ବାରଙ୍ଗ, ୨୩/୦୫: ପୁଣି ଏକ ସାଇବର ଠକେଇ। ବ୍ୟକ୍ତିଙ୍କୁ ଅନଲାଇନ୍ରେ କାମ ଦେବା ନାଁରେ ଠକିଛନ୍ତି ସାଇବର ଲୁଟେରା। ସାଇବର ଠକେଇ ନେଇ ବାରମ୍ବାର ସଚେତନ କରାଯାଉଥିଲେ ବି ଏହା ଉପରେ ଲାଗି ପାରୁନି ରୋକ୍। ପ୍ରତିଦିନ ଅନେକ ଲୋକ ଏହି ସାଇବର ଠକେଇର ଶିକାର ହେଉଛନ୍ତି। ଏହି ସାଇବର ଅପରାଧୀ ମଧ୍ୟ ଦିନକୁ ଦିନ ନୂଆ ନୂଆ ଉପାୟରେ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି। ଏବେ ପୁଣି ଏକ ଠକେଇ ମାମଲା ସାମ୍ନାକୁ ଆସିଛି।
ଅନଲାଇନ୍ରେ ଚାକିରି କିମ୍ବା ୱର୍କ୍ ଫ୍ରମ୍ ହୋମ୍ ଖୋଜୁଥିଲେ ହୋଇଯା’ନ୍ତୁ ସତର୍କ। କାରଣ ଅସାବଧାନ ହେଲେ ହୋଇପାରନ୍ତି ସାଇବ ଠକେଇ ଶିକାର। ଏଭଳି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ଲିଙ୍ଗିପୁର ଅଞ୍ଚଳର ତପନ କୁମାର ପଟ୍ଟନାୟକ। ତପନଙ୍କୁ ଅନଲାଇନ୍ରେ ଚାକିରି ଦେବା ନାଁରେ ଠକିନେଇଛନ୍ତି ସାଇବର ଲୁଟେରା । ଯାହାକୁ ନେଇ ଏବେ ଥାନାର ଦ୍ବାରସ୍ଥ ହେବାକୁ ପଡ଼ିଛି।
ଘଟଣାଥିଲା କିଛି ଏପରି, ଇଣ୍ଟରନେଟ୍ରେ ଚାକିରି ଖୋଜିବା ବେଳେ ତପନଙ୍କ ହ୍ୱାଟ୍ସାପକୁ ଏକ ଲିଙ୍କ୍ ଆସିଥିଲା ଯେଉଁଥିରେ ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ୍ କର୍ପୋରେଟ୍ ଆଫେରସ୍ ପୋର୍ଟାଲ ଥିଲା। ଏଥିରେ କିଛି ଟଙ୍କା ଦେଇ ଆସାଇନମେଣ୍ଟ ନେବାକୁ କୁହାଯାଇଥିଲା ଆସାଇନମେଣ୍ଟ ପୂରା କରିବା ପରେ ଟଙ୍କା ମିଳିବା ନେଇ କୁହାଯାଇଥିଲା। ଭରଷା କରି ତପନ ପ୍ରଥମେ ୨ ହଜାର ଟଙ୍କା ଦେଇ ଆସାଇନମେଣ୍ଟ ଆଣିଥିଲେ। ଆଉ ଆସାଇନମେଣ୍ଟ ଦାଖଲ କରିବା ପରେ ନିଜ ପ୍ରାପ୍ୟ ମାଗିଥିଲେ, କିନ୍ତୁ ଟଙ୍କା ଦେବା ପରିବର୍ତ୍ତେ ଅଦୃଶ୍ୟ ଠକମାନେ ଆହୁରି ଟଙ୍କା ମାଗିଥିଲେ। ଏହାପରେ ତପନ ସଦେହ କରିଥିଲେ ଏବଂ ସାଇବର ଫ୍ରଡ୍ର ଶିକାର ହୋଇଥିବା ଜାଣି ସାଇବର ଥାନା ଦ୍ୱାରସ୍ଥ ହୋଇଥିଲେ।