ମାଟ୍ରିମୋନି ପୋର୍ଟାଲ ଉପରେ କଞ୍ଜ୍ୟୁମର କୋର୍ଟ ଲଗାଇଲେ ୬୦,୦୦୦ ଟଙ୍କାର ଜରିମନା

Published By : Prameya-News7 Bureau | November 03, 2024 IST

ବେଙ୍ଗାଲୁରୁ ୩।୧୧: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ଏକ ଖାଉଟି ଅଦାଲତ ଜଣେ ବ୍ୟକ୍ତିଙ୍କ ଲାଗି ମନଲାଖି ବୋହୂଟିଏ ଖୋଜି ନ ପାରିବାରୁ ମାଟ୍ରିମୋନି ପୋର୍ଟାଲକୁ ୬୦ ହଜାର ଟଙ୍କା ଜରିମନା କରିଛନ୍ତି। ବେଙ୍ଗାଲୁରୁ ଏମ.ଏସ.ନଗରର ବାସିନ୍ଦା ବିଜୟ କୁମାର ତାଙ୍କ ପୁଅ ବାଲାଜୀଙ୍କ ଲାଗି ମନଲାଖି ବୋହୂଟିଏ ଖୋଜୁଥିଲେ। ତାଙ୍କୁ ‘ଦିଲମିଲ ମାଟ୍ରିମୋନି’ ପୋର୍ଟାଲ ମିଳିଥିଲା, ଯାହାର କାର୍ଯ୍ୟାଳୟ କଲ୍ୟାଣ ନଗରରେ ଥିଲା। ଏଥି ଲାଗି ସେ ପୋର୍ଟାଲ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। 

ପୋର୍ଟାଲ କାର୍ଯ୍ୟାଳୟର ପରାମର୍ଶ ଅନୁସାରେ ବିଜୟ କୁମାର ତାଙ୍କ ପୁଅର ଜରୁରି କାଗଜପତ୍ର ଓ ଫଟୋ ନେଇ ପହଞ୍ଚିଥିଲେ। ଦିଲମିଲ ମାଟ୍ରିମୋନି ତାଙ୍କ ପୁଅ ପାଇଁ ସମ୍ଭାବିତ ବୋହୂଟିଏ ଖୋଜି ଦେବା ପାଇଁ ବିଜୟ କୁମାରଙ୍କ ଠାରୁ ୩୦ ହଜାର ଟଙ୍କା ଫି  ଦାବି କରିଥିଲେ ଯାହା ବିଜୟ କୁମାର ସେହି ଦିନ ପୈଠ କରିଦେଇଥିଲେ। ସେତେବେଳେ ମାଟ୍ରିମୋନି କର୍ତ୍ତୃପକ୍ଷ ଲିଖିତ ନ ହେଲେ ବି ମୌଖିକ ଭାବେ ୪୫ ଦିନ ମଧ୍ୟରେ ବୋହୂ ଯୋଗାଡ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ମାଟ୍ରିମୋନି ବାଲାଜୀଙ୍କ ଲାଗି ବୋହୂ ଖୋଜିବାରେ ଅସମର୍ଥ ହୋଇଥିଲା। ଏଥି ପାଇଁ ବିଜୟ କୁମାରଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଦଉଡିବାକୁ ପଡିଥିଲା। ଅନେକ ସମୟରେ ତାଙ୍କୁ କାର୍ଯ୍ୟାଳୟ ପ୍ରତୀକ୍ଷା କକ୍ଷରେ ବସାଇ ରଖାଯାଉଥିଲା। ହେଲେ ପୋର୍ଟାଲ ପକ୍ଷରୁ ତାଙ୍କ ପୁଅ ପାଇଁ ବୋହୂଟିଏ ଯୋଗାଡ କରାଯାଇ ପାରିନଥିଲା। ଏଣୁ ବିଜୟ କୁମାର ପୈଠ କରିଥିବା ପଇସା ଫେରସ୍ତ ମାଗିଥିଲେ। 

