିବ ନିଧି ଖରେ କହିଛନ୍ତି ଯେ ଉଚ୍ଚମାନର ହେଲ୍‌ମେଟ ଲୋକଙ୍କ ଜୀବନ ବଞ୍ଚାଇଥାଏ। ବଜାରରୁ ନକଲି ହେଲ୍‌ମେଟ ହଟାଇବା ଓ ଅସୁରକ୍ଷିତ ହେଲ୍‌ମେଟ ବିଷୟରେ ଲୋକଙ୍କୁ ଜାଗ୍ରତ କରାଇବା ସହ ବିଆଇଏସ ପ୍ରାମାଣିକତାର ମହତ୍ୱ ବିଷୟରେ ଜଣାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ତେଣ ନାଗରିକଙ୍କ ସୁରକ୍ଷା ପାଇଁ ଏହି ଅଭିଯାନରେ ଭାଗ ନେବାକୁ ସମସ୍ତ ହିତାଧିକାରୀଙ୍କୁ ଅନୁରୋଧ କରିଛନ୍ତି ସଚିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.