ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ, ୨୧ରେ ସ୍ପଷ୍ଟ ହେବ ଚିତ୍ର

Published By : Prameya-News7 Bureau | October 17, 2024 IST

ଭୁବନେଶ୍ଵର: ଆସନ୍ତା ୨୧ ରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପ୍ରଭାବରେ ୨୨ ରେ ଲଘୁଚାପ ୨୩ ରେ ଅବପାତର ରୂପ ନେବା ନେଇ କିଛି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି । ଏହାକୁ ନେଇ ଅକ୍ଟୋବରରେ ବାତ୍ୟା ଚର୍ଚ୍ଚା ହେଉଛି । ସେପଟେ ଭାରତୀୟ ପାଣିପାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।  ତେବେ ପାଣିପାଗ ବିଶେଷଜ୍ଞ କହୁଛନ୍ତି ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯାଇଛି । ମଡେଲ ଇଣ୍ଡିକେଟ କରୁଛି ବାତ୍ୟା ପାଇଁ । କିନ୍ତୁ ଓଡ଼ିଶା ଉପରେ ପ୍ରଭାବ ରହିବ କି ନାଇଁ ୨୧ ରେ ସ୍ପଷ୍ଟ ହେବ ଚିତ୍ର । 

ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ । ଓଡ଼ିଶା ମୁଁହା ହେବକି ବାତ୍ୟା ? କାରଣ ଆସନ୍ତା ୨୦ ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଘୁର୍ଣ୍ଣିବଳୟ । ଯାହା ଅଧିକ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପର ରୂପ ନେବା ସହ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ।  ପରେ ଏହା ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ଏଥିପାଇଁ ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ କୌଣସି ୱାର୍ଣ୍ଣିଂ ଦିଆଯାଇନଥିବା ବେଳେ ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି। ଲଘୁଚାପ ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।


ପାଣିପାଗ ବିଶେଷଜ୍ଞ କହିଛନ୍ତି ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯାଇଛି । କିନ୍ତୁ ଉତ୍ତର ପୂର୍ବ   ଅଞ୍ଚଳରେ ସକ୍ରିୟ ରହିଛି । ଫଳରେ ତାମିଲନାଡୁ ସହିତ ଦକ୍ଷିଣ ଭାରତ ରାଜ୍ୟ ଗୁଡ଼ିକରେ ବର୍ଷା ହେଉଛି । ତେବେ ବିଭିନ୍ନ ମଡେଲରୁ ବାତ୍ୟା ଆଶଙ୍କା ରହିଥିବା ବେଳେ ଏହାର ସ୍ପଷ୍ଟ ଚିତ୍ର ୨୧ ତାରିଖ ସୁଦ୍ଧା ଜଣାପଡ଼ିବ । 

୨୦୧୮ ଅକ୍ଟୋବର ୧୧ ରେ ଓଡ଼ିଶା ମୁହାଁ ହୋଇଥିଲା ବାତ୍ୟା ତିତଲି । ଆଉ ଏହାର ୬ ବର୍ଷ ପରେ ଅର୍ଥାତ୍ ଚଳିତବର୍ଷ ଅକ୍ଟୋବରରେ ଘାରିଛି ଓଡ଼ିଶାକୁ ବାତ୍ୟା ଭୟ। ସେପଟେ ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଆନୁସାରେ ଆସନ୍ତା ୨୪ ତାରିଖ ଆଡ଼କୁ ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ଉପକୁଳ ଛୁଇଁବାର ଆକଳନ କରାଯାଉଛି । ଯାହ ରାଜ୍ୟବାସୀଙ୍କ ମନରେ କିଛିଟା ଭୟ ସଞ୍ଚାର କରିଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.