ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତୀୟ ଟିମ୍ ଲଗାତାର ଭଲ ପ୍ରଦର୍ଶନ କରିଛି । ପୂରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ ନିଜ ବୋଲିଂ ବଳରେ ବିରୋଧୀ ଟିମ୍କୁ ବଡ଼ ସ୍କୋର କରିବାକୁ ଦେଇନାହିଁ । ଟିମ୍ ବ୍ୟାଟିଂ ବି ଭଲ କରିଛି । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ର ଫିଲ୍ଡିଂ ସବୁଠୁ ଅଧିକ ନିରାଶ କରିଛି । ଭାରତୀୟ ଫିଲ୍ଡର ଟୁର୍ଣ୍ଣାମେଣ୍ଟରେ ୧୧ କ୍ୟାଚ୍ ଛାଡ଼ିଛନ୍ତି । ଏପରିକି ଫାଇନାଲ୍ରେ ବି ଭାରତୀୟ ଟିମ୍ କ୍ୟାଚ୍ ଡ୍ରପ୍ କରିଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ଟିମ୍ ଇଣ୍ଡିଆଠାରୁ ଭଲ ଫିଲ୍ଡିଂ ଆଶା କରାଯାଉଥିଲା । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରୁ ହିଁ ଟିମ୍ର ଫିଲ୍ଡିଂ ଆଶାର ବିପରୀତ ରହିଛି । ମୈଦାନରେ କ୍ୟାଚ୍ ଧରିବା ମାମଲାରେ ସମାନ ସ୍ଥିତି । ଫାଇନାଲରେ ଭାରତୀୟ ଖେଳାଳି ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ୪ କ୍ୟାଚ୍ ଛାଡ଼ିଛନ୍ତି ।
ଫାଇନାଲ୍ରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ୍ ଶର୍ମାଙ୍କ ସମେତ ୪ ଜଣ ଖେଳାଳି କ୍ୟାଚ୍ ଡ୍ରପ୍ କରିଛନ୍ତି । ମହମ୍ମଦ ଶାମି ଇନିଂସର ସପ୍ତମ ଓଭରରେ ନିଜ ବୋଲିଂ ହିଁ ରଚିନ ରବିନ୍ଦ୍ରଙ୍କ କ୍ୟାଚ୍ ଡ୍ରପ୍ କରିଥିଲେ । ଏହାର ପରବର୍ତ୍ତୀ ଓଭରରେ ହିଁ ରଚିନଙ୍କୁ ଆଉ ଏକ ଜୀବନଦାନ ମିଳିଥିଲା । ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂରେ ରଚିନଙ୍କ କ୍ୟାଚ୍ ଡ୍ରପ୍ କରିଥିଲେ ଶ୍ରେୟସ ଆୟର । ଏହାପରେ ଇନିଂସର ୩୫ତମ ଓ ୩୬ତମ ଓଭରରେ ଟିମ୍ ଇଣ୍ଡିଆ ଲଗାତାର କ୍ୟାଚ୍ ଡ୍ରପ୍ କରିଥିଲା । ପ୍ରଥମେ ଅକ୍ଷର ପଟେଲଙ୍କ ଓଭରରେ ମିଚେଲଙ୍କ କ୍ୟାଚ୍ ଛାଡ଼ିଥିଲେ ରୋହିତ୍ ଶର୍ମା । ଏହାର ପରବର୍ତ୍ତୀ ଓଭରରେ ଜାଡେଜାଙ୍କ ବଲରେ ଶୁଭମନ୍ ଗିଲ୍ ବାଉଣ୍ଡ୍ରିରେ ଫିଲିପ୍ସଙ୍କ କ୍ୟାଚ୍ ଡ୍ରପ୍ କରିଥିଲେ । ଆଜିର ଏହି ଖରାପ ପ୍ରଦର୍ଶନ ଯୋଗୁ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ସବୁଠୁ ଅଧିକ କ୍ୟାଚ୍ ଛାଡ଼ିଥିବା ଟିମ୍ ହୋଇଛି । ରୋହିତ୍ ବାହିନୀ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୧ କ୍ୟାଚ୍ ଡ୍ରପ୍ କରିଛି ।
Also Read: ସ୍ପିନରଙ୍କ ଆଗରେ ଫେଲ୍ ମାରିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ର, ଟ୍ରଫି ଜିତିବା ପାଇଁ ଭାରତକୁ ଦରକାର ୨୫୨ ରନ୍