ଚୀନ ସହ ଚାରି ଦେଶ ଆଡ଼କୁ ବଢ଼ୁଛି ଭୟଙ୍କର ବାତ୍ୟା, ପବନର ବେଗ ୨୩୫ କିମି ହେବା ନେଇ ଆଶଙ୍କା

Published By : Prameya-News7 Bureau | July 25, 2023 IST

ନୂଆଦିଲ୍ଲୀ, ୨୫/୦୭: ରବିବାର ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡୋକ୍ସୁରୀ’, ଚୀନ ସମେତ ଚାରି ଦେଶ ପାଇଁ ସଙ୍କଟ ସୃଷ୍ଟି କରିଛି। ଏହି ସମୟରେ ୨୩୦ କିଲୋମିଟର ପ୍ରତିଘଣ୍ଟା ବେଗରେ ପବନ ବହିବା ନେଇ ଆଶଙ୍କା କରାଯାଉଛି। ବର୍ତ୍ତମାନ ବାତ୍ୟା ଫିଲିପିନ୍ସରେ ରହିଛି। ଫିଲିପିନ୍ସରେ ବର୍ତ୍ତମାନ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହେଉଛି। ଏହା ପରେ ଏହି ଭୟଙ୍କର ବାତ୍ୟା ତାଇଓ୍ବାନ ଏବଂ ହଂକଂ ଆଡ଼କୁ ବଢ଼ିବ ଏବଂ ଏହି ସପ୍ତାହରେ ଶେଷ ସୁଦ୍ଧା ଏହା ଚୀନ୍‌ ପହଞ୍ଚିବ।

ଏହି ଚାରି ଦେଶରେ ବାତ୍ୟା ‘ଡୋକ୍ସୁରୀ’କୁ ନେଇ ସତର୍କତା ଜାରି କରଯାଇଛି। ଫିଲିପିନ୍ସ ପାଣିପାଗ ସଂସ୍ଥା ପଗାସା ଅନୁଯାୟୀ, ବାତ୍ୟାର​‌ ବେଗ ୨୩୦ କିମି ପ୍ରତିଘଣ୍ଟାରୁ ଅଧିକ ହୋଇପାରେ। ଫିଲିପିନ୍ସରେ ୧୦ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ଏହି ଝଡ଼ ଆହୁରି ଭୟଙ୍କର ହୋଇଯିବ। ଏହି ସମୟ​ରେ ୧୮ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଅନୁମାନ କରାଯାଉଛି। ସୋମବାର ସୁଦ୍ଧା ଡୋକ୍ସୁରୀ ବାତ୍ୟା ଚୀନ ସମୁଦ୍ରର ଉତ୍ତର ଆଡ଼କୁ ବଢ଼ିବ। ଏହାଦ୍ବାରା ତାଇଓ୍ବାନ, ହଂକଂ ଏବଂ ଦକ୍ଷିଣ ଚୀନ୍‌ର କିଛି ସ୍ଥାନରେ ଭୟଙ୍କର ବିଧ୍ବଂସ ଦେଖିବାକୁ ମିଳିପାରେ।

ଆହୁରି ପଢ଼ନ୍ତୁ: ଗୁଜରାଟରେ ତାଣ୍ଡବ ରଚିଲା ବାତ୍ୟା ବିପରଯୋୟ: ଉପୁଡ଼ିଲା ଗଛ, ଅନ୍ଧାରରେ ୯୦୦ରୁ ଅଧିକ ଗାଁ, ୨ ମୃତ

ଫିଲିପିନ୍ସର ପାଣିପାଗ ସଂସ୍ଥା ପଗାସା ଚେତାବନୀ ଦେବା ସହ କହିଛି ଯେ ଏହା ବୁଧବାର ସୁଦ୍ଧା ଏହି ବାତ୍ୟା ଭୟଙ୍କର ରୂପ ନେବ। ଏହା ପ୍ରଭାବରେ ଦେଶରେ ପ୍ରବଳ ବର୍ଷା ହେବ ଯେଉଁଥିରେ ବଡ଼ କ୍ଷତି ହୋଇପାରେ। ଏଜେନ୍ସୀ କହିବା ଅନୁଯାୟୀ ଏହି ବାତ୍ୟା ଫଳରେ ବାସସ୍ଥାନ ମରୁଭୂମିରେ ପରିଣତ ହୋଇପାରେ। ପବନର ବେଗ ଅନୁମାନ ଠାରୁ ଅଧିକ  ହୋଇପାରେ।

ଏହା ସହ ପଗାସା ଏହା ମଧ୍ୟ କହିଛି ଯେ ବୁଧବାର ରାତିରୁ ଏହି ବାତ୍ୟା ଦୁର୍ବଳ ହେବା ଆରମ୍ଭ ହେବ ଏବଂ ଏହା ତାଇଓ୍ବାନରେ ପ୍ରବେଶ କରିବ। ତେବେ ଏହା କେଉଁ ଦିଗରେ ଯିବ ତାହାକୁ ଠିକ୍‌ ଭାବରେ ସୂଚନା ମିଳିନାହିଁ। ପ୍ରଥମେ କୁହାଯାଉଥିଲା ଯେ, ଡୋକ୍ସୁରୀ ଫିଲିପିନ୍ସ ପରେ ତାଇଓ୍ବାନରେ ଯାଇପାରେ କିନ୍ତୁ ଏବେ କୁହାଯାଉଛି ଏହା ନିଜ ଗତି ବଦଳାଇପାରେ। ତାଇଓ୍ବାନ ନଯାଇ ସିଧା ହଂକଂ ଏବଂ ଚୀନ ଆଡ଼କୁ ମୁହାଁଇପାରେ।

ଚୀନ ଏବଂ ହଂକଂରେ ଏହି ବାତ୍ୟା ବିପଦକୁ ନେଇ ଆଲର୍ଟ ଜାରି କରାଯାଇଛି। ସୋମବାର ଚୀନ୍‌ରେ ଅନେକ ଅଞ୍ଚଳ​ରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇଥିଲା। ସମୁଦ୍ରକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ହଂକଂ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ଉଡ଼ାଣକୁ ମଧ୍ୟ ବନ୍ଦ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.