ତେବେ ମାଟ୍ରିମୋନି ତାଙ୍କୁ ପଇସା ତ ଫେରାଇ ନଥିଲା ଅନ୍ୟପକ୍ଷରେ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ ଓ ତାଙ୍କ ପ୍ରତି ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ। ଏଣୁ ବିଜୟ କୁମାର ଆଇନର ଆଶ୍ରୟ ନେଇଥିଲେ ଓ ମେ ୯ ତାରିଖରେ ଲିଗାଲ ନୋଟିସ୍ ପଠାଇଥିଲେ। ହେଲେ ଦିଲମିଲ ମାଟ୍ରିମୋନି ଏହି ନୋଟିସର କୌଣସି ଜବାବ ଦେଇନଥିଲା। ମାମଲାର ଶୁଣାଣି ପରେ କୋର୍ଟ ଅକ୍ଟୋବର ୨୮ ତାରିଖ ଦିନ ଅଭିଯୋଗକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି। 

ଏଥିରେ କୋର୍ଟ ଫି ରୂପେ ଏକତ୍ର ୩୦ ହଜାର ଟଙ୍କା, ଆବଶ୍ୟକୀୟ ସେବା ଯୋଗାଇ ନ ପାରିବାରୁ ୨୦ ହଜାର ଟଙ୍କା, ଏଥି ପାଇଁ ମାନସିକ ନିର୍ଯାତନା ନିମନ୍ତେ ୫ ହଜାର ଟଙ୍କା ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ୫ ହଜାର ଟଙ୍କା ଏହିପରି ମୋଟ ୬୦ ହଜାର ଟଙ୍କା ଜରିମନା କରିଛନ୍ତି। ଉପଭୋକ୍ତା ଆୟୋଗଙ୍କ ଅଧ୍ୟକ୍ଷ ରାମଚନ୍ଦ୍ର ଏମ.ଏସ୍ ମାମଲାର ଶୁଣାଣି କରି କହିଛନ୍ତି ଯେ ଅଭିଯୋଗକାରୀଙ୍କୁ ତାଙ୍କ ପୁଅ ନିମନ୍ତେ ଉପଯୁକ୍ତ ମ୍ୟାଚ୍ ବାଛିବା ଲାଗି ଗୋଟେ ବି ପ୍ରୋଫାଇଲ ମିଳିଲା ନାହିଁ। ଯେବେ ଅଭିଯୋଗକାରୀ ଅପରପକ୍ଷ (ଦିଲମିଲ) କାର୍ଯ୍ୟାଳୟକୁ ଗଲେ ସେତେବେଳେ ବି ତାଙ୍କୁ ସନ୍ତୁଷ୍ଟ କରାଯାଇ ପାରିଲାନି କି ଅଭିଯୋଗକାରୀଙ୍କୁ ଜମା ରାଶି ଫେରସ୍ତ କରାଗଲାନି। 

ଆୟୋଗ କହିଛନ୍ତି ଯେ ଏହା ମାନିବାରେ କୌଣସି ଦ୍ୱିବିଧା ନାହିଁ ଯେ ଅଭିଯୋଗକାରୀଙ୍କୁ ସେବା ପ୍ରଦାନ କାଳରେ ଅପରପକ୍ଷ ଅବହେଳା କରିଛନ୍ତି। ଏଥିରୁ ଅପରପକ୍ଷ ଅନୁଚିତ ବ୍ୟାପାର ପ୍ରଥାରେ ଲିପ୍ତ ଥିବା ସ୍ପଷ୍ଟ ପ୍ରମାଣ ମିଳୁଛି। ଏଣୁ ଅପରପକ୍ଷଙ୍କୁ ଅଭିଯୋଗରେ ଦିଆଯାଇଥିବା ଅନ୍ୟ ଆଶ୍ୱସ୍ତି ସହିତ ରାଶି ଫେରସ୍ତ କରିବାକୁ ଉତ୍ତରଦାୟୀ କରାଯାଉଛି। ଏଣୁ ମାଟ୍ରିମୋନିକୁ ଏବେ ୬୦ ହଜାର ଟଙ୍କା ଜରିମନା ଦେବାକୁ ପଡିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.