ପରଲୋକ ପୂର୍ବରୁ ଶାନ୍ତନୁ ନାୟଡୁଙ୍କୁ ମାଲାମାଲ କରିଯାଇଛନ୍ତି ରତନ ଟାଟା, ଜାଣନ୍ତୁ ଦେଇଛନ୍ତି କ’ଣ?

Published By : Prameya-News7 Bureau | October 26, 2024 IST

ମୁମ୍ବାଇ ୨୬।୧୦: ଟାଟା ଟ୍ରଷ୍ଟର ସମ୍ମାନୀତ ଚେୟାରମ୍ୟାନ ରତନ ଟାଟାଙ୍କର ଅକ୍ଟୋବର ୯ ତାରିଖରେ ପରଲୋକ ହୋଇଯାଇଛି। ଟାଟାଙ୍କ ପରଲୋକର ପାଖାପାଖି ୧୫ ଦିନ ପରେ ତାଙ୍କ ୱିଲ ଏବେ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ରତନ ଟାଟା ତାଙ୍କ ପଛରେ ପାଖାପାଖି ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି। ସୂଚନା ମୁତାବକ ରତନ ଟାଟା ତାଙ୍କ ସମ୍ପତ୍ତିରେ ଟାଟା ଟ୍ରଷ୍ଟର ସବୁଠୁ ଯୁବ ମହାପ୍ରବନ୍ଧକ ଶାନ୍ତନୁ ନାୟଡୁଙ୍କୁ ବଡ଼ ଭାଗ ଦେଇଛନ୍ତି। 

କେବଳ ଶାନ୍ତନୁ ନୁହନ୍ତି ରତନ ତାଙ୍କ ବଡ଼ ଭାଇ ଜିମି ଟାଟା ଓ ସାବତ ଭଉଣୀ ଶିରୀନଙ୍କୁ ମଧ୍ୟ ୱିଲରେ ସେମାନଙ୍କ ଭାଗ ଦେଇଛନ୍ତି। ତାଙ୍କର ଏହି ୱିଲରେ ହାଉସ୍ ଷ୍ଟାଫ ଓ ଅନ୍ୟ ଲୋକଙ୍କ ନାମ ମଧ୍ୟ ରହିଛି। ରତନ ଟାଟାଙ୍କ ସମ୍ପତ୍ତିର କଥା କହିବାକୁ ଗଲେ ତାଙ୍କର ଆଲିବାଗରେ ୨ ହଜାର ସ୍କୋୟାର ଫୁଟର ଏକ ମୂଲ୍ୟବାନ ବଙ୍ଗଳା ରହିଛି। ଏହା ଛଡା ୩୫୦ କୋଟି ଟଙ୍କାରୁ ଅଧିକର ଫିକ୍ସଡ ଡିପୋଜିଟ ମଧ୍ୟ ରହିଛି। ଏହା ଛଡା ମୁମ୍ବାଇ ଜୁହୁ ତାରା ରୋଡରେ ଏକ ଦୁଇ ମହଲା କୋଠା ସାଙ୍ଗକୁ ଟାଟା ଗ୍ରୁପରେ ୦.୮୩ ପ୍ରତିଶତ ସେୟାର ମଧ୍ୟ ରହିଛି। 

ୱିଲ ଅନୁସାରେ ରତନ ଟାଟା ଶାନ୍ତନୁ ନାୟଡୁଙ୍କ ସଂସ୍ଥା ‘ଗୁଡ ଫେଲୋ’ରେ କରିଥିବା ନିବେଶ ଛାଡି ଦେଇଛନ୍ତି। ଟାଟା ଗୁଡଫେଲୋରେ ତାଙ୍କ ନିବେଶକୁ ଶାନ୍ତନୁଙ୍କୁ ଦେଇଦେଇଛନ୍ତି। ଏହା ଛଡା ଅତୀତରେ ନାୟଡୁଙ୍କ ବିଦେଶରେ ପାଠପଢା ଖର୍ଚ୍ଚ ମଧ୍ୟ ତୁଲାଇଥିଲେ। ସେ ବାବଦ ଖର୍ଚ୍ଚ ମଧ୍ୟ ଶାନ୍ତନୁଙ୍କୁ ଫେରାଇବାକୁ ପଡିବନି। 

ରତନ ଟାଟାଙ୍କ ୱିଲର ସବୁ କଥା ସାର୍ବଜନିକ ହୋଇ ନାହିଁ। ତେବେ ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ ରତନ ଟାଟା ଏଣ୍ଡାଓମେଣ୍ଟ ଫାଉଣ୍ଡେସନ (ଆରଟିଇଏଫ)କୁ ଯିବ। ୱିଲ ହିସାବରେ ସମ୍ପତ୍ତିର ବଣ୍ଟନ ଦାୟିତ୍ୱ ସେ ତାଙ୍କ ସାବତ ଭଉଣୀ ଶିରୀନ ଓ ଡୟେନା ଜେଜିଭୟଙ୍କ ସମେତ ଓକିଲ ଦରାୟସ ଖମ୍ବାଟା ଓ ନିକଟତମ ବନ୍ଧୁ ମେହଲୀ ମିସ୍ତ୍ରୀଙ୍କ ଉପରେ ନ୍ୟସ୍ତ କରିଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.