୨୦୨୪ ସାଧାରଣ ନିର୍ବାଚନରେ ବିଜେପିର NDAକୁ ଟକ୍କର ଦେବ ବିରୋଧୀଙ୍କ INDIA ମେଣ୍ଟ

Published By : Prameya-News7 Bureau | July 18, 2023 IST

ବେଙ୍ଗାଲୁରୁ ୧୮।୭: ବିରୋଧୀ ଦଳଙ୍କ ବେଙ୍ଗାଲୁରୁରେ ଜାରି ବୈଠକରେ ସେମାନଙ୍କ ମେଣ୍ଟର ନାମ ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଏଲାଏନ୍ସ (ଇଣ୍ଡିଆ) ରଖିଛନ୍ତି। କଂଗ୍ରେସ ନେତୃତ୍ୱରେ ଏହି ବିରୋଧୀ ମେଣ୍ଟ ପୂର୍ବରୁ ୟୁପିଏ ନାମରେ ଜଣାଯାଉଥିଲା। ଏବେ ସମସ୍ତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟର ଅଂଶ ଭାବେ ପରିଚିତ ହେବେ। ବେଙ୍ଗାଲୁରୁରେ ଜୁନ ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ବୈଠକର ପ୍ରଥମ ଦିନ ଅନୌପଚାରିକ ଥିଲା। ତେବେ ମଙ୍ଗଳବାର ଔପଚାରିକ ବୈଠକ ଅନୁଷ୍ଠିତ ହେଉଛି। ଯେଉଁଥିରେ ମହାମେଣ୍ଟର ନାମକୁ ନେଇ ବିଚାରବିମର୍ଷ ହୋଇଛି।

ଗତ ରାତିରେ ବୈଠକରେ ଯୋଗ ଦେଇଥିବା ସବୁ ଦଳଙ୍କୁ ମେଣ୍ଟର ନାମ ସ୍ଥିର କରିବାକୁ କୁହାଯାଇଥିଲା। ମଙ୍ଗଳବାର ବୈଠକ କାଳରେ ଏହା ଉପରେ ଚର୍ଚ୍ଚା ହୋଇଛି ଓ ସର୍ବସମ୍ମତ ଭାବେ ମେଣ୍ଟର ନାମ ‘ଇଣ୍ଡିଆ’ ରଖା ଯାଇଛି। ଏହି ମେଣ୍ଟର କଂଗ୍ରେସ ନେତୃତ୍ୱ ନେଉଥିବା ବେଳେ ଏଥିରେ ଟିଏମସି, ଜେଡିୟୁ, ଆରଜେଡି, ଏନସିପି, ସିପିଏମ, ସିପିଆଇ, ସମାଜବାଦୀ ପାର୍ଟି, ଡିଏମକେ, ଜେଏମଏମ, ଆମଆଦମୀ ପାର୍ଟି, ଶିବସେନା(ୟୁବିଟି), ନ୍ୟାସନାଲ କନଫରେନ୍ସ, ପିଡିପି, ଆରଏଲଡି, ଆଇୟୁଏମଏଲ, କେରଳ କଂଗ୍ରେସ (ଏମ), ଏମଡିଏମକେ, ଭିସିକେ, ଆରଏସପି, କେରଳ କଂଗ୍ରେସ(ଯୋଶେଫ), କେଏମଡିକେ, ଆପନା ଦଲ କମେରାବାଦୀ, ଏମଏମକେ, ସିପିଆଇଏମଏଲ ଓ ଏଆଇଏଫବି ମହାମେଣ୍ଟରେ ଏକଜୁଟ ହୋଇଛନ୍ତି।

{"id":818803,"sizeSlug":"full","linkDestination":"none"}

ବେଙ୍ଗାଲୁରୁରେ ଚାଲିଥିବା ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ୨୬ଟି ଦଳ କାମ କରିବା ପାଇଁ ଏକଜୁଟ ହୋଇଥିବାରୁ ଖୁସି ଅନୁଭବ ହେଉଛି। ଏବେ ଆମ ସମସ୍ତଙ୍କର ମିଳିତ ୧୧ ରାଜ୍ୟରେ ସରକାର ରହିଛି। ବିଜେପିକୁ ଏକାକୀ ୩୦୩ ଆସନ ମିଳିଯାଇନି। ଏଥିଲାଗି ସେ ନିଜ ସହଯୋଗୀଙ୍କ ଭୋଟ ବ୍ୟବହାର କରି କ୍ଷମତାକୁ ଆସିବା ପରେ ସେମାନଙ୍କୁ ମେଣ୍ଟ ବାହାରର ରାସ୍ତା ଦେଖାଇ ଦେଇଛି।

