ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ

Published By : Prameya-News7 Bureau | January 10, 2025 IST

ଭୁବନେଶ୍ୱର,୧୦।୦୧: ଜି. ଉଦୟଗିରିରେ ପାରଦ ୬ ଡିଗ୍ରୀ  ସେଲସିୟସ୍‌ ତଳକୁ ଖସିଛି । ଏଠାରେ ରାତି  ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଛି ।  ୮ ସହରରେ ପାରଦ ୧୦ ଡିଗ୍ରୀ ତଳେ  ରହିଛି । ତଥାପି ଦୁଇ ଦିନ ପରେ ଶୀତ  କମିଯିବ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ କହିଛି । 

ପାଣିପାଗ ବିଭାଗ ଆକଳନ  କରୁଛି, ଶନିବାର ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ରବିବାରଠାରୁ  ୨ରୁ ୪ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ଶୀତ କମିବ । ସୋଆ ଜଳବାୟୁ ଓ  ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ  ସାହୁ କହିଛନ୍ତି, ୧୧ ତାରିଖ ଯାଏ ଶୀତ  ଜାରି ରହିବ। ୧୨ ତାରିଖରୁ ପଶ୍ଚିମା  ବାୟୁର ପ୍ରଭାବ ରହିବ । ଏଥିପାଇଁ ରାତି  ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ଓ  ଶୀତ କମିଯିବ । ୧୬ ତାରିଖରୁ ପୁଣି  ଥଣ୍ଡାର ପ୍ରକୋପ ରହିବ । ଫେବ୍ରୁଆରୀ  ମାସ ଦ୍ୱିତୀୟ ସପ୍ତାହ ଯାଏ ଥଣ୍ଡା ଜାରି  ରହିବ । ତେବେ ମଝିରେ ପାରଦ କେବେ  ଉପରମୁହାଁ ତ ଆଉ କେବେ  ତଳମୁହାଁ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । 

ବୁଧବାର  ରାତିରେ ଝାରସୁଗୁଡ଼ାରେ ପାରଦ ୬ ଡିଗ୍ରୀ ରହିଥିଲା । ଫୁଲବାଣୀରେ  ୬.୮ଡିଗ୍ରୀ, ରାଉରକେଲାରେ ୬.୪, ଦାରିଙ୍ଗିବାଡ଼ିରେ ୮, ସୁନ୍ଦରଗଡ଼ରେ ୮.୨, କେନ୍ଦୁଝରରେ ୮.୮, ଭବାନୀପାଟଣାରେ  ୯.୧, ସୋନପୁରରେ ୯.୯, ବଲାଙ୍ଗିର ଓ କୋରାପୁଟରେ  ୧୦.୫, ନବରଙ୍ଗପୁର ଓ ଭଦ୍ରକରେ ୧୧, ହୀରାକୁଦରେ ୧୧.୨,  ସମ୍ବଲପୁରରେ ପାରଦ ୧୧.୬ ଡିଗ୍ରୀ ରହିଥିଲା ।

ଶୁକ୍ରବାର  ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ୭ ଡିଗ୍ରୀ, କେନ୍ଦୁଝର  ଓ ସୁନ୍ଦରଗଡ଼ରେ ୯ ଡିଗ୍ରୀ, କୋରାପୁଟ ଓ ସମ୍ବଲପୁରରେ ରାତି  ତାପମାତ୍ରା ୧୧ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ  କରିଛି । ଶନିବାର ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.