ଆସନ୍ତା ୯ରେ ଭାରତ-ଇଂଲଣ୍ଡ ୱାନ୍ ଡେ ମ୍ୟାଚ୍, ଆୟୋଜକ ଓସିଏ ଆଗରେ ପୁଳା ପୁଳା ସମସ୍ୟା

Published By : Prameya-News7 Bureau | January 26, 2025 IST

କଟକ୨୬/୧: ଭାରତ-ଇଂଲଣ୍ଡ ୱାନ ଡେ ମ୍ୟାଚ ପାଇଁ ପ୍ରସ୍ତୁତ ବାରବାଟୀ ପିଚ୍‌। ହେଲେ ଆୟୋଜକ ଓସିଏ ଆଗରେ ରହିଛି ଅନେକ ଚାଲେଞ୍ଜ । ଘେରି ହୋଇ ରହିଛି ଅନେକ ସମସ୍ୟା । ଓସିଏ ଆଗରେ ଥିବା ଚାଲେଞ୍ଜ ଓ ସମସ୍ୟା ସବୁ କଣ ? ଯାହାର ଟିକିନିଖି ତଥ୍ୟ ରଖିଛନ୍ତି ଆମ କଟକ  ପ୍ରତିନିଧି ଦେବୀ ପ୍ରସାଦ ମହାନ୍ତି   । 

ବାରବାଟୀ ରେ ସିନା ୱାନ ଡେ ଇଣ୍ଟର ନାସନାଲ ମ୍ୟାଚ ହେବ । କିନ୍ତୁ ଆୟୋଜକ ଓସିଏ ଆଗରେ ପୁଳା ପୁଳା ସମସ୍ୟା । ଦୁର୍ଭାଗ୍ୟର କଥା ଏତେ ବଡ ଖେଳ ପଡିଆର ନାହିଁ  ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର । ମ୍ୟାଚର ସୁରକ୍ଷା ପାଇଁ ଗ୍ୟାରେଣ୍ଟ୍ରି କିଏ ଦେଇପାରିବ । ଶୁକ୍ରବାର ପୋଲିସ କମିଶନରଙ୍କ ଅନୁଧ୍ୟାନ ବେଳେ ଏକଥା ସାମ୍ନାକୁ ଆସିଛି । ମ୍ୟାଚ ଦେଖିବାକୁ ବାରବାଟୀ ଗ୍ୟାଲେରୀରେ ଯେତିକି ସଂଖ୍ୟକ ଦର୍ଶକ ବସିବେ ଯଦି ସାମାନ୍ୟ ଅଘଟଣ ହେବ କିଏ ଉତ୍ତରଦାୟୀ ରହିବେ । ଶୁକ୍ରବାର ଆୟୋଜିତ ପ୍ରସ୍ତୁତି ବୈଠକରେ ପୋଲିସ ପଚାରିଥିବା ଏଭଳି ଏକାଧିକ ପ୍ରଶ୍ନକୁ ନେଇ ଅକଳରେ ଓସିଏ । ତେବେ ମ୍ୟାଚ ପାଇଁ ରାଜ୍ୟ ସରକାର ସହଯୋଗର ହାତ ବଢାଇଥିବାରୁ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ପାଇଁ ସମ୍ମତି ଜଣାଇଛି ଦମକଳ ବାହିନୀ । କିନ୍ତୁ ତାହା ପର୍ଯ୍ୟାପ୍ତ କି ନୁହେଁ ତାର ସଠିକ ଉତ୍ତର ଅଗ୍ନିଶମ ବିଭାଗ ପାଖରେ ନାହିଁ । 

ତେଣେ ମହାନଦୀ ପଠାର ମନଇଛା ବ୍ୟବହାର କରାଯିବା ଉପରେ କଟକଣା ଲଗାଇଛନ୍ତି NGT । କେବଳ ବାଲିଯାତ୍ରା ଉଦ୍ଦେଶ୍ୟରେ ୩୪ ଏକ ସ୍ଥାନକୁ ସଂରକ୍ଷିତ କରି ଖାଯାଇଛି । କିନ୍ତୁ ବାରବାଟୀ ୱାନ ଡେ ପାଇଁ ମହାନଦୀ ପଠା, ଅବା ବାଲିଯାତ୍ରା ପଡିଆକୁ ବ୍ୟବହାର କରାଯାଇ ପାରିବ କି ନାହିଁ , ତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । କିନ୍ତୁ ପୁଲିସ କହୁଛି , ପାର୍କିଂ ପାଇଁ ସ୍ଥାନର ଅଭାବ ରହିବ ନାହିଁ । ଏମିତି ସ୍ଥିତିରେ  ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି କଟକ ଜିଲ୍ଲାପାଳ । ତେଣୁ ନିର୍ଦ୍ଧିଷ୍ଟ କେଉଁ ସ୍ଥାନକୁ ପାର୍କିଂ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ , ତାହା ଏବେବି ଅନିଶ୍ଚିତତା ଭିତରେ । 


କେବଳ ପାର୍କିଂ ଅବା ଅଗ୍ନି ନିରାପତ୍ତାର କଥା ନାହିଁ । ଟିକେଟ କାଉଣ୍ଟର ମାନଙ୍କରେ ଭିଡ ନିୟନ୍ତ୍ରଣ, ମ୍ୟାଚ ଦିନ ଟ୍ରାଫିକ ପରିଚାଳନା ଏବଂ ମ୍ୟାଚ ସମୟରେ ଦର୍ଶକ ମାନଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଦେବା ମଧ୍ୟ ଗୋଟିଏ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଯାହା ବ୍ୟବସ୍ଥିତ ଆକାରରେ ହୋଇ ପାରିବ ବୋଲି ପ୍ରସ୍ତୁତି ବୈଠକ ପରେ କ୍ରୀଡା ମନ୍ତ୍ରୀ ସୂଚନା ଦେଇସାରିଛନ୍ତି । ହେଲେ ଗା଼ଡି ମୋଟର ପାର୍କିଂ ପାଇଁ କେଉଁ ଜାଗାକୁ ଚୟନ କରାଯିବ , ତା ଉପରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଣ କହୁଛନ୍ତି ଶୁଣନ୍ତୁ । 

ବାରବାଟୀର ପିଚ୍ ୱାନଡେ ଇଣ୍ଟରନାସନାଲ ପାଇଁ ପ୍ରସ୍ତୁତ । ଆଉଟ୍ ଫିଲ୍ଡକୁ ମ୍ୟାଚ ଉପଯୋଗୀ କରିବା ଲାଗି ଅହରହ କାମ ଚାଲିଛି  । ସେ ଦୃଷ୍ଟିରୁ ଦେଖିଲେ , ଅନ୍ତର୍ଜାତୀୟ ମ୍ୟାଚ ପାଇଁ ବାରବାଟୀରେ କୌଣସି ସମସ୍ୟା ନାହିଁ , କିନ୍ତୁ ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକ ଠିକ୍‌ ନରହିଲେ , ସୂନାମ ବଦଳରେ ବଦନାମୀ ମୁଣ୍ତାଇ ପାରନ୍ତି ଉଭୟ ରାଜ୍ୟ ସରକାର ଏବଂ ଓସିଏ କର୍ତ୍ତୃପକ୍ଷ ।ଆଗକୁ ଜଣାପଡିବ କଣ ହେବ ? ସେଥିପାଇଁ ଆମକୁ ସମୟକୁ ଅପେକ୍ଷା କରିବାକୁ ପଡିବ । 


  • cuttack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.