ନୂଆଦିଲ୍ଲୀ ୧୫।୫: ସଚିନ ପାଇଲଟ କଂଗ୍ରେସ ନେତା, ହେଲେ ତାଙ୍କ ଲୋକପ୍ରିୟତା ଆମ ଆଦମୀ ପାର୍ଟି( ଆପ)ରେ ମଧ୍ୟ ରହିଛି। ଏଣୁ କଂଗ୍ରେସର ୪୦ ଷ୍ଟାର ପ୍ରଚାରକଙ୍କ ସୂଚୀରୁ ଆପକୁ ନିଜର ନିର୍ବାଚନ ପ୍ରଚାରକୁ ଗତି ଦେବା ପାଇଁ ଗୋଟିଏ ନାମ ସୁହାଇଛି। ଏଥିରେ ଯଦି କଂଗ୍ରେସର ପାଇଲଟ ଆଗାମୀ ସପ୍ତାହରେ ଆପର ନିର୍ବାଚନ ବିମାନ ଉଡାଉଥିବାର ଦେଖାଯାଆନ୍ତି ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ।
ପାର୍ଟି ସୂତ୍ର ଅନୁସାରେ କଂଗ୍ରେସ ଯେତେବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ନିଜର ପ୍ରାର୍ଥୀମାନଙ୍କ ନିମନ୍ତେ ନିର୍ବାଚନ ପ୍ରଚାର ପାଇଁ ରୋଡ ସୋ କରିବାକୁ ଆଗ୍ରହ ପ୍ରକାଶ କଲା ଆପ ମଧ୍ୟ ନିଜ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ନିମନ୍ତେ କଂଗ୍ରେସର ସଚ୍ଚିନ ପାଇଲଟଙ୍କୁ ମାଗିଛି। ଆପ ମାତ୍ର ୨ ଦିନ ନିମନ୍ତେ ପାଇଲଟଙ୍କୁ ମାଗିଛି। ଏହି ଦୁଇଦିନରେ ପାର୍ଟି ନିଜର ୪ ପ୍ରାର୍ଥୀଙ୍କ ନିମନ୍ତେ ରୋଡ ସୋ ଅଥବା କୌଣସି ଅନ୍ୟ ଗତିବିଦ୍ଧି ପ୍ଲାନିଂ କରିବ ବୋଲି ଜଣାପଡିଛି।
ମିଳୁଥିବା ସୂଚନା ଅନୁସାରେ ପାଇଲଟଙ୍କ ଲାଗି ଆପର ଆଗ୍ରହକୁ କଂଗ୍ରେସ ସ୍ୱୀକାର କରିଛି। ଏବେ କେବଳ ପାଇଲଟଙ୍କ ସହ କଥାବାର୍ତ୍ତା କରି ତାଙ୍କ ପାଖରେ ଉପଲବ୍ଧ ସମୟ ଓ ତାରିଖ ଯାଞ୍ଚ କରି ସିଡ୍ୟୁଲ ଫାଇନାଲ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ପ୍ରଥମ ଥର ଆପ ଓ କଂଗ୍ରେସ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢୁଛନ୍ତି। ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଓ ଚାନ୍ଦନୀ ଚୌକ ଆସନରେ କଂଗ୍ରେସ ଲଢୁଛି। ସେହିପରି ଆପ ପୂର୍ବ, ଦକ୍ଷିଣ, ପଶ୍ଚିମ ଓ ନୂଆଦିଲ୍ଲୀ ଆସନରେ ପ୍ରାର୍ଥୀ ଦେଇଛି।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀରେ ପ୍ରଥମ କରି ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ସେ ଗୋଟିଏ ଦିନରେ ଦୁଇଟି ଅଲଗା ଅଲଗା ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବେ। ଏଥିରୁ ଗୋଟିଏ ଜନସଭା ଚାନ୍ଦିନୀଚୌକ ଲୋକସଭା କ୍ଷେତ୍ରର ଅଶୋକବିହାର ରାମଲିଳା ମୈଦାନରେ ହେବାକୁ ଥିବା ବେଳେ ଦ୍ୱିତୀୟ ଜନସଭା ପାଇଁ ଏବେ କଥାବାର୍ତ୍ତା ଚାଲିଛି। ମେ ୨୦ ତାରିଖରେ ପଞ୍ଚମ ପର୍ଯ୍ୟୟ ମତଦାନ। ଏଣୁ ସମସ୍ତେ ଏବେ ବ୍ୟସ୍ତ ଅଛନ୍ତି। ଆଗାମୀ ସପ୍ତାହରେ ମେଣ୍ଟ ସହଯୋଗୀ ଏକ ମିଳିତ ରାଲି ଓ ଜନସଭା କରିବାକୁ ବିଚାର କରୁଛନ୍ତି।