ଖଡଗେ କହିଛନ୍ତି ଯେ ଏବେ ବିଜେପି ଅଧ୍ୟକ୍ଷ ପୁରୁଣା ମେଣ୍ଟ ସହଯୋଗୀଙ୍କୁ ଏକଜୁଟ କରିବା ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଦଉଡୁଛନ୍ତି। ଏଠାରେ ଯେଉଁ ଏକତା ଦେଖାଯାଉଛି ତାହା ଏବେ ସେମାନଙ୍କ ଭୟର କାରଣ ପାଲଟିଛି। ଏହାର ପରିଣାମ ଆଗାମୀ ବର୍ଷ ନିର୍ବାଚନରେ ସେମାନଙ୍କର ପରାଜୟ ହେବ। ଏଣୁ କେନ୍ଦ୍ରରେ ସରକାର ଏବେ ସବୁ ସଂସ୍ଥାକୁ ବିରୋଧୀଙ୍କ ବିରୋଧରେ ଅସ୍ତ୍ରରୂପେ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। ଖଡଗେ କହିଛନ୍ତି ଯେ ଆମର ଉଦ୍ଦେଶ୍ୟ କ୍ଷମତା ହାସଲ କରିବା ନୁହେଁ ବରଂ ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟର ସୁରକ୍ଷା କରିବା। ଏଣୁ ଆସନ୍ତୁ ଆମେ ଭାରତକୁ ପ୍ରଗତି, କଲ୍ୟାଣ ଓ ବାସ୍ତବ ଗଣତନ୍ତ୍ର ପଥରେ ଆଗେଇ ନେବାକୁ ସଂକଳ୍ପ କରିବା ବୋଲି ଖଡଗେ କହିଛନ୍ତି।

{"id":818804,"sizeSlug":"full","linkDestination":"none"}

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୈଠକରେ କହିଛନ୍ତି ଯେ ମୁଁ ପ୍ରଥମରୁ ସ୍ପଷ୍ଟ କରିଦେଇଛି କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ଅଥବା କ୍ଷମତା ପାଇଁ ଏ ସବୁ କରୁ ନାହିଁ। ଏହା ପୂର୍ବରୁ ଚେନ୍ନାଇରେ ଷ୍ଟାଲିନଙ୍କ ଜନ୍ମଦିନରେ ମଧ୍ୟ କହିଥିଲି କଂଗ୍ରେସର କ୍ଷମତା ଅଥବା ପିଏମ ପଦରେ କୌଣସି ଆଗ୍ରହ ନାହିଁ। ଏହି ବୈଠକରେ ଆମର ଉଦ୍ଦେଶ୍ୟ ନିଜ ଲାଗି କ୍ଷମତା ହାସଲ କରିବା ନୁହେଁ। ଏହା ଆମର ସମ୍ବିଧାନ, ଗଣତନ୍ତ୍ର, ଧର୍ମ ନିରପେକ୍ଷତା ଓ ସାମାଜିକ ନ୍ୟାୟ ସ୍ଥାପନା ଲାଗି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ମୁଁ ଜାଣିଛି ଆମ ମଧ୍ୟରେ ପରସ୍ପର ବିରୋଧ ଅଛି, ହେଲେ ଏହି ମତାନ୍ତର ଏତେ ଅଧିକ ନୁହେଁ ଯେ ଆମେ ସେମାନଙ୍କୁ କଣକୁ ଠେସିଦେଇ ପାରିବାନି। ସେ କହିଛନ୍ତି ଯେ ସାଧାରଣ ଲୋକଙ୍କ ଲାଗି,  ମୂଲ୍ୟ ବୃଦ୍ଧି ଭୋଗୁଥିବା ମଧ୍ୟମବର୍ଗଲାଗି, ବେକାରୀ ଭୋଗୁଥିବା ଯୁବକଙ୍କ ଲାଗି ଓ ଗରିବଙ୍କ ଲାଗି ଆମକୁ ଆମ ଭିତରେ ଥିବା ମତ ପାର୍ଥକ୍ୟକୁ ଭୁଲିବାକୁ ହେବ। ବୈଠକରେ ୨୬ଟି ରାଜନୈତିକ ଦଳର ନେତାମାନେ ଯୋଗ ଦେଇଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଉଭୟ ପରସ୍ପରର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

{"id":818805,"sizeSlug":"full","linkDestination":"none"}

ମମତା ବାନାର୍ଜୀ ଓ ସୋନିଆ ଗାନ୍ଧିଙ୍କ ମଧ୍ୟରେ ଏପରି ସାକ୍ଷାତ ଆଲୋଚନା ପ୍ରାୟ ୨ ବର୍ଷ ପରେ ହୋଇଛି। ଏହା ପୂର୍ବରୁ ମମତା ବାନାର୍ଜୀ ଜୁଲାଇ ୨୦୨୧ରେ ସୋନିଆଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ବେଶ ଭଲ ସମ୍ପର୍କ ରହିଛି। ତେବେ ଦିଲ୍ଲୀ ଓ ପଶ୍ଟିମବଙ୍ଗରେ କଂଗ୍ରେସ ଓ ଟିଏମସି ନେତାଙ୍କ ମଧ୍ୟରେ ବୟାନବାଜୀ ଦୁଇ ଦଳଙ୍କ ମଧ୍ୟରେ ମତାନ୍ତର ମଧ୍ୟ କରିଛି। ଅତୀତରେ ମମତା ପଶ୍ଚିମବଙ୍ଗରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବୟାନରେ କ୍ଷୁବ୍ଧ ହୋଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.