ବାତ୍ୟା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା, କହିଲେ- ଶନିବାର ସନ୍ଧ୍ୟା ସୁଦ୍ଧା ୯୨ ପ୍ରତିଶତରୁ ଅଧିକ ପରିବାରକୁ ସ୍ୱାଭାବିକ ହୋଇଛି ବିଦ୍ୟୁତ୍ ଯୋଗାଣ

Published By : Prameya-News7 Bureau | October 26, 2024 IST

ଭୁବନେଶ୍ବର: ବାତ୍ୟା ‘ଦାନା’ ଯୋଗୁ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ଏବେବି ଏହି ଜିଲ୍ଲାରେ ଲାଗି ରହିଛି ବର୍ଷା। ଏହାରି ମଧ୍ୟରେ ବାତ୍ୟା ସ୍ଥିତି ସମୀକ୍ଷା କରି କ୍ଷୟକ୍ଷତି ଏବଂ ରିଷ୍ଟୋରେସନ ବିଷୟରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଘୀ। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏହି ଜିଲ୍ଲା ଗୁଡ଼ିକରେ ସମୁଦାୟ ୨୨.୮୪ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଥିଲା ତନ୍ମଧ୍ୟରୁ ଶନିବାର ସନ୍ଧ୍ୟା ୭ ଟା ୩୦ ସୁଦ୍ଧା ୯୨ ପ୍ରତିଶତରୁ ଅଧିକ ପରିବାରକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି ।  

ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ଯୋଗୁ ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି । ପାଣି ଛାଡିଲା ପରେ ଏହାର ଆକଳନ କରାଯାଇ ଚାଷୀମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ । ବାତ୍ୟା ଆଶ୍ରୟସ୍ଥଳକୁ ୮ ଲକ୍ଷ ୯ ହଜାର ୫୧୩ ଲୋକମାନଙ୍କୁ ଅଣାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବାପରେ ଲୋକମାନେ ନିଜ ଘରକୁ ଫେରିଛନ୍ତି । ବର୍ତ୍ତମାନ ମାତ୍ର ୧ ଲକ୍ଷ ୧୦ ହଜାର ୪୭୦ ଜଣ ଆଶ୍ରୟସ୍ଥଳୀରେ ଅଛନ୍ତି । ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାକୁ ଅତିରିକ୍ତ ୧୧ ଗୋଟି ପାଓ୍ବାର ବୋଟ ଏବଂ ବାଲେଶ୍ୱର ଜିଲ୍ଲାକୁ ଅତିରିକ୍ତ ୧୦  ଗୋଟି ପାଓ୍ବାର ବୋଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପର୍ଯ୍ୟନ୍ତ ସର୍ପାଘାତରେ ୨୮  ଜଣ ବ୍ୟକ୍ତି ଆହାତ ହୋଇ ଚିକିତ୍ସିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ପୁରୁଷ ଓ ୧୩ ଜଣ ମହିଳା ଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ ଜିଲ୍ଲା ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡ଼ାରେ ବର୍ତ୍ତମାନ ସୁଦ୍ଧା ବାତ୍ୟା ଦ୍ୱାରା ପ୍ରଭାବିତ ୯୫ ପ୍ରତିଶତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି । ପ୍ରାୟ ୧୫ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ବର୍ତ୍ତମାନ ମଧ୍ୟ କାମ ଚାଲୁରହିଅଛି । ଭଦ୍ରକରେ ଜଳବନ୍ଦୀ ସମସ୍ୟା ଯୋଗୁଁ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାରେ କାମ ବିଳମ୍ବ ହେଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୭ ପ୍ରତିଶତ ରିଷ୍ଟୋରେସନ ସରିଛି।  ସେହିଭଳି ବାଲେଶ୍ୱରରେ ଶନିବାର ସନ୍ଧ୍ୟା ସୁଦ୍ଧା ବାକିଥିବା ସବୁ ରାସ୍ତା ଅବରୋଧ ହଟାଯାଇଛି । ପ୍ରାୟ ୮୧ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି । ବାଲେଶ୍ୱର ଜିଲ୍ଲାରେ ୬ ଟି ଗ୍ରାମ ପଞ୍ଚାୟତର ୨୦ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଶିମିଳିପାଳରେ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବୁଢାବଳଙ୍ଗ ନଦୀର ଜଳସ୍ତରରେ ବୃଦ୍ଧି ଘଟୁଛି । ରେମୁଣା ବ୍ଲକର ୨୫୦୦ ଓ ବାଲେଶ୍ୱର ସଦର ବ୍ଲକର ୮ ହଜାର ଲୋକଙ୍କୁ ପ୍ରଶାସନ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଆଣିଛି । ଏହା ବିପଦସଂକେତ ଉପରେ ପ୍ରବାହିତ ହେବାର ଆଶଙ୍କା ରହିଛି । ପ୍ରଶାସନ, